News
WhatsApp Image 2023-10-04 at 17.25.00
samparksetu

ବନ ପାହାଡ଼ ଘେରା ଢେଙ୍କାନାଳ ଜିଲ୍ଲାକୁ ପ୍ରକୃତିର ଅନନ୍ୟ ବରଦାନ “ନନ୍ଦିନିଆ” ଜଳପ୍ରପାତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆମ ଜିଲ୍ଲା ଢେଙ୍କାନାଳ ।ଆମ ଜିଲ୍ଲା ରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି ଯାହା ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇନି ସତ କିନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ନିଶ୍ଚୟ ମନ ମୋହିବ।

ଏହିପରି ଏକ ସ୍ଥାନ ହେଉଛି ନନ୍ଦିନିଆ ଜଳପ୍ରପାତ । ହିନ୍ଦୋଳ ସବଡିଭିଜନ ଅନ୍ତର୍ଗତ ଅମଲାପଡା ରାୟମୁଣ୍ଡା ଗ୍ରାମ ଠାରୁ ବାମ ପାର୍ଶ୍ଵରେ ପ୍ରାୟ ୬କିମି ଦୂରରେ ଅବସ୍ଥିତ ଏହି ସ୍ଥାନଟି ଆଜି ବି ଅନେକଙ୍କ ପାଇଁ ଅପହଞ୍ଚ।

ଏଠାରେ ରହିଛିି “ନନ୍ଦିନିଆ ଗୁମ୍ଫା” “ନନ୍ଦିନିଆ କୁଣ୍ଡ” ଏବଂ ପ୍ରକୃତି କୋଳରେ ଅବସ୍ଥିତ ଜଳ ପ୍ରପାତ ସମେତ ଏଠାରେ ଥିବା ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକମାନେ ଆସି ଗୁମ୍ଫା ସ୍ଥିତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବଣଭୋଜିର ଆନନ୍ଦ ମଧ୍ୟ ନେଇଥାନ୍ତି।

କିମ୍ବଦନ୍ତୀ କୁହେ ବହୁ ପୂର୍ବେ ହିନ୍ଦୋଳ ଗଡ଼ଜାତ ଅଞ୍ଚଳର ମହାରାଜ ଶ୍ରୀ ନନ୍ଦ ମହାଦେବ ଘୋର ବନାନୀ ମଧ୍ୟରେ ଶିକାର ଉଦ୍ଦେଶ୍ୟରେ ଯାଇଥିବା ସମୟରେ ଏକ ଗୁମ୍ଫାରେ ତପସ୍ୟାରତ ଜଣେ ସାଧୁଙ୍କୁ ସାକ୍ଷାତ କରିଥିଲେ ଯାହାର ସ୍ମାରକୀ ସ୍ୱରୂପ ସେହି ସାଧୁ ଉକ୍ତ ଗୁମ୍ଫାକୁ ମହାରାଜଙ୍କ ନାମାନୁସାରେ “ନନ୍ଦିନିଆ ଗୁମ୍ଫା” ନାମରେ ନାମିତ କରିଥିଲେ ।

ସୂର୍ଯ୍ୟଙ୍କର ପହିଲିକିରଣ ସର୍ବପ୍ରଥମେ ପଡୁଥିବା ଏହି ଗୁମ୍ଫାରେ ସ୍ଵୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ ଏବଂ ପ୍ରତ୍ୟେକ ଚିତାଲାଗି ଅମାବାସ୍ୟା ଦିନ ଏଠାରେ ନାମ ସଂକୀର୍ତ୍ତନ ଓ ପୂଜାପାଠ ଆୟୋଜିତ ହୋଇଥାଏ।

ଏକଦା ଏକ ମହିଷ (ମଇଁଷି) ତୃଷାତୁର ହୋଇ ଜଳାଶୟ ଅନୁସନ୍ଧାନ ରେ ଏହି ଖୋଲ ନିକଟରେ ଖସିପଡ଼ି ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲା ବେଳେ ସ୍ଵୟଂ ମହାପ୍ରଭୁଙ୍କ କରୁଣାରୁ ଉକ୍ତ ଭୂମୁଖରୁ ଜଳାଧାରର ଉତ୍ପତ୍ତି ହୋଇଥିଲା ଏବଂ ସେହି ଜଳ ଯୋଗୁଁ ଉକ୍ତ ମଇଁଷିଟି ଜୀବନଦାନ ପାଇଥିଲା। ସେହିଦିନଠାରୁ ଏହି ସ୍ଥାନକୁ “ନନ୍ଦିନିଆ କୁଣ୍ଡ” ନାମରେ ଜଣାଯାଏ।

ଏତେ ସବୁ ଉପଲବ୍ଧି ସତ୍ତ୍ୱେ ଦୁର୍ଗମ ଯାତାୟାତ ପଥ ଏବଂ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହା ଏବେ ଲୋକଲୋଚନ ଆଢୁଆଳରେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ପର୍ଯ୍ୟଟନ ବିଭାଗ
ପକ୍ଷରୁ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଲେ ନିଶ୍ଚିତ ରୂପେ ଏହା ଢ଼େଙ୍କାନାଳ ଜିଲ୍ଲାର ଏକ ଉତ୍ତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ହୋଇପାରିବ ବୋଲି ଆଶା କରାଯାଉଛି ।

new life
You might also like
error: Content is protected !!