News
WhatsApp Image 2023-10-04 at 17.25.00
samparksetu

ଆମେ ଗୋଟିଏ ମାଟିର କୋଟି କୋଟି ସନ୍ତାନ

ଚିନ୍ତା ଅପନି ଛୋଡ୍ କେ ରଖେ ରାଷ୍ଟ୍ର୍  କା ଧ୍ୟାନ୍।
ଧନ୍ୟ୍ ଧନ୍ୟ୍ ଇସ୍ ଭୂମି କେ ୱହି ସପୁତ୍ ମହାନ୍।

ଆମର ପ୍ରିୟ ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର । ମୁନି,ଋଷି ଓ ସନ୍ଥ ମାନଙ୍କ ଦ୍ଵାରା ପ୍ରାଚୀନ କାଳରୁ ଆମ ଦେଶରେ ବିଭିନ୍ନ ଜାତି ଓ ଧର୍ମାବଲମ୍ବୀ ବାସ କରୁଛନ୍ତି। ସଂସାରରେ ଯେତେ ଧର୍ମ ଅଛି ପାଖାପାଖି ସମସ୍ତ ଧର୍ମ ର ଅନୁଗାମୀ ଆମ ଦେଶରେ ବାସ କରନ୍ତି। ବୁଦ୍ଧିଜୀବୀ ମାନେ ଏହାକୁ ଧର୍ମ ର ପୁଷ୍ପଗୁଚ୍ଛ ବୋଲି କହିଥାନ୍ତି।

ହେଲେ କିଛି ବାସ୍ତବିକ ଅବିବେକି ତଥା ଖଳ ପ୍ରବୃତ୍ତି ର ଲୋକ ଜାତି ବର୍ଣ୍ଣ ଓ ଧର୍ମ ନାଁ ରେ ଆମକୁ ପ୍ରତାରଣା କରୁଛନ୍ତି । ଆଉ ଆମେ ଧର୍ମ ର ବାସ୍ତବିକତା କୁ ନ ବୁଝି ସେମାନଙ୍କ ପଛରେ ମାତି ଚାଲୁଛେ ।  ଧର୍ମ ତ ବାସ୍ତବରେ ଗୋଟିଏ ମାର୍ଗ ର ନାମ, ଯେଉଁ ମାର୍ଗ କିମ୍ବା ରାସ୍ତା ରେ ଚାଲି ଭକ୍ତ ନିଜ ଭଗବାନ ଙ୍କୁ ସାକ୍ଷାତ କରିଥାଏ।

କୌଣସି ଜାତି କିମ୍ବା ଧର୍ମ ଘୃଣା କିମ୍ବା ହିଂସା ର ଶିକ୍ଷା ଦେଇ ନଥାଏ । ବରଂ ଧର୍ମ ର ବିଶେଷତ୍ଵ ହେଉଛି ଭକ୍ତ ଓ ଭଗବାନ ଙ୍କ ମିଳନ। ଅବଶ୍ୟ ବିଭିନ୍ନ ଜାତି କିମ୍ବା ଧର୍ମ ର ରାସ୍ତା ଟି ଅଲଗା- ଅଲଗା ହୋଇଥାଇପାରେ କିନ୍ତୁ ଲକ୍ଷ କେବଳ ଈଶ୍ଵର ଙ୍କ ନିକଟତା ପ୍ରାପ୍ତି ଅଟେ।  ଯଦି ସମସ୍ତ ଧର୍ମ ର ଶିକ୍ଷା ହିଁ ସତ୍ୟ ଶାନ୍ତି ସମାନତା ଓ ଦୟା ଅଟେ ତ ନିଜ ନିଜ ଭିତରେ ଏହି କଳହ କାହିଁକି ? କାରଣ ଆମେ ଧର୍ମ ର ବାସ୍ତବିକତା ତା’ର ପ୍ରକୃତ ପରିଭାଷା ଭୁଲି ଯାଇଛେ ।

ପ୍ରିୟ ପାଠକ ବନ୍ଧୁ ! ଧର୍ମ ର ଅଧ୍ୟୟନ କଲେ ଆମେ ସ୍ପଷ୍ଟ ଜାଣି ପାରିବା ଯେ ସତ୍ୟ ଶାନ୍ତି ଓ ଉଚ୍ଚ-ନିଚ୍ଚ ର ପ୍ରଭେଦ ଶେଷ କରି ଶାନ୍ତିର ସ୍ଥାପନା ପାଇଁଁ ହଜରତ୍ ଶ୍ରୀ ରାମଚନ୍ଦ୍ର ୧୪ ବର୍ଷ ବନବାସ କରିଥିଲେ, ସବରି ଭିଲନି ର ଅଇଁଠା କୋଳି ଖାଇ ମାନବ ସମାଜରୁ ଉଚ୍ଚ ନିଚ୍ଚ ର ଭେଦଭାବ ସମାପ୍ତ କରିଥିଲେ । ଦୁଷ୍ଟ ରାବଣକୁ ବଧ କରି ସୀତା ମାତାଙ୍କୁ ଉଦ୍ଧାର କରିଥିଲେ। ହଜରତ୍ ଶ୍ରୀ କୃଷ୍ଣ ଦ୍ୱାରିକା ର ଅଧିପତି ହୋଇ ମଧ୍ୟ ଗରିବ ନିର୍ଧନ ବାଳ ସଖା ସୁଦାମ ଙ୍କ ସ୍ୱାଗତ ପାଇଁ ଖାଲି ପାଦରେ ଦୋଉଡି ଯାଇଥିଲେ। ଏବଂ ସତ୍ୟବାଦୀ ଙ୍କ ସହାୟ ହୋଇ ଅଧର୍ମି କୋୖରବ ଙ୍କ ବିରୁଦ୍ଧରେ ଯୁଦ୍ଧ ମଧ୍ୟ କରିଥିଲେ।

ଇସଲାମ ଧର୍ମ ର ସଂସ୍ଥାପକ ହଜରତ୍ ମହମ୍ମଦ ବାଲ୍ୟ ଅବସ୍ଥା ରୁ ଅତ୍ୟନ୍ତ ଧର୍ମ ପରାୟଣ ଥିଲେ, ଗରିବ ଅସହାୟ ବିଧବା ଓ ଅନାଥ ମାନଙ୍କୁ ପ୍ରାଣବଳି ଭଲ ପାଉଥିଲେ, ଭୋକିଲା ପିଲାଟିଏ ଦେଖିଲେ ତାଙ୍କ ଆଖିରୁ ଲୁହ ଧାର ବୋହି ଯାଏ । ଛୋଟ ମାନଙ୍କୁ ସ୍ନେହ ଶ୍ରଦ୍ଧା ଓ ବଡ଼ ମାନଙ୍କୁ ସମ୍ମାନ କରୁଥିଲେ। ଶତୃ ମାନେ ତାଙ୍କ ବିରୁଦ୍ଧରେ ବିଭିନ୍ନ ଷଡ଼ଯନ୍ତ୍ର କଲେ , ଜୀବନରୁ ମାରିଦେବାକୁ ବସିଲେ, ଆପଣଙ୍କୁ ମାରି ମାରି ରକ୍ତାକ୍ତ କରିଦେଲେ, ଆପଣଙ୍କ ଅନୁଗାମୀ ମାନଙ୍କୁ ଜୀଅନ୍ତା ଜାଳିଲେ, କରତ ରେ କାଟିଲେ,ଆପଣଙ୍କ ଅନୁଗାମୀ ମାନଙ୍କ ଛାତି ଚିରି ତାଙ୍କର କଲିଜା ଖାଇଗଲେ । କିନ୍ତୁ ଯେତେବେଳେ ଆପଣ ବିଜୟୀ ହେଲେ ସେତେବେଳେ ଆପଣ ନିଜର ସମସ୍ତ ଶତୃ ମାନଙ୍କୁ କ୍ଷମା ପ୍ରଦାନ କରିଥିଲେ।

ପ୍ରିୟ ପାଠକ ବନ୍ଧୁ ! ଆଜି କିଛି ତଥାକଥିତ ମୁସଲିମ କିମ୍ବା ଅବିବେକି ଓ ଅଜ୍ଞାନି ତଥା ଇସଲାମ ଧର୍ମ ର ବାସ୍ତବିକ ଶିକ୍ଷାରୁ ଅଜ୍ଞାତ ଇସଲାମ ତଥା ହଜରତ ମହମ୍ମଦ ଙ୍କ ଉପରେ ହିଂସା ଓ ଉଗ୍ରବାଦ କୁ ନେଇ ମିଥ୍ୟାରୋପଣ  କରୁଛନ୍ତି ଏବଂ ଘୃଣା ଭାବ ଜାଗ୍ରତ କରି ଜନସାଧାରଣଙ୍କ ହୃଦୟ ରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି । ଏହାର ପ୍ରତି ଉତ୍ତର ଜଣେ ଅଣ ମୁସଲିମ ସୁପ୍ରସିଦ୍ଧ ଆମେରିକୀୟ ଲେଖିକା ତଥା ଧର୍ମ ଏବଂ ଅନ୍ୟାନ୍ୟ ବିଷୟର ଅଧ୍ୟାପିକା ରୁଥ୍ କ୍ରାନଷ୍ଟନ୍ ନିଜ ପୁସ୍ତକ World Faith (Harper and Row Publishers NY Page 155 / 1949) ରେ ଦେଇଥିଲେ। ସେ ଲେଖନ୍ତି “ମୁହମ୍ମଦ ଆରବୀୟ ନବୀ କେବେ ବି ଯୁଦ୍ଧ ଓ ରକ୍ତ ପାତ ଆରମ୍ଭ କରି ନଥିଲେ, ତାଙ୍କର ପ୍ରତ୍ୟେକ ଯୁଦ୍ଧ ଯାହା ସେ ଲଢ଼ି ଥିଲେ ତାହା ପ୍ରତିରକ୍ଷା ମୂଳକ ଥିଲା, ସେ ଯୁଦ୍ଧ କରିଥିଲେ ଆତ୍ମ ସମ୍ମାନ ରକ୍ଷା ପାଇଁ ଓ ସ୍ୱାଭିମାନ କୁ ବଜାୟ ରଖିବା ପାଇଁ। ସେହି ଆରବୀୟ ନବୀ ଙ୍କ ହାତରେ ସପ୍ତମ ଶତାବ୍ଦୀର ଅନ୍ଧକାର ଯୁଗରେ ଜଣେ ଅନ୍ୟର ରକ୍ତ ପିସାଚୁ ସାଜିଥିବା ବେଳେ ଯେଉଁ ପ୍ରାଣହାନି ଘଟିଥିଲା ତାହା ସହିତ ଆଜିର ବିଂଶ ଶତାବ୍ଦୀର ଆଲୋକମୟ ଯୁଗରେ ହେଉଥିବା ନର ସଂହାର କୁ ମୁକାବିଲା କରିବା ଏକ ଧୃଷ୍ଟତା ବ୍ୟତୀତ ଅନ୍ୟ କିଛି ନୁହେଁ “।

ପ୍ରିୟ ପାଠକ ବନ୍ଧୁ ! ଆମେ ଗର୍ବିତ ଯେ ଆମେ ସମସ୍ତେ ଭାରତୀୟ। ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର ର ନାଗରିକ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ। ଯେମିତି କି ପ୍ରାରମ୍ଭ ରେ ଲେଖିଥିଲି ଯେ ଆମ ଦେଶ ଗୋଟିଏ ଧର୍ମ ର ପୁଷ୍ପ ଗୁଚ୍ଛ ବୋଲି, ସତରେ ପ୍ରାଚୀନ କାଳରୁ ଆମେ ସମସ୍ତେ ଭିନ୍ନ ଭିନ୍ନ ଜାତି ଧର୍ମ ର ହୋଇଥିଲେ ମଧ୍ୟ ଆମେ ଏକ। ଅନେକତାରେ ଏକତା ହିଁ ଆମ ଉନ୍ନତି ର ମାପକାଠି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ୍ଭମାନଙ୍କ ଭିତରେ କୌଣସି ପ୍ରକାର ଭେଦ ଭାବ ରହିବା ଉଚିତ ନୁହେଁ । ଆମେ ଗୋଟିଏ ମାଟିର କୋଟି କୋଟି ସନ୍ତାନ । ଏଇତ ଆମ ଦେଶର ସୁନ୍ଦରତା। ଆପସ କଳହ ନୁହଁ ବରଂ ଆମ ସମସ୍ତଙ୍କର ଲକ୍ଷ୍ୟ ଓ ଆଦର୍ଶ କେବଳ ଦେଶ ଓ ଜାତି ପାଇଁ ଉଦ୍ଦିଷ୍ଟ ହେବା ବାଂଚ୍ଛନୀୟ।

ଭାରତ୍ ଭୂମି ଅଖଣ୍ଡ୍ ହୋ ରହେ ସୁରକ୍ଷିତ୍ ଦେଶ୍ ।
ୟୁଗ୍ ୟୁଗ୍ ତକ୍ ଜୀବିତ୍ ରହେ ୟହି ଅମର୍ ସନ୍ଦେସ୍ ।    

ଜୟ ହିନ୍ଦ୍



ବି ଦ୍ର:  ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଲେଖା ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ଅଟେ, ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶଲାଗି dhenkanalupdate ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହେଁ ।

new life
You might also like
error: Content is protected !!