News
WhatsApp Image 2023-10-04 at 17.25.00
samparksetu

ମିଛ କହିଲେ ମହା ପାପ

ଏପ୍ରିଲ୍ ଫୁଲ୍ ଦିବସ ଅବସରରେ ବିଶେଷ

ଧାଇଁ ଆସ ହେ ଧାଇଁ ଆସ ମୋତେ ବାଘ ଖାଇଗଲା, ରାଧୁଆ ର ପାଟି ଶୁଣି ଗ୍ରାମବାସୀ ମାନେ ନିଜ-ନିଜ କାମ ଛାଡି ଠେଙ୍ଗା ବାଡ଼ି ଧରି ଜଙ୍ଗଲ ଆଡ଼କୁ ଧାଇଁଲେ। ଦେଖିଲେ କ’ଣ ? ନା ରାଧୁଆ ଗୋଟିଏ ଗଛ ଉପରେ ବସି ଠୋ ଠୋ କରି ହସୁଛି। ତାଳି ମାରି ହସି କହୁଛି ଯେ ବାଘ ଆସିନାହିଁମ ମୁଁ ତୁମ ମାନଙ୍କ ସହ ଥଟ୍ଟା କରୁଥିଲି। ଏହା ଶୁଣି ଗ୍ରାମବାସୀ ମାନେ ରାଧୁଆ କୁ ମିଛ କହିବାରୁ ଗାଳିଗୁଲଜ କରି ସେଠାରୁ ଚାଲିଗଲେ। ତହିଁ ଆରଦିନ ରାଧୁଆ ପୂର୍ବ ପରି ଜଙ୍ଗଲ ରେ ଗାଈ ଚରାଉଥାଏ ହଠାତ୍ ସତକୁ ସତ ବାଘ ଆସିଗଲା, ରାଧୁଆ ଏଥର ସତକୁ ସତ ଗ୍ରାମବାସୀ ମାନଙ୍କୁ ସାହାଯ୍ୟ ନିମନ୍ତେ ଡାକ ଛାଡ଼ିଲା, ହେଲେ ଏଥର କେହି ତା କଥାକୁ ବିଶ୍ୱାସ କଲେ ନାହିଁ, ଗ୍ରାମବାସୀ ମାନେ ଭାବିଲେ ରାଧୁଆ ତ ସେମିତି ମିଛ କହେ, ଫଳ ସ୍ୱରୂପ ରାଧୁଆକୁ ବାଘ ଖାଇଗଲା, ମିଛ କହିବାରୁ ରାଧୁଆର ପ୍ରାଣ ଗଲା।

କାହାଣୀ ଟି ପିଲା ବେଳେ ଆମେ ସମସ୍ତେ ପଢ଼ିଛେ, ଇଏ ଗୋଟିଏ ଶିକ୍ଷା ଭିତ୍ତିକ କାହାଣୀ। ଏତଦ୍ଵାରା ଆମେ ବାଲ୍ୟ ଅବସ୍ଥା ରୁ ପିଲା ମାନଙ୍କୁ ସତ କହିବାକୁ ପ୍ରେରିତ କରିଥାଉ। କାରଣ ଏହା ନିରାଟ ସତ୍ୟ ଯେ ମିଛ ର ଜୀବନ କ୍ଷଣକ ମାତ୍ର।
ପ୍ରିୟ ପାଠକ ବନ୍ଧୁ ! ଏପ୍ରିଲ୍ ଫୁଲ୍ ଦିବସ ପ୍ରତିବର୍ଷ ୧ ଏପ୍ରିଲ୍ ଦିନରେ ପାଳନ କରାଯାଏ । ଏପ୍ରିଲ ଫୁଲ୍ ଦିବସ ଭାରତୀୟ ସଂସ୍କୃତି ନୁହେଁ ବରଂ ପାଶ୍ଚାତ୍ୟ ଦେଶଗୁଡିକରେ ୧ ଏପ୍ରିଲ ଦିନ ଏପ୍ରିଲ ଫୁଲ ଅଥବା ମୁର୍ଖ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା। ଏହି ଦିନ ସାଙ୍ଗ, ପରିବାର,ଶିକ୍ଷକ, ପଡ଼ୋଶୀ,ସହକର୍ମୀ ଇତ୍ୟାଦି ଙ୍କ ସହିତ ଥଟ୍ଟା ପରିହାସ ଉଦେଶ୍ୟ ରେ ମିଛ କୁହାଯାଏ,ଏବଂ ଅନ୍ୟାନ୍ୟ ବ୍ୟବହାରିକ ଉପହାସ ମଧ୍ୟ କରାଯାଏ। ଧିରେ ଧିରେ ଏହି ପାଶ୍ଚାତ୍ୟ ପରମ୍ପରା ଆମ ଦେଶରେ ପ୍ରସାର ଲାଭ କରିଗଲା।

ଏହା ମଧ୍ୟ କଟୁ ସତ୍ୟ ଯେ ଏଭଳି ପରମ୍ପରା କୁ ତଥାକଥିତ ସଭ୍ୟ ସମାଜ ସ୍ୱାଗତ ମଧ୍ୟ କରୁଛି।ଏହାର ପ୍ରଭାବ ଏତେ ଭୟାବହ ଯେ ଧିରେ ଧିରେ ଆମେ ୧ ଏପ୍ରିଲ (ଉତ୍କଳ ଦିବସ) ଟିକୁ ଭୁଲି ଯାଇଛେ, ଆଜି କୌଣସି ପିଲାଙ୍କୁ ଯଦି ଆମେ ପଚାରିବା ଯେ ୧ ଏପ୍ରିଲ କ’ଣ ? ତେବେ ତା’ର ଉତ୍ତର ମିଳୁଛି ଯେ “ଏପ୍ରିଲ ଫୁଲ୍ ଦିବସ” । ଏକଥାରୁ ଅଜ୍ଞାତ ଯେ ଆଜି ଉତ୍କଳ ଦିବସ ମଧ୍ୟ। ସେ ଯାହା ହେଉ ନା କାହିଁକି, ଏଠି ଏପ୍ରିଲ ଫୁଲ୍ ନାଁରେ ମିଛ ର ପ୍ରଚାର ପ୍ରସାର କରିବା ସନ୍ଦର୍ଭରେ କିଛି ବର୍ଣ୍ଣନା କରିବା ମୋର ଲକ୍ଷ୍ୟ ।

ପ୍ରିୟ ପାଠକ ବନ୍ଧୁ ! ଛୋଟ ମିଛ ହେଉ କିମ୍ବା ବଡ଼ ମିଛ ହେଉ , ମିଛ ଅନ୍ତତଃ ମିଛ ଅଟେ। ଆମର ପ୍ରିୟ ଭାରତବର୍ଷ ଯୁଗ ଯୁଗାନ୍ତରୁ ଋଷି ମୁନି ଓ ସନ୍ଥ ମାନଙ୍କ ର ଦେଶ ଅଟେ, ସେମାନେ ସର୍ବଦା ସତ୍ୟ ଶାନ୍ତି ର ସ୍ଥାପନା ଉଦେଶ୍ୟ ରେ ଏହି ଧରା ପୃଷ୍ଠରେ ଅବତରଣ କରିଥାନ୍ତି।

ଇସଲାମ ଧର୍ମ ର ସଂସ୍ଥାପକ ହଜରତ୍ ମହମ୍ମଦ ଙ୍କ ର ମୁଖନିସୃତ ବାଣୀ ହଦିସ୍ ରେ ବଣ୍ଣିତ ଅଛି ଯେ ଏକଦା ହଜରତ୍ ମହମ୍ମଦ ନିଜ ଅନୁଚରମାନଙ୍କୁ କହିଲେ “ମୁଁ ତୁମକୁ ତିନୋଟି ବଡ ଅପରାଧ ଓ ପାପ କ’ଣ କହିବିକି ? ଅନୁଚର ମାନେ ବିନମ୍ର ଭାବରେ କହିଲେ ନିଃସନ୍ଦେହରେ କୁହନ୍ତୁ ।

ହଜରତ୍ ମହମ୍ମଦ କହିଲେ : ଶିର୍କ୍ (ଅନେକେଶ୍ୱରବାଦ)ପିତାମାତାଙ୍କ ଅବଜ୍ଞା, ମାନବ ହତ୍ୟା,ଏହା ବର୍ଣନା କରିବା ସମୟରେ ଆପଣ ଡେରି ହୋଇ ଶୋଇ ର‌ହିଥିଲେ, ଆପଣ ହଠାତ୍ ଉଠି ବସି ପଡିଲେ ଆଉ

ଆବେଗ ରେ କହିଲେ : ମିଥ୍ୟା କହିବା ଏକ ବଡ ଅପରାଧ।
ପ୍ରିୟ ପାଠକ ବନ୍ଧୁ ! ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ସତ୍ୟକୁ ଏକ ପ୍ରକୃତ ଲାଭଦାୟକ ଶକ୍ତି ଭାବରେ ବିବେଚନା କରିଛନ୍ତି,ସେ କହିଥିଲେ ମୃତ୍ୟୁ ମଧ୍ୟରେ ଜୀବନ ଜାଗ୍ରତ ହୁଏ, ଅସତ୍ୟ ମଧ୍ୟରେ ସତ୍ୟ ଜାଗ୍ରତ ହୁଏ ଏବଂ ଅନ୍ଧକାର ମଧ୍ୟରେ ଆଲୋକ ଜାଗ୍ରତ ହୁଏ।

ତାଙ୍କ ଜୀବନ ଇତିହାସରେ ଗୋଟିଏ ସୁନ୍ଦର ଶିକ୍ଷାପ୍ରଦ ଘଟଣା ବର୍ଣିତ ଅଛି। ଗାନ୍ଧୀଜୀଙ୍କ ବଡ ଭାଇ ଋଣରେ ବୁଡ଼ି ରହିଥିଲେ, ଭାଇଙ୍କୁ ଋଣରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଗାନ୍ଧିଜୀ ତାଙ୍କ ପାଖରେ ଥିବା ଏକ ସୁନା ଖଡ଼ୁ ଟିକୁ ବିକ୍ରି କରି ତାଙ୍କ ଭାଇକୁ ଋଣ ସୁଝିବାକୁ ଟଙ୍କା ଦେଇଦେଲେ। ବାପାଙ୍କ ଠାରୁ ମାଡ଼ ଖାଇବା ଭୟ ରେ ଗାନ୍ଧିଜୀ ତାଙ୍କ ପିତାମାତାଙ୍କୁ ମିଛ କହିଦେଲେ ଯେ ସୁନାଖଡ଼ୁ ଟି ହଜିଗଲା। କିନ୍ତୁ ମିଥ୍ୟା କାରଣରୁ ଗାନ୍ଧିଜୀଙ୍କ ମନ ସ୍ଥିର ହୋଇ ରହି ପାରିଲା ନାହିଁ, ତାଙ୍କ ମନଟା ଭାରି ଘାଣ୍ଟି ଗୋଳେଇ ହେଲା, ସେ ନିଜ ଭୁଲକୁ ଅନୁଭବ କଲେ ଏବଂ ତାଙ୍କ ଆତ୍ମା ​​ତାଙ୍କୁ ବାରମ୍ବାର କହିଲା ଯେ ସେ ମିଛ କହିବା ଉଚିତ୍ ହୋଇ ନାହିଁ ।

ସୁତରାଂ ଗାନ୍ଧିଜୀ ନିଜର ଅପରାଧ ସ୍ୱୀକାର କଲେ ଏବଂ ସେ ପୁରା କଥା ଗୋଟିଏ କାଗଜରେ ଲେଖି ତାଙ୍କ ପିତାଙ୍କୁ ଦେଲେ। ଗାନ୍ଧିଜୀ ଭାବିଲେ ଯେତେବେଳେ ବାପା ମୋ ଅପରାଧ ବିଷୟରେ ଜାଣିବେ ସେତେବେଳେ ସେ ତାଙ୍କୁ ବହୁତ ମାଡ଼ ମାରିବେ । କିନ୍ତୁ ବାପା ଏହିପରି କିଛି କଲେ ନାହିଁ। ସେ ବସି ପଡିଲେ ଏବଂ ତାଙ୍କ ଆଖିରୁ ଲୁହଧାର ବୋହିଗଲା। ବାପାଙ୍କର ୟେ ଅବସ୍ଥା ଦେଖି ଗାନ୍ଧିଜୀ ବହୁତ ଦୁଃଖିତ ହେଲେ। ସେ ଅନୁଭବ କଲେ ଯେ ପ୍ରେମ ହିଂସା ଅପେକ୍ଷା ଅଧିକ ପ୍ରଭାବଶାଳୀ ଦଣ୍ଡ ଦେଇପାରେ ।

ବାଲ୍ୟ କାଳରୁ ହିଁ ଗାନ୍ଧୀଜୀ ମିଛ ନ କହିବାର ଶିକ୍ଷା ଗ୍ରହଣ କରିଥିଲେ। ଆମେ ଯେତେବେଳେ କାହାକୁ ମିଛ କହି ଥାଉ ଏମିତି ସମାନ ସ୍ୱର ଆମ ଅନ୍ତରାତ୍ମା ରୁ ମଧ୍ୟ ଆସିଥାଏ, କିନ୍ତୁ ଆମେ ସେହି ସ୍ୱର କୁ ବିଶ୍ୱାସ ନକରି ଅଣଦେଖା କରି ସବୁଠାରୁ ବଡ଼ ଭୁଲ କରିଥାଉ।

ତେବେ ଆସନ୍ତୁ ମହାପୁରୁଷ ମାନଙ୍କ ଜୀବନରୁ ଶିକ୍ଷା ଲାଭ କରି ଆମେ ସମସ୍ତେ ସତ୍ୟ ପଥରେ ଆଗେଇ ଯିବା। ଏପ୍ରିଲ ଫୁଲ୍ ନାଁ ରେ ମିଛ କହି ପାପ ଅର୍ଜନ ନକରି ନିଜ ଇହକାଳ ଓ ପରକାଳକୁ କଳଙ୍କିତ କରିବାରୁ ବଞ୍ଚିବା।

ପ୍ରବାଦ ଟି ପ୍ରସିଦ୍ଧ ଅଛି –
ମିଛ କହିଲେ ମହା ପାପ ସତ କହିଲେ ଜଗନ୍ନାଥ । ଜୟ ହିନ୍ଦ୍।

ବି ଦ୍ର: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଲେଖା ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ଅଟେ, ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶଲାଗି dhenkanalupdate.com ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହେଁ ।

new life
You might also like
error: Content is protected !!