ଜୀବନର ଅଙ୍କା ବଙ୍କା ରାସ୍ତାରେ ବାଟ ଭାରି କଣ୍ଟକିତ । ତଥାପି ହାର ମାନି ନାହିଁ ମଣିଷ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜାରି ରଖିଛି ନିଜର ଚେଷ୍ଟା । ଧୁଡୁ ଧୁଡୁ ଚର୍ମର ଅପରାହ୍ନ ବୟସରେ ଛୁଆଙ୍କୁ ମଣିଷ କରିବା ପାଇଁ ଚେଷ୍ଟା କରୁଛନ୍ତି ଅସହାୟ ବୃଦ୍ଧା ।
ଭିକ୍ଷା ବୃତ୍ତି ହେଉ ଅବା ଦିନ ମଜୁରିଆ କିମ୍ବା ଜଙ୍ଗଲୀ ଜାତ ଦ୍ରବ୍ୟକୁ ବିକ୍ରିୟ । ସେଇ ଦୁଇ ପଇସାରେ ଚାରି ବାପା ମାଆ ଛେଉଣ୍ଡ ଅନାଥ ଶିଶୁଙ୍କ ଉଦର ପୋଷୁଛି ।ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଂଚାୟତ ଅନ୍ତର୍ଗତ କାଦବସନ୍ତ ଗାଁ । ଗାଁରେ ବାସ କରନ୍ତି ପ୍ରାୟ ଶହେ ଗୋଟି ଆଦିବାସୀ ସମ୍ପ୍ରଦାୟର ପରିବାର । ଏହା କୌଣସି ଉପାନ୍ତ ଅଂଚଳ ନୁହେଁ ବରଂ ପାହାଡ଼ ପର୍ବତ ଘେରା ଏକ ଆଦିବାସୀ ଇଲାକା ।
ଗାଁରେ ରହୁଛନ୍ତି ୭୦ ବର୍ଷୀୟା ବୃଦ୍ଧା ବଚନ ପଧାନ । ବଚନଙ୍କ କାନ୍ଧରେ ରହିଛି ଚାରି ଚାରି ଗୋଟି ବାପା ମାଆ ଛେଉଣ୍ଡ ଅନାଥ ଶିଶୁଙ୍କ ବୋଝ । ସ୍ୱାମୀ ବୁଦ୍ଧିଆ ପଧାନ ଆଜକୁ ୫ ବର୍ଷ ତଳେ ଅଜଣା ରୋଗରେ ପଡ଼ି ମୃତ୍ୟୁ ବରଣ କରିଥିଲେ ।ଏତିକିରେ ଦଇବ ଦାଉ ସାଜି ନଥିଲା ।
ଦୁଇ ବର୍ଷ ତଳେ ପେଟ ଜନିତ ରୋଗରେ ପୁଅ ଶ୍ରୀକାନ୍ତ ପଧାନଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଶ୍ରୀକାନ୍ତଙ୍କ ସ୍ତ୍ରୀ ମଞ୍ଜୁଲତା ପଧାନ ୪ ଶିଶୁଙ୍କୁ ଛାଡି ଅନ୍ୟ କାହା ସହିତ ପଳେଇ ଯାଇଥିଲା । ଚାରି ଚାରି ଅନାଥ ଶିଶୁଙ୍କୁ ନେଇ ଚିନ୍ତାରେ ବୃଦ୍ଧା ବଚନ । କଣ ବା ସେ କରିବେ ,ବାଧ୍ୟ ହୋଇ ଭିକ୍ଷା ବୃତ୍ତି ହେଉ କିମ୍ବା ଦିନ ମଜୁରିଆ କାର୍ଯ୍ୟ କରି ଛୁଆଙ୍କ ମୁହଁରେ ଆହାର ଦେଉଛନ୍ତି ।ତାହା ସହିତ ଜଙ୍ଗଲ ଜାତ ପଦାର୍ଥ ମହୁଲ ଫୁଲ ,ମହୁ ,ଝୁଣା ବିକ୍ରୟ କରି ପରିବାର ପୋଷିବାକୁ ପଡୁଛି । ଭାତ ଓ ଲୁଣ ଖାଇ ଜୀବନ ବିତାଇବାକୁ ପଡୁଛି ।
ଥରେ ତାଙ୍କ ଖାଦ୍ୟ ଓ ବେଶ ପୋଷାକକୁ ଦେଖିଲେ ଆପଣ ମାନେ ଜାଣି ପାରୁଥିବେ ଅଭାବୀ କଷ୍ଟ ।ସରକାରଙ୍କ ଯୋଜନା ବଚନଙ୍କ ପରିବାର ପାଇଁ ସାତସପନ । ସମସ୍ତ ମୌଳିକ ଆବଶ୍ୟକତାରୁ ବଞ୍ଚିତ ପରିବାର । ସରକାର ଯେଉଁ ୫ କିଜିଆ ଚାଉଳ ଦେଉଥିଲେ ତାହା ଆଧାର କାର୍ଡ ଅଭାବରୁ ପାଇବାରୁ ବଞ୍ଚିତ । ଚାରୋଟି ଛୁଆ ସମ୍ପୂର୍ଣ୍ଣ ପାଠ ପଢାରୁ ବଞ୍ଚିତ । ଶିକ୍ଷା କଣ ସେମାନେ ଜାଣି ନାହାଁନ୍ତି ।
ବିଦ୍ୟାଳୟରେ ସେମାନଙ୍କର ପାଦ ସ୍ପର୍ଶ କରିନାହିଁ । ପଢିବାରେ ଇଛା ଥିଲେ ମଧ୍ୟ ପରିସ୍ଥିତି ଛୁଆଙ୍କ ଭବିଷ୍ୟତକୁ ଅନ୍ଧାର ଆଡକୁ ଟାଣି ନେଇଛି । ଖାଉଟି ଯୋଗାଣରେ ଚାଉଳ , ଘର ଖଣ୍ଡିଏ କିମ୍ବା ଭତ୍ତା ସେମାନଙ୍କ ପାଇଁ ସାତସପନ ପାଲଟିଛି । ଆଜିବି ଏମିତି ପରିବାର ଦୟନୀୟ ଅବସ୍ଥାରେ ବହୁ ସଂଘର୍ଷରେ କାଳାତିପାତ କରୁଛନ୍ତି । ଛୁଆଙ୍କ ପାଇଁ ନା ଅଛି ଶିକ୍ଷାର ସୁବିଧା ,ନା ପରିବାରକୁ ମିଳୁଛି କୌଣସି ମୌଳିକ ସୁବିଧା । ସବୁଥିରୁ ବଂଚିତ ଏହି ହତଭାଗା ପରିବାର। କେଉଁ ଦିନ ଅଭାବ ଅନଟନରେ ଖାଇବାକୁ ନପାଇ ୫ପ୍ରାଣୀ କୁଟୁମ୍ବଙ୍କ ଜୀବନ ଚାଲିଯିବ ଏଥିରେ ସନ୍ଦେହ ନାହିଁ । ଏ ନେଇ ଆମେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲୁ । ତେବେ ସେ ଉପନିର୍ବାଚନରେ ଜିତି ନୂଆଁ କରି ଦାୟିତ୍ୱ ନେଇଛନ୍ତି ।
ତେଣୁ ସେ ସମ୍ପୃକ୍ତ ପରିବାର ବିଷୟରେ ଜାଣି ନଥିଲେ । ତୁରନ୍ତ ସେମାନଙ୍କ ପରିବାରକୁ ଆଧାର କାର୍ଡ ବ୍ୟବସ୍ଥା କରିବା ସହ କିପରି ସରକାରୀ ସୁବିଧା ପାଇ ପାରିବେ ତାହା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଦୁଃଖ ଦରିଆରେ ଚାରି ଚାରୋଟି ଅନାଥ ଶିଶୁକୁ ନେଇ ଜୀବନ ବିତାଉଥିବା ବୃଦ୍ଧାଙ୍କ ପରିବାରକୁ ସରକାର କେବେ ସାହାଯ୍ୟ ଓ ସହଯୋଗ କରୁଛନ୍ତି ତାହାକୁ ହିଁ ଅପେକ୍ଷା ।