ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁରେ ବାସ କରନ୍ତି ବୃଦ୍ଧ ପିତାମ୍ବର ଦେହୁରୀ ଏବଂ ତାଙ୍କର ୧୮ ବର୍ଷ ବୟସର ମାନସିକ ବିକାରଗ୍ରସ୍ତ ପୁଅ ବାପୁନ ଦେହୁରୀ । ପିତାମ୍ବରଙ୍କ ସ୍ତ୍ରୀ ପାନ ଦେହୁରୀ ଆଜକୁ ୯ ବର୍ଷ ତଳେ ଅଜଣା ରୋଗରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ମାନସିକ ବିକାରଗ୍ରସ୍ତ ପୁଅକୁ ନେଇ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ବହୁ କଷ୍ଟରେ ଚଳୁଥିଲେ ପିତାମ୍ବର । ବାପା ମାଆ ସିନା ବହୁ ଆଦରରେ ନାଁ ଦେଇଥିଲେ ପିତାମ୍ବର । ହେଲେ ବଞ୍ଚିବାକୁ ପଡୁଛି ଏକ ଅଭିଶପ୍ତ ଜୀବନ । ଗୋଡ଼ରେ ଏକ ବିରାଟ କ୍ଷତ ହେବା ପରେ ପଙ୍ଗୁ ପ୍ରାୟ ହୋଇ ପଡି ରହିଲେ ପିତାମ୍ବର। ସ୍ଥାନୀୟ ସମାଜସେବୀଙ୍କ ସହଯୋଗରେ ବହୁ କଷ୍ଟରେ ତାଙ୍କ ଗୋଡଟି ଭଲ ହୋଇଗଲା ।
କିନ୍ତୁ ଜୀବନର କଷଟି ଭିତରେ ଆଜି ବି ଚାପି ହୋଇ ରହିଛନ୍ତି । ମୌଳିକ ଆବଶ୍ୟକତାରୁ ସମ୍ପୂର୍ଣ୍ଣ ବଞ୍ଚିତ ପିତାମ୍ବର । ଖାଦ୍ୟ ,ବସ୍ତ୍ର ,ବାସଗୃହ ତାଙ୍କ ପାଇଁ ସାତସପନ । ଖରା, ବର୍ଷା, ଶୀତ ଆଉ ଝଡ଼ ତୋଫାନରେ ଏହି ଗଛ ମୂଳ ହିଁ ତାଙ୍କର ଏକମାତ୍ର ଠିକଣା । ସ୍ଥାନୀୟ ଲୋକଙ୍କ ସହଯୋଗରେ ପଲିଥିନ ଖଣ୍ଡିଏ ମିଳିଛି । ଯେଉଁ ପଲିଥିନରେ ସେ ଗଛ ସାମ୍ନାରେ ଥିବା ଜାଗାରେ ଏକ ଛୋଟ କୁଡ଼ିଆଟିଏ ତିଆରି କରିଛନ୍ତି । ପିତାମ୍ବରଙ୍କ ପାଖରେ ନା ଅଛି ଆଧାରକାର୍ଡ ,ନା ଅଛି ରାସନ କାର୍ଡ । ସରକାରଙ୍କ ଦସ୍ତାବିଜରୁ ସେ ସମ୍ପୁର୍ଣ୍ଣ ନିଖୋଜ ହୋଇ ଯାଇଛନ୍ତି । ସାହି ,ପଡିଶା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ବଞ୍ଚିଛନ୍ତି ପିତାମ୍ବର ଏବଂ ତାଙ୍କର ମାନସିକ ବିକାରଗ୍ରସ୍ତ ପୁଅ ।
ପରିବାର ପ୍ରତିପୋଷଣ ପାଇଁ ପିତାମ୍ବରଙ୍କ ପାଖରେ ସେ ସାମର୍ଥ୍ୟ ନାହିଁ । ନା ତାଙ୍କ ଦେହରେ ଖଟିବାର ସେ ଶକ୍ତି ଅଛି ,ନା ମାନସିକ ବିକାରଗ୍ରସ୍ତ ପୁଅଟି ରୋଜଗାର କରି ପରିବାର ଚଳେଇବାର ସାମର୍ଥ୍ୟ ଅଛି । ତାଙ୍କ ପାଇଁ ସରକାରଙ୍କ ସାହାଯ୍ୟ ଓ ସହଯୋଗ ଅତ୍ୟନ୍ତ ଜରୁରୀ ହୋଇ ପଡିଛି ।
ଗ୍ରାମବାସୀ ମାନେ ତାଙ୍କର ଦୁଃଖକୁ ଦେଖି କିଛି ଶୁଖିଲା ଖାଦ୍ୟ ଓ ଚାଉଳ ସାଙ୍ଗକୁ ବସ୍ତ୍ରର ବ୍ୟବସ୍ଥା କରିଛନ୍ତି । ହେଲେ ତାହା ଚିରସ୍ଥାୟୀ ନୁହେଁ । ଏ ନେଇ ନା ପ୍ରଶାସନ କିଛି ବ୍ୟବସ୍ଥା କରୁଛି ,ନା ସ୍ଥାନୀୟ ରାଜନେତା । ତେବେ ତାଙ୍କୁ ତୁରନ୍ତ ଖାଦ୍ୟ ଯୋଗାଣରେ ଅନ୍ତର୍ଭୁକ୍ତ କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଗଛ ମୂଳରେ ଜୀବନ କଟାଉଥିବା ଅସହାୟ ବୃଦ୍ଧ ପିତାମ୍ବରଙ୍କ ପ୍ରତି କେବେ ସରକାରଙ୍କ ଦୃଷ୍ଟି ପଡୁଛି ଏବଂ ସରକାରଙ୍କ ଦସ୍ତାବିଜରେ କେବେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇ ସରକାରଙ୍କ ସମସ୍ତ ସୁବିଧା ମିଳି ପାରୁଛି ,ସେହି ଦିନକୁ ହିଁ ଅପେକ୍ଷା ।