News
WhatsApp Image 2023-10-04 at 17.25.00
samparksetu

ସାବଧାନ! ତୋଷାମଦକାରୀ ଙ୍କୁ

ସମାଜରେ ବିଭିନ୍ନ ପ୍ରକାର ର ବ୍ଯକ୍ତିବିଶେଷ ବାସ କରନ୍ତି। ବେଳେବେଳେ ସମସ୍ତଙ୍କର ଚିନ୍ତାଧାରା ସମାନ ନଥାଏ। କିନ୍ତୁ କିଛି ବ୍ଯକ୍ତି ଅଛନ୍ତି ଯେଉଁମାନଙ୍କଠାରେ ଅନ୍ଯ ର ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ। ନିଜର ସୁବିଧାହେତୁ ବା ନିଜସ୍ୱ ମତ ନଦେବା ପାଇଁ ଅନ୍ଯ ର ମତାମତ ଉପରେ ‘ହଁ’ ଭରିଥାନ୍ତି। ଏମାନଙ୍କ ପାଖରେ ବିଚାରଶକ୍ତି ନିହିତ ଥିଲେ ବି ନିଜର ସ୍ବାର୍ଥ କୁ ସର୍ବାଗ୍ରେ ରଖିଥାନ୍ତି। ନିଜ ର କିପରି ସୁବିଧା ହେବ- ଏହି ଚେଷ୍ଟା ସର୍ବଦା କରିଥାନ୍ତି।

ଏହିସବୁ ବ୍ଯକ୍ତି ସମାଜର ବିଭିନ୍ନ କ୍ଷେତ୍ର ରେ ଦେଖାଦେଇଥାନ୍ତି। ଚାକିରି, ରାଜନୀତି, ବ୍ଯବସାୟ, ସଂଗଠନ ଇତ୍ଯାଦି ରେ ଏମାନଙ୍କୁ ଦେଖିବାକୁ ମିଳେ। ମୁଖ୍ଯ ଙ୍କ ଆଗରେ ଖଚ ମିଛ ଯୋଡି ଏମାନେ ନିଜର ଆସ୍ଥାନ ସୁଦୃଢ କରିଥାନ୍ତି। ମାଲିକ ପାଖରେ ବିଶ୍ବାସଭାଜନ ହେବାପାଇଁ କିଛି ଆଖିଦୃଶିଆ ଗୌଣ କାମ କରିଥାନ୍ତି।

ପ୍ରତ୍ଯେକ ବ୍ଯକ୍ତି ସର୍ବଦା ନିଜର ପ୍ରଶଂସା ଶୁଣିବାକୁ ଚାହାନ୍ତି। ମାଲିକ ବା ବାଦ ଯିବେ କିପରି ? ସେ ସର୍ବଦା କିଛି କର୍ମଚାରୀଙ୍କ ଗହଣରେ ରହିବାକୁ ଭଲପାଆନ୍ତି। ଏହି ଗୋଳିଆ ପାଣିରୁ ତୋଷାମଦକାରୀ ମାନେ ଫାଇଦା ଉଠାନ୍ତି। ମାଲିକ ଖୋଜିଲା ମାତ୍ରେ ଏମାନେ ଉପସ୍ଥିତ ହୋଇଯାଆନ୍ତି। କେହି ନକରିବା ପୂର୍ବ ରୁ ସେ ଆଗୁଆ କରିନେବାକୁ ଚେଷ୍ଟାକରିଥାନ୍ତି। ଯଦି ନକରିପାରିଲେ ତେବେ ଅନ୍ଯ ସହଯୋଗୀଙ୍କ ର ସାହାଯ୍ଯ ନେଇଥାନ୍ତି। ମାଲିକ ଙ୍କୁ ‘ମୁଁ’ କରିଦେଲି ବୋଲି କହିଥାନ୍ତି। ଥରେ ମାଲିକଙ୍କ ର ଆଶୀର୍ବାଦ ଲାଭ କରିସାରିବାପରେ ଏମାନଙ୍କର ରଂଗ ବଦଳିବା ଆରମ୍ଭ ହୁଏ।

ମିଥ୍ୟା ପ୍ରଶଂସା ପ୍ରଭାବଶାଳୀ ହୋଇଥାଏ। ଅସୁବିଧା ର ନାଟକ କରି ମାଲିକଙ୍କ ପାଖରୁ ଅଯୌକ୍ତିକ ଉପାୟରେ ଅର୍ଥ ହାସଲ କରିଥାନ୍ତି।ଧୀରେ ଧୀରେ ଏମାନଙ୍କର ଅସୁରକ୍ଷିତତା ଦୂର ହେବାକୁ ବସେ। ଏମାନେ ସିଧାସଳଖ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ। କାରଣ ଏଥିରେ ତାଙ୍କର ଉଦ୍ଦେଶ୍ଯ ସାଧିତ ହୋଇନଥାଏ। ବରଂ ଏମାନେ ମାଲିକ କାନରେ ଫୁସୁ ଫୁସୁ କଥା କହିଥାନ୍ତି। ଏମାନେ ହେଲେ କାନକୁହା ଓ ଚୁଗୁଲିଆ। ଏମାନଙ୍କର ଏହିପ୍ରକାର କାର୍ଯ୍ଯକଳାପ ଯୋଗୁ କର୍ମକ୍ଷେତ୍ରରେ ସଂହତି ଓ ଏକତ୍ବବୋଧ ନଷ୍ଟ ହୋଇଥାଏ। ନିରୁତ୍ସାହିତ ବାତାବରଣ ରହିଥାଏ।

ତୋଷାମଦକାରୀ କେତେବେଳେ ନେତୃତ୍ବ ନେଇପାରନ୍ତି ନାହିଁ । ଏମାନେ କାହାକୁ ବିଶ୍ବାସ କରନ୍ତିନାହିଁ। ଚାଲ୍ ଧରାପଡିଯିବା ଭୟରେ କାହାକୁ ଅନୁଗାମୀ ରଖନ୍ତି ନାହିଁ।

ଚାଟୁକଥା ଶୁଣିବାକୁ ବହୁତ ଭଲ ଲାଗେ। କିନ୍ତୁ ଏଥିରେ ବେଳେବେଳେ ସତ୍ଯତା ଲୁଚିଯାଇ ସମ୍ପର୍କକୁ ଭବିଷ୍ଯତ ରେ ବିପଜ୍ଜନକ ସ୍ଥାନକୁ ନେଇଯାଇ କର୍ମକ୍ଷେତ୍ର ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଏ। କାରଣ ଏଥିରେ ଲାଭ ଓ କ୍ଷତି କୁ ହିଁ ନଜର କରାଯାଇଥାଏ। ଏକ ଲୁକ୍କାୟିତ ଏଜେଣ୍ଡା ଏଥିରେ ରହିଥାଏ। ଚାଟୁକାରଙ୍କର ଉପଦେଶ ପ୍ରତାରଣାକାରୀ ର ଉପଦେଶ ପରି ମନେହୁଏ।

ଯେଉଁ ବ୍ଯକ୍ତିର ପାଖରେ କମ୍ ଆତ୍ମବିଶ୍ୱାସ ଥାଏ ସେହି ବ୍ଯକ୍ତି ନିଜକୁ ଅଧିକ ଶକ୍ତିଶାଳୀ ପ୍ରତିପାଦିତ କରିବା ପାଇଁ ଏବଂ ମାଲିକ ର ଅନୁମୋଦନ ହାସଲ ପାଇଁ ତୋଷାମଦ କଥାକୁ ବ୍ୟବହାର କରିଥାନ୍ତି।

କମ ଆତ୍ମପ୍ରତ୍ୟୟ ଥିବା ବ୍ଯକ୍ତି ଯେତେବେଳେ ନିଜର ପ୍ରଶଂସା ଶୁଣିଥାନ୍ତି ସେତେବେଳେ ନିଜ କୁ ବିଶ୍ବାସ କରିପାରନ୍ତିନି। ସେ ଭଲଭାବରେ ଏ ବିଷୟ ରେ ଜାଣିଥାନ୍ତି ଯେ ସେ ପ୍ରଶଂସା ର ଯୋଗ୍ଯ ନୁହଁନ୍ତି। କିଛି ଚାଟୁକାର ଙ୍କ ଉଦ୍ଯମ ଯୋଗୁ ମାଲିକ ବୋକାବନିଯାଏ ଓ କିଛି ସମୟ ପାଇଁ ତାଙ୍କର ଆତ୍ମ ବଡ଼ିମା ବଢିଥାଏ।

ଯେତେବେଳେ ପ୍ରଶଂସା ପ୍ରେରଣାଦାୟୀ ତଥା ଉତ୍ସାହ ଯୁକ୍ତ ଓ ତୋଷାମଦ ପ୍ରଭାବ ରୁ ମୁକ୍ତ ହୋଇଥାଏ ସେତେବେଳେ ଏହା କର୍ମକ୍ଷେତ୍ର ରେ ସୃଜନଶୀଳତା ସୃଷ୍ଟି କରିଥାଏ ଓ ବାସ୍ତବତା ର ଅନୁଭବ ଆଣିଥାଏ। ସମସ୍ତଙ୍କ ମନରେ ସକରାତ୍ମକ ଭାବନା ର ବୃଦ୍ଧି ପାଇଥାଏ ଓ ଲକ୍ଷ୍ଯ ହାସଲ କରିବାକୁ ସୁବିଧାଜନକ ହୋଇଥାଏ।

ସଂପର୍କରେ ସତର୍କତା ଅବଲମ୍ବନ ଜରୁରୀ। କୃତଜ୍ଞତା ଓ ସାଧୁତା କୁ ପରଖି ବା ବି ଦରକାର।ଯେଉଁମାନେ ସତ୍ୟ କୁହନ୍ତି ନାହିଁ ସେହି ଲୋକମାନଙ୍କ ପ୍ରତି ସାବଧାନ ରହିବା ଉଚିତ୍।

ଯିଏ ପ୍ରତାରଣା କରେ ସେ ଛଦ୍ମବେଶ ଧାରଣ କରିଥାଏ। ସେପରି ବ୍ଯକ୍ତି ଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ। ସେ ଶଠତା ଦ୍ବାରା ଆଚ୍ଛାଦିତ।

ଦିନେ ନା ଦିନେ ସତ୍ଯ ପଦାକୁ ଆସେ ଓ ଯିଏ ଗାତ ଖୋଳିଥାଏ ସେଥିରେ ସେ ହିଁ ପଡ଼େ। ହୁଏତ ଏହା ଭିତରେ କର୍ମକ୍ଷେତ୍ରରେ କିଛି ନୈରାଶ୍ଯ ସୃଷ୍ଟି ହୋଇଯାଇଥିବ ଓ କିଛି କ୍ଷତି ବି ହୋଇସାରିଥିବ।

ତେଣୁ ତୋଷାମଦକାରୀ ଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ଦୂରେଇ ରହିବା ନିତାନ୍ତ ଜରୁରୀ।

✍️ଅକ୍ଷୟ କୁମାର ମିଶ୍ର

new life
You might also like
error: Content is protected !!