News
WhatsApp Image 2023-10-04 at 17.25.00
samparksetu

” ସ୍ୱାର୍ଥ “

ଆକାଶରେ ଦଳେ ଶୁଆ କଲରବ କରି ଉଡି ଯାଉଥିଲେ।ଏହି ସମୟରେ ରାମବାବୁଙ୍କ ପିଞ୍ଜରାରେ ଥିବା ଶୁଆଟି ଚିତ୍କାର କରିଉଠିଲା। ଶୁଆଙ୍କୁ ଦେଖି “ଅତାହାସ୍ୟ କରିବା ସହିତ….ଖୁବ ଜୋରରେ କହିବାକୁ ଲାଗିଲା “ଶ୍ରୀ ଶ୍ରୀ ଚକ୍ରଧର ପକ୍ଷୀ ଜନମରୁ ପାର କର ହେ କମଳାର ବର”…ଏ କଥା ଶୁଣି ଆକାଶରେ ଉଡି ଯାଉଥିବା ଶୁଆ ପଲର ଦଳପତି କହିଲେ…. ରୁହ ରୁହ ଆମ ଜାତି ଭାଇରୁ କିଏ…ମଣିଷ ଭଳି କଥା କହୁଛି।ଗଛରେ ବସି ପଡିଲେ ଶୁଆ ପଲ।
      

ଗଛରେ ଥାଇ ଶୁଆଙ୍କ ଦଳପତି କହିଲେ “ହେ ବନ୍ଧୁ…ତୁମେ ଏ ପିଞ୍ଜରାରେ ରହି…କି ସୁଖ ପାଉଛ… ପୁଣି ମଣିଷ ଭଳି କଥା କହୁଛ… ନିଜ ଧର୍ମ ପରିତ୍ୟାଗ କରି ଏଭଳି ମଣିଷ ମାନକୁ ଅନୁକରଣ କରିବା ପରଧର୍ମ ଗ୍ରହଣ କରିବା ଅନୁଚିତ।
 

ପିଞ୍ଜରାରେ ଥିବା ଶୁଆ ମନରେ ଭାରି ଗର୍ଵ ଥିଲା…କାରଣ ସେ ମଣିଷ ଭଳି କଥା କହି ପାରୁଥିଲା। ଦଳପତି ଙ୍କ କଥା ଶୁଣି ତାର ଅହଂକାର ବଢିଗଲା।ସେ କହିଲା….ତୁମେମାନେ ସବୁ ମୂର୍ଖ….ବଣ ଜଙ୍ଗଲରେ ରହିବା ଦ୍ୱାରା ତୁମର କୌଣସି ବୁଦ୍ଧି ଭ୍ରଷ୍ଟ ହୋଇଛି…. ମୁଁ ଶିକ୍ଷିତ…ମଣିଷ ମାନଙ୍କର କଥା କହି ପାରୁଛି।

 
ନିଜକୁ ନିଜେ ପିଞ୍ଜରାରେ ରହି ଶୁଆ ଟିର ଅହଂକାର ବଢି ଯାଇଥିଲା।ଦଳପତି କହିଲେ… ହେ ପଣ୍ଡିତ ପ୍ରବର….ତୁମେ କେବଳ ଅନୁକରଣ କରୁଛ…ତୁମର ନିଜସ୍ୱ କୌଣସି ବୁଦ୍ଧି ନାହିଁ…ତୁମେ ହେଉଛ ବନ୍ଦୀ…ଏ ଛୋଟ ପିଞ୍ଜରାରେ ରହି ଏ ବିଶାଳ ଆକାଶର ନିଳିମା ଚିରି ଉଡିବାର ସ୍ୱାଧୀନତା ଉପଭୋଗ ପାଇ ପାରିବ ନାହିଁ”।
     
ମୁଁ ଏଠି ରହି ଦୁଗ୍ଧ ପାନ କରୁଛି…ମିଷ୍ଟାନ୍ନ ଖାଇବା ସହିତ ଭାତ ଡାଲି ଫଳ ମୂଳ ଖାଇ ଆନନ୍ଦରେ ହରି ନାମ ଜପ କରୁଛି।
    
ତୁମେ ଭୁଲି ଯାଉଛ ନ ଉଡିବା ଦ୍ୱାରା ତୁମର ଡେଣା ଉଡିବାର କ୍ଷମତା ହରାଇଛି….ଯେଉଁ ଖାଦ୍ୟ ନ ଖାଇବା କଥା ସେ ଖାଦ୍ୟ ଖାଇ ନିଜକୁ ରୋଗଗ୍ରସ୍ତ କରି ଦେଇଛ…ଏ ପିଞ୍ଜରା ପରିତ୍ୟାଗ କରି ଖୋଲା ଆକାଶ କୁ ଚାଲିଆସ।ମଣିଷ ବହୁତ ସ୍ୱାର୍ଥପର….ଯେଉଁଦିନ ତାଙ୍କ କଥା ତୁମେ ନ କହିବ ସେଦିନ ତୁମକୁ ସେ ତଡିଦେଵ ,ତା ପରେ କୁଆଡେ ଯିବ।
    
ପିଞ୍ଜରାରେ ଥିବା ଶୁଆ ଟି ବହୁତ ହସିଲା…ଉପହାସ କଲା….
ରାତିରେ ଟିକେ ଚିନ୍ତା କଲା….ଦଳପତି ଠିକ କହୁଥିଲେ କି….ମୋ ଇଚ୍ଛାରେ ନା ମୁଁ ଖାଇ ପାରୁଛି ନା ଉଡି ପାରୁଛି…ଏ ପିଞ୍ଜରାରେ ରହି ବହୁତ ଚିନ୍ତା ଲାଗିଲାଣି….ଦେଖିବା ସତ କଣ…. କାଲିଠାରୁ ମୁଁ କିଛି କହିବି ନାହିଁ…. ଦେଖିବା କଣ ହେଉଛି….
    
ସତକୁ ସତ….ଶୁଆଟି ଆଉ ଶ୍ରୀ ଶ୍ରୀ ଚକ୍ରଧର…. କି ଘରର ମାଲିକ,ମାଳିକିଆଣି,ପୁଅ,ଝିଅଙ୍କ ନାମ ଉଚ୍ଚାରଣ କଲା ନାହିଁ…. ଦିନେ ଗଲା ଦି ଦିନ ବେଳକୁ ଠିକରେ ଖାଇବାକୁ ମିଳିଲା ନାହିଁ…. ମାଳିକିଆଣି କହିଲେ”ଏଟା ଖାଲି ଖାଉଛି…କିଛି ବି କଥା କହୁନାହିଁ… ଆଉ ଏଟାକୁ ଖାଇବାକୁ ଦିଅ ନାହିଁ” ଶୁଆ ଆଖିରୁ ଟପଟପ ହୋଇ ଲୁହ ଗୁଡିକ ଗଳି ପଡ଼ିଲା। ଏ ମାଲିକିଆଣିଙ୍କୁ ଦେଖିବା ମାତ୍ରେ ମାଆ ମାଆ ବୋଲି ଡ଼ାକ ପକାଏ….ଆଜି ଡାକିଲି ନାହିଁ ବୋଲି… ଏତେ କଥା।

ପୁଅ ଗୋଟେ କାଠି ଆଣି ଶୁଆ କୁ ଗେଂଜିବାରେ ଲାଗିଲା… କହ କହ ଡ଼ାକ ଡ଼ାକ ମାଆ… ବାପା… ଡ଼ାକ ଡ଼ାକ। ଝିଅ ପିଞ୍ଜରାଟାକୁ ଘିର ଘିର ବୁଲେଇ କହିଲା…ମରୁନୁ ଯାହା…ତୋତେ ରଖି ଲାଭ କଣ।

ଶୁଆର ମନ ମରିଗଲା…ସେ ସତକୁ ସତ  ଖାଇବା ଛାଡିଦେଲା…
  ଦିନେ ମାଲିକ ବିରକ୍ତ ହୋଇ ପିଞ୍ଜରା ଦ୍ୱାର ଖୋଲିଦେଲେ…ଏକା ନିଶ୍ଵାସ ରେ ସେ ଉଡ଼ିଗଲା…. ତାକୁ ବାହାରିବା ମାତ୍ରେ ଦଳେ କୁଆ କୁଆଡ଼େ ଥିଲେ…. ତାକୁ ଗୋଡେଇ ଗୋଡେଇ ଖୁମ୍ପିବାକୁ ଲାଗିଲେ…. ସେ ବେଶି ବାଟ ଉଡି ପାରିଲା ନାହିଁ… କୁଆଙ୍କ ମିଳିତ ଆକ୍ରମଣରେ ଶୁଆର ଜୀବନ ଚାଲିଗଲା।

ଗଛ ଡାଳରେ ଥିବା ଅନ୍ୟ ଶୁଆ ମାନେ ଚିତ୍କାର କରୁଥିଲେ।
ଦଳ ପତି କହିଲେ…. ଏ ହେଉଛି ସ୍ୱାର୍ଥ।

✍️ ଅଶୋକ ମହାରଣା

new life
You might also like
error: Content is protected !!