ଘର ଠାରୁ ମଶାଣି ର ରାସ୍ତା
ଲମ୍ବିଯାଇଛି ଦୂରକୁ ଦୂରକୁ
ଭୟ ର ଚଦର କୁ ଘୋଡେଇ ହୋଇ
ଶୋଇଯାଇଛି ନିଶ୍ଚିନ୍ତ ନିଦରେ।
ହଠାତ୍ ଭାଙ୍ଗିଗଲା ନିଦ ତାର
ଚେଇଁଉଠିଲା ଶୁଣି କିଛି
ପଦଚାଳନା ର ଶବ୍ଦ।
ସହାୟତା ର ହାତ ଆଜି ବନ୍ଧା
ନାହିଁତ ଉତ୍ତର
ବାତାୟନ ଖୋଲା ଆଜି
ଉଙ୍କି ମାରୁଛି ସନ୍ଦିଗ୍ଧ ନୟନ ।
ଅବାକ୍ ଏ ରାସ୍ତା !
କିଏ ସେ ପଥିକ
ଏ ଅଫେରନ୍ତା ରାସ୍ତା ର ?
ବୀତସ୍ପୃହ ଆଜି
ରିକ୍ତ ହସ୍ତ ତାର
ମୁଦ୍ରିତ ତା ଆଖି
ଖୋଲିବାକୁ ଇଚ୍ଛା ନାହିଁ
ଫେରିଚାହିଁବାକୁ ଅନିଚ୍ଛୁକ
କର୍ଣ୍ଣପାତ ହେଲା ନାହିଁ
ଅନେକ ଆକୁଳ କ୍ରନ୍ଦନ ।
ସ୍ମୃତି ସବୁ ଛାଡିଦେଲା
ସାଉଁଟିଲା ଆଖି ର ଲୋତକ
ଭଙ୍ଗା ଚୁଡି ର ଖଣ ଖଣ ଶବ୍ଦ
ଅସ୍ପଷ୍ଟ ହୋଇ ଭାସିଗଲା ।
ସୁଖ ଓ ସମ୍ଭୋଗ କୁ କଲା ହତାଦର
ଛିନ୍ନ କଲା ସାଂସାରିକ ମାୟା
ମୂଲ୍ଯହୀନ ଆଜି ସମ୍ପର୍କ ର ପରିଭାଷା
ଯାତ୍ରୀ ସେ ଆଜି ମହାପ୍ରୟାଣ ର !
✍️ ଅକ୍ଷୟ କୁମାର ମିଶ୍ର