News
WhatsApp Image 2023-10-04 at 17.25.00
samparksetu

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ବାପା ମାଆ ଛେଉଣ୍ଡ ୪ ଅନାଥ

ଜୀବନ ରୂପକ ନୌକାରେ ବଞ୍ଚିବା ପାଇଁ ସଂଘର୍ଷ କରି ଶେଷରେ ମଙ୍ଗ ଧରିବାରେ ହାରିଗଲେ ମଙ୍ଗରାଜ । ଆଉ ବାକି ରହିଥିବା ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡିଥିଲେ ଶଶି । ହେଲେ ବିଧିର ବିଧାନ କେକରିବ ଆନ । ବୈଶାଖର ଡହ ଡହ କାଳରୂପୀ କରୋନାର ବ୍ୟାଧିରେ ଆରପାରିକି ଚାଲିଗଲେ ସେ । ଏବେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ବାପା ମାଆ ଛେଉଣ୍ଡ ୪ ଅନାଥ ଶିଶୁ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ଅନ୍ତର୍ଗତ ଗଇଲୋ ଗାଁ । ଗାଁର ହରିଜନ ସାହିରେ ବାସ କରୁଥିଲେ ମଙ୍ଗରାଜ ବେହେରା ଏବଂ ସ୍ତ୍ରୀ ସସ୍ମିତା ବେହେରା । ତାଙ୍କର ରହିଥିଲେ ୪ ଗୋଟି ସନ୍ତାନ ମୋନାଲିସା,ପ୍ରିୟତମା ,ମନସ୍ମିତା ଏବଂ ମୃତ୍ୟୁଞ୍ଜୟ । ମଙ୍ଗରାଜ କଟକରେ ରହି ଏକ ପ୍ରାଇଭେଟ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ୨୦୧୫ ମସିହାରେ ହଠାତ ତାଙ୍କର ଦେହ ଖରାପ ହେବାକୁ ଲାଗିଲା । ଢେଙ୍କାନାଳ ଓ ଅନୁଗୁଳ ହସ୍ପିଟାଲ ପରେ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଲେ । ସେଠାରେ ସେ କ୍ୟାନସର ରୋଗରେ ପୀଡିତ ହୋଇଥିବା ରିପୋର୍ଟ ମିଳିଥିଲା । ଫଳରେ ଯାହା କିଛି ସଞ୍ଚୟ କରିଥିଲେ ଏବଂ ନିଜର ଜମିବାଡ଼ି ଯାହା ଥିଲା ତାହାକୁ ବିକ୍ରୟ କରି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଲେ ।

ମାତ୍ର ଶେଷରେ ସେ ହାରିଗଲେ । ୨୦୧୭ ମସିହା ସେପ୍ଟେମ୍ବର ମାସ ୧୦ ତାରିଖ ଦିନ ଆରପାରିକି ଚାଲିଗଲେ ମଙ୍ଗରାଜ । ଚାରି ଚାରିଟି ଛୁଆଙ୍କୁ ନେଇ ଚଳେଇବା ସ୍ତ୍ରୀ ସସ୍ମିତାକୁ କଷ୍ଟକର ହୋଇ ପଡ଼ିଲା । ବାଧ୍ୟ ହୋଇ ସେ ଦିନ ମଜୁରିଆ କାମ କରି ଚାରି କୋମଳମତି ଛୁଆଙ୍କ ମୁହଁରେ ହସ ଦେଇଥିଲେ ।

କିନ୍ତୁ ସେ ହସ ଯେ କ୍ଷଣସ୍ଥାୟୀ କେହି ଜାଣି ନଥିଲେ । କରୋନାର କରାଳ ରୂପରେ ଫସିଗଲେ ସସ୍ମିତା । କୋଭିଡ ପଜିଟିଭ ଚିହ୍ନଟ ପରେ ତାଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥିତ ସରକାରୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଚଳିତ ବର୍ଷ ଜୁନ ମାସ ୭ ତାରିଖ ଦିନ ଚିରନିଦ୍ରାରେ ଶୋଇଗଲେ ସସ୍ମିତା । ୪ ଅନାଥ ଶିଶୁ ଏବେ ବାପା ମାଆଙ୍କୁ ଝୁରୁଛନ୍ତି ।

ବଂଚିବା ପାଇଁ ସେମାନେ ରାହା ଖୋଜୁଛନ୍ତି । ଏବଂ ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି ।ସତରେ ଭଗବାନଙ୍କ ଭାରି ବିଚିତ୍ର ଲୀଳା । ଜୀବନ କଣ ବୁଝିବା ପୂର୍ବରୁ ଛୁଆ ମାନେ କଷ୍ଟ କଣ ତାହା ଅନୁଭବ କରି ପାରୁଛନ୍ତି ।

ଆଜିବି କୁନି ପୁଅ ମୃତ୍ୟୁଞ୍ଜୟ ଜାଣିନି ତାର ମାଆ ଆଉ ଏ ଦୁନିଆଁରେ ନାହିଁ ବୋଲି । ସେ ଭାବିଛି ମାଆ ମେଡ଼ିକାଲକୁ ଯାଇଛି । ଭଲ ହୋଇ ଘରକୁ ଫେରିବ । ବୃଦ୍ଧ ଜେଜେବାପା ଓ ଜେଜେମାଆ ; ସେମାନେ ନିଜେ ଚଳିବା ପାଇଁ ଅସମର୍ଥ । ବୟସର ଅପରାହ୍ନର କଷଟିରେ ସେମାନେ ଚାପି ହୋଇ ଯାଇଛନ୍ତି । ଏବଂ ସେମାନେ ଭଗବାନଙ୍କୁ ହାତ ଟେକି ଦେଇଛନ୍ତି । ପୁଅ ବୋହୂର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ଛୁଆଙ୍କ ପାଇଁ ସରକାରଙ୍କୁ ଭିକ୍ଷା ମାଗୁଛନ୍ତି ।
କରୋନାର କରାଳ ରୂପରେ କେବଳ ସସ୍ମିତା ଚାଲି ଯାଇନାହାନ୍ତି । ବରଂ ଚାରି ଅନାଥ ଶିଶୁଙ୍କ ଭାଗ୍ୟକୁ ଅନ୍ଧକାର ଭିତରକୁ ଟାଣି ନେଇଛି

ଏ ନେଇ ଆମେ ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ ଅଧକ୍ଷଙ୍କ ସହିତ ଯୋଗାଯୋଗ କରିବା ପରେ ସେ ତାଙ୍କର ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏବଂ ତୁରନ୍ତ ସରକାର ଏହି ୪ ଅନାଥ ଶିଶୁଙ୍କ ଦାୟିତ୍ୱ ନେବାକୁ ସେମାନେ ଦାବି କରିଥିଲେ ।

new life
You might also like
error: Content is protected !!