News
WhatsApp Image 2023-10-04 at 17.25.00
samparksetu

ବଳିଦାନର ଏକ ପର୍ବ “ଈଦ୍-ଉଲ୍ ଅଜହା”

ଇଦ୍-ଉଲ୍-ଅଜହା ହେଉଛି ବଳିଦାନର ଏକ ପର୍ବ ଯାହାକି ଇଦ୍-ଉଲ୍-ଫିତରର ପ୍ରାୟ ଦଶ ସପ୍ତାହ ପରେ ପଡେ ଏବଂ ହଜ୍ (ମକ୍କାର ପବିତ୍ର ତୀର୍ଥଯାତ୍ରା) ର ସମାପ୍ତିକୁ ଚିହ୍ନିତ କରେ। ଏହା ହେଉଛି ବଳିଦାନର ପର୍ବ ଯାହାକି ହଜରତ ଇବ୍ରାହିମ ଏବଂ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କ ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ ।

କିପରି ହଜରତ ଇବ୍ରାହିମ ତାଙ୍କ କୋଳାଗ୍ରତ ଶିଶୁପୁତ୍ର ହଜରତ ଇସମାଇଲ ଏବଂ ନିଜ ଧର୍ମପତ୍ନୀ  ହଜରତ ହାଜରାଙ୍କୁ ଅଲ୍ଲାହତାଲାଙ୍କ ଇଚ୍ଛା ଅନୁଯାୟୀ ଅନାବାଦୀ ମରୁଭୂମିରେ ଛାଡି ଆସିଥିଲେ। ପୁଣି ପରବର୍ତ୍ତୀ ସମୟରେ ଯେତେବେଳେ ସେହି ଶିଶୁପୁତ୍ରକୁ ବଳି ଦେବାର ସମୟ ଆସିଲା, ହଜରତ ଇବ୍ରାହିମ ତଥା ସେହିପୁତ୍ର ସ୍ୱୟଂ ହଜରତ ଇସମାଇଲ ଉକ୍ତ ବଳିଦାନ ପାଇଁ ପ୍ରସ୍ତୁତ ହୋଇଗଲେ। ତା’ପରେ ଅଲ୍ଲାହତାଲାଙ୍କ ଆଦେଶ ଅନୁଯାୟୀ ଶିଶୁପୁତ୍ର ପ୍ରତିବଦଳରେ ଏକ ପଶୁକୁ ବଳି ଦିଆଗଲା ….. ଇତ୍ୟାଦି ….. ସମସ୍ତେ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ତେଣୁ ମୁଁ ସେହି କାହାଣୀକୁ ଏଠାରେ ବ୍ୟାଖ୍ୟା କରିବି ନାହିଁ ।

ସମୟର ବିଡମ୍ବନା ଯେ ଆଜି ସମାଜ କେବଳ ସେହି ପଶୁ ବଳିଦାନ ପ୍ରଥାଟିକୁ ମନେ ରଖିଛି । ଏହା ଜାଣିରଖିବା ଉଚିତ ଯେ, ଏହି ବଳିଦାନ କେବଳ ପଶୁ ବଳିଦାନର ନାମ ନୁହେଁ, ବରଂ ତାହାଠାରୁ ଅଧିକ ନିଜ ଭିତରେ ଥିବା ପଶୁପଣିଆ, ଲୋଭ,ମୋହ ତଥା କ୍ରୋଧର ବଳିଦାନର ନାମ ଅଟେ । ଅଲ୍ଲାହାତାଲା ପବିତ୍ର କୁରାନରେ ବର୍ଣ୍ଣନା କରିଛନ୍ତି “ତୁମ କୁର୍ବାନିର (ବଳିଦାନର) ମାଂସ ନା ଅଲ୍ଲାହଙ୍କ ନିକଟରେ ପହଞ୍ଚେ, ନା ସେମାନଙ୍କ ରକ୍ତ ପହଞ୍ଚେ, କେବଳ ତୁମର ତକୱା (ତୁମର ଆସ୍ଥା, ବିଶ୍ୱାସ,ଈମାନ) ଆଲ୍ଲାହାଙ୍କ ନିକଟରେ ପହଞ୍ଚେ…” ଯେ ତୁମେ କେତେ ଧର୍ମପରାୟଣ, କେତେ ସଦାଚାରି। କେବଳ ପଶୁବଳି ଏହି ଇଦର ଉଦ୍ଦେଶ୍ୟ ନୁହେଁ , ବରଂ ଭୋକିଲାକୁ ଖାଇବାକୁ ଦେବା, ନିଜ ଭୋକଉପରେ ଦରିଦ୍ରଙ୍କ ଭୋକକୁ ପ୍ରାଧାନ୍ୟ ଦେବା, ତୃଷାରେ ବ୍ୟାକୁଳ ତୃଷାର୍ତ୍ତଙ୍କ ତୃଷା ନିବାରଣ କରିବା,ନିଜ ଭୋକ ଶୋଷର ବଳିଦାନ ଦେବା। ଅସହାୟ ଙ୍କୁ ସହାୟ ହେବା।

ଅନାଥ,ବିଧବା ତଥା ଦରିଦ୍ରଙ୍କ ସେବାପାଇଁ ଆଗେଇ ଆସିବା, ଅଲ୍ଲାହ୍ ଙ୍କ ଛାମୁରେ ଆତ୍ମସମର୍ପଣ କରି ତା’ର ଆଜ୍ଞା ପାଳନ କରିବା ତଥା ମାନବସେବା ଓ ଜୀବକଲ୍ୟାଣ ପାଇଁ ଯଥାସମ୍ଭବ ପ୍ରୟାସ କରିବା, ନିଜ ଭିତରେ ଥିବା ପଶୁପଣିଆକୁ ବଳିଦେଇ ଧର୍ମପରାୟଣ ହୋଇ ସମାଜସେବାରେ ଆଗେଇ ଚାଲିଲେ ବଳିଦାନର ଏହି ସୁନ୍ଦର ପର୍ବର ମହାନ ଉଦ୍ଦେଶ୍ୟ ପୁର୍ଣ୍ଣ ହୁଅନ୍ତା।
ଏଥର ଈଦରେ ଏହି ଅନୁଗ୍ରହ କରନ୍ତୁ,
ନିଜ ପଶୁପଣିଆକୁ ମଧ୍ୟ ବଳି ଦିଅନ୍ତୁ
*ଇଦ୍ ମୁବାରକ* 

✍️ଅନସାର ଅଲି ଖାନ

new life
You might also like
error: Content is protected !!