News
WhatsApp Image 2023-10-04 at 17.25.00
samparksetu

“ଢେଙ୍କାନାଳ ମୋର ଜନମଭୂଇଁ”

ଢେଙ୍କାନାଳ ମୋର ଜନମଭୂଇଁ
ମୋ’ ମାଟି ମାଆର ତୁଳନା ନାହିଁ,
ନଈ ନାଳ କ୍ଷେତ ବଣ ପରବତ
ସବୁଜିମା ଭରା ପାହାଡଭୂଇଁ।
ଢେଙ୍କାନାଳ…
ସାତ ପରବତ ମାଳା ଶିଖର
କପିଳାସ ରୂପ ଶୋଭା ଆଧାର,
ମାଆର ମୁକୁଟ ପରାୟେ ଶୋଭଇ
ଭାଷାରେ ବର୍ଣ୍ଣିବା ସହଜ ନୋହି।

ଢେଙ୍କାନାଳ…
ସପ୍ତଶଯ୍ୟା ଗିରି କନ୍ଦର ଶୋଭା
ତା’ ବନଝରଣା କି ମନଲୋଭା!
ସ୍ଵଛ ଶୀତଳ ନିରିମଳ ଜଳ
କୁଳୁ କୁଳୁ ତାନେ ଯାଉଛି ବହି।
ଢେଙ୍କାନାଳ…
ବ୍ରାହ୍ମଣୀ ସାପୁଆ ତୋ’ ଦେହେ ବହି
ତୋଷେ ତୀରବାସୀ ଜଳ ଯୋଗାଇ,
ତୀରେ ତୀରେ ତୀର୍ଥ ଦେବାଳୟ ପୀଠ
ଅତୀତ କୀରତି ସୁମରି ଥାଇ।

ଢେଙ୍କାନାଳ…
ଭୂଗୋଳରେ ଢେଙ୍କାନାଳର ମାନ
ଉତ୍କଳର ମଧ୍ୟ ଭାଗେ ତା’ ସ୍ଥାନ,
ବନ୍ୟା ବାତ୍ୟା ଭୟ ନାହିଁ ବିପର୍ଯ୍ୟୟ
ଶସ୍ୟ ଶ୍ୟାମଳା ସୁନା ଫଳଇ।
ଢେଙ୍କାନାଳ…
ଯୋରନ୍ଦାର ଶ୍ରେଷ୍ଠ ମହିମା ମଠ
କପିଳାସେ ଚନ୍ଦ୍ରଶେଖର ପୀଠ,
ଗଡ଼ ଢେଙ୍କାନାଳେ ସିଦ୍ଧ ବଳରାମ
ଆରାଧ୍ୟ ଦେବତା ରାଇଜ ପାଇଁ।

      ଢେଙ୍କାନାଳ...

ଯା’ର ଇତିହାସ ବିଶ୍ୱ ବନ୍ଦିତ
କନିଷ୍ଠ ସହୀଦ ବାଜି ରାଉତ,
ଗୁଳି ଆଗେ ଛାତି ଦେଇଥିଲା ପାତି
ଶତୃ ଆଗେ ମଥା ନଇଁଲାନାହିଁ।
ଢେଙ୍କାନାଳ…
ଗଡ଼ଜାତ ଗାନ୍ଧୀ ସାରଙ୍ଗ ଧର
ସ୍ୱରାଜ ସଂଗ୍ରାମେ ବୀର ପ୍ରବର,
ପ୍ରଜା ଆନ୍ଦୋଳନେ ଚେତାଇଲେ ମନେ
ଅନ୍ୟାୟ ଶାସନ ଚଳିବ ନାହିଁ।

     ଢେଙ୍କାନାଳ...

କବି ଦୀନକୃଷ୍ଣ ଅମର କୃତି
ବ୍ରଜନାଥ ମହା ସାହିତ୍ୟ ରଥୀ,
ଏ ମାଟି ଗୌରବ ଆମର ଗରବ
ସାହିତ୍ୟ ସୃଜନୀ ଉପମା ନାହିଁ।
ଢେଙ୍କାନାଳ…
ବାରମାସେ ଏଠି ତେର ପରବ
ଗଜଲକ୍ଷ୍ମୀ ପୂଜା ଆମ ଗୌରବ,
ଧରମ ସଂସ୍କୃତି ଭାଇଚାରା ପ୍ରୀତି
କଳା ସଂସ୍କୃତିର ତୁଳନା ନାହିଁ।
ଢେଙ୍କାନାଳ…

✍️ ବିନୟ କୁମାର ସାମଲ
ବେଡାପଡା, ହିନ୍ଦୋଳ, ଢେଙ୍କାନାଳ

new life
You might also like
error: Content is protected !!