News
WhatsApp Image 2023-10-04 at 17.25.00
samparksetu

ଜନ୍ମଭୂମି ପ୍ରତି ପ୍ରେମଭାବନା

ଜନ୍ମଭୂମି ପ୍ରତି ପ୍ରେମଭାବନା

✍️ ଅନସାର୍ ଅଲୀ ଖାଁ

ବନ୍ଧୁଗଣ ! ପ୍ରେମ ହେଉଛି ଏକ ମାନବିକଗୁଣ ଯାହା ମାନବ ଜୀବନକୁ ସାର୍ଥକ କରିଥାଏ । ଏହି ମାନବୀୟଗୁଣ ବିଭିନ୍ନ ରୂପରେ ଝଟକିଥାଏ। କେତେବେଳେ ପାରିବାରିକ ପ୍ରେମ, କେବେ ଜାତିଗତ ପ୍ରେମ, କେବେ ବନ୍ଧୁମାନଙ୍କ ପାଇଁ ପ୍ରେମ ଏବଂ ବେଳେବେଳେ ଦେଶ କିମ୍ବା ମାତୃଭୂମି ପାଇଁ ପ୍ରେମ । କେବଳ ମଣିଷ ନୁହଁନ୍ତି ବରଂ ପଶୁ ଏବଂ ପକ୍ଷୀମାନେ ମଧ୍ୟ ନିଜ ମାତୃଭୂମିକୁ ଅଗାଢ ପ୍ରେମ କରିଥାନ୍ତି । ତେବେ ମନୁଷ୍ୟ ଭଲା ଏଥିରୁ କିପରି ପୃଥକ ହୋଇପାରିବ? ନିଜ ଜନ୍ମଭୂମିକୁ କିଏ ବା ଭଲ ନ ପାଏ। ଯାହା ବକ୍ଷରେ ପାଦଥାପି ମଣିଷଟିଏ ଜନ୍ମନିଏ, ଯାହାର ମାଟି, ପାଣି ପବନରେ ବଡ଼ ହୋଇଥାଏ, ଯାହାର ଫଳମୂଳ ଶସ୍ୟକୁ ଆହାର କରି ଜୀବନ ନିର୍ବାହ କରେ, ପରିଶେଷରେ ଯାହାଉପରେ ବସତି ସ୍ଥାପନା କରି ସୁରକ୍ଷିତ ରହେ ତାକୁ ସୁରକ୍ଷା ଦେବା ଆମର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଏହାକୁ କୁହାଯାଏ ଦେଶପ୍ରେମ। ଜନନୀ ଜନ୍ମଭୂମି ସ୍ୱର୍ଗଠାରୁ ଉଚ୍ଚ ବୋଲି କୁହାଯାଏ। ସଂସ୍କୃତ ଶ୍ଲୋକରେ ବର୍ଣ୍ଣିତ ଅଛି “ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ଗରୀୟସୀ” ।

ବନ୍ଧୁଗଣ ! ଇସଲାମରେ ମାତୃଭୂମି ପ୍ରତି ପ୍ରେମ ଭାବନା ସହିତ ଜଡ଼ିତ କିଛି ବର୍ଣ୍ଣନା କରିବା ଏଠାରେ ମୋର ଲକ୍ଷ୍ୟ ।
ସମୟର ବିଡ଼ମ୍ବନା କୁହନ୍ତୁ ଯେ ଆଜି କିଛି ଅବିବେକ ତଥା ବିଧର୍ମୀ ବ୍ୟକ୍ତି କିମ୍ବା ଅସାମାଜିକ ସଂଗଠନ ଦ୍ୱାରା ଘଟୁଥିବା ଅପ୍ରୀତିକର ଘଟଣା ହେତୁ ଏହା ମନସ୍ଥ କରାଯାଏ ଯେ ଇସଲାମ ଦେଶପ୍ରେମର ଶିକ୍ଷା ଦିଏନାହିଁ ଅଥବା ମୁସଲମାନ ଦେଶପ୍ରେମୀ ନୁହଁନ୍ତି। ବରଂ ସତ୍ୟ ହେଉଛି ଏହି ଅପ୍ରୀତିକର ଘଟଣାର ଅପରାଧୀ ମାନଙ୍କର କୌଣସି ଧର୍ମ ନଥାଏ। କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ଏଭଳି ଜଘନ୍ୟ କାର୍ଯ୍ୟକୁ ଧର୍ମର ନାମ ଦେଇଥାଆନ୍ତି। ବାସ୍ତବତା ହେଉଛି ଯେ ଏହିପରି ବ୍ୟକ୍ତି ଏବଂ ସଂଗଠନର କୌଣସି ଧର୍ମ ସହିତ କିଛି ସମ୍ପର୍କ ନଥାଏ। ଇସଲାମଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ ସଲ୍ଲମଙ୍କର ମୁଖ ନିଃସୃତ ବାଣୀ “ହଦିସ୍” ରେ ବର୍ଣ୍ଣିତ ଅଛି “ହୁବ୍ବୁଲ୍ ୱତନେ ମିନଲ୍ ଈମାନ୍” ଅର୍ଥାତ୍ ଦେଶପ୍ରେମ ବିଶ୍ୱାସର ଏକ ଅବିଚ୍ଛେଦ୍ୟ ଅଂଶବିଶେଷ। ମାତୃଭୂମି ପ୍ରତି ପ୍ରେମର ଅନେକ ଉଦାହରଣ ଇସଲାମଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦଙ୍କ ଜୀବନ ଇତିହାସରେ ଦେଖିବାକୁ ମିଳେ ।

ଯେତେବେଳେ ଆପଣ ସତ୍ୟ ଶାନ୍ତି ଏବଂ ଏକଶ୍ବରବାଦର ଶିକ୍ଷା ଦେଲେ ଏବଂ ସତ୍ୟର ପ୍ରଚାର କରିବା ପ୍ରାରମ୍ଭ କଲେ ସେତେବେଳେ ଦୁଷ୍ଟ ଏବଂ ଅସାଧୁ ଲୋକମାନେ ଆପଣଙ୍କର ଚରମ ଶତ୍ରୁ ହୋଇଗଲେ, ମକ୍କାରେ ୧୩ ବର୍ଷ ପର୍ଯ୍ୟନ୍ତ,ଆପଣ ଏବଂ ଆପଣଙ୍କ ଅନୁଗାମୀମାନେ ଅତ୍ୟାଚାରର ଶିକାର ହୋଇଥିଲେ, ବର୍ଷ-ବର୍ଷ ଧରି ସେମାନଙ୍କୁ ନଜର ବନ୍ଦ କରି ରଖାଗଲା, ଆପଣଙ୍କ ପରିବାରର ଏପରି ଅବରୋଧ ଘଟିଥିଲା ​​ଯେ ସେମାନେ ଚେରମୂଳି ଖାଇ ବଞ୍ଚିବାକୁ ବାଧ୍ୟ ହୋଇ ଥିଲେ, ଆପଣଙ୍କ ଅନୁଚର ମାନଙ୍କୁ ଆରବର ଜ୍ୱଳନ୍ତ ବାଲିରେ ଖାଲି ଦେହରେ ସୁଆଇ ଦିଆଗଲା, ଖଳପ୍ରବୃତ୍ତୀ ର ଲୋକମାନେ ଆପଣଙ୍କ ଅନୁଗାମୀ ମାନଙ୍କ ବେକରେ ଦଉଡି ବାନ୍ଧି ଟାଣି ବୁଲୁଥିଲେ ଏବଂ ଆପଣଙ୍କ ଅନୁଚର ମାନଙ୍କ ଛାତିରେ ଭାରୀ ପଥର ରଖି ଦିଆଯାଉଥିଲା ।

ଏହି ଅତ୍ୟାଚାର କ୍ରମାଗତ ୧୩ବର୍ଷ ପର୍ଯ୍ୟନ୍ତ ଜାରି ରହିଲା, ତଥାପି ଆପଣ ନିଜର ମାତୃଭୂମିର ତ୍ୟାଗ କରିନଥିଲେ। କିନ୍ତୁ ଯେତେବେଳେ ଶତ୍ରୁମାନେ ଆପଣଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କଲେ, ସେତେବେଳେ ଅଲ୍ଲାହ୍ ତାଲାଙ୍କ ଆଦେଶ କ୍ରମେ ଭାରି ହୃଦୟରେ ଆପଣ ନିଜ ମାତୃଭୂମି ଛାଡିବାକୁ ସ୍ଥିର କରିଥିଲେ । ମାତୃଭୂମିଠାରୁ ବିଦାୟ ନେବାବେଳେ ମକ୍କାର ଏକ ପାହାଡରୁ ନିଜ ମାତୃଭୂମିକୁ ସମ୍ବୋଧିତକରି ସେ ବହୁତ ଦୁଃଖର ସହ କହିଥିଲେ :- ହେ ମକ୍କା ! ତୁମେ ଏତେ ପବିତ୍ର ଭୂମି… କେତେ ସୁନ୍ଦର… .ଯଦି ମୋର ସମ୍ପ୍ରଦାୟ ମୋତେ ଏଠାରୁ ବିତାଡିତ କରି ନଥାନ୍ତା, ମୁଁ ଅନ୍ୟ କୌଣସି ସ୍ଥାନକୁ ଯାଇ ନ ଥା’ନ୍ତି। ମୁଁ କ’ଣ କରିବି ? ତୁମର ଲୋକମାନେ ମୋତେ ଏଠାରେ ରହିବାକୁ ଦେଲେ ନାହିଁ (ହଦିସ୍ ‘ତିର୍ମିଜି’)

ବନ୍ଧୁଗଣ ! ଆମ ପ୍ରିୟ ଦେଶ ଭାରତରେ କୋଟି କୋଟି ମୁସଲମାନ ବାସ କରୁଛନ୍ତି ଯେଉଁମାନେ ହଜରତ ମୁହମ୍ମଦଙ୍କୁ ଅନୁସରଣ କରନ୍ତି। ପୈଗମ୍ବର ହଜରତ ମୁହମ୍ମଦଙ୍କର ଯିଏ ପ୍ରକୃତ ଆଜ୍ଞା କାରୀ ସେ ନିଜ ଦେଶ ପାଇଁ ନିଜ ମାତୃଭୂମି ପାଇଁ ମଧ୍ୟ ନିଜ ଜୀବନର ସର୍ବଶ୍ରେଷ୍ଠ ବଳିଦାନ ଦେବାପାଇଁ ପ୍ରସ୍ତୁତ ରହିବ। ଆମର ପ୍ରିୟ ଭାରତକୁ ଗୋରା ସରକାରଙ୍କ କବଳରୁ ସ୍ୱାଧୀନ କରିବାକୁ ଯାଇ ଅନେକ ମୁସଲିମ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ପାଣି ଛଡାଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଭାରତୀୟ ମୁସଲମାନ ହାଇଦର ଅଲି, ଟିପୁ ସୁଲତାନ, ବାହାଦୂର ଶାହା ଜାଫର, ମୈାଲାନା ମହମ୍ମଦ ଅଲି ଜୋହର, ଅରୁଣା ଆସଫ ଅଲି, ମୈାଲାନା ଶୋକତ ଅଲି, ମୈାଲାନା ଅବୁଲ କଲାମ ଆଜାଦ, ଅଶଫାକୁଲ୍ଲା ଖାନ, ରଫି ଅହମ୍ମଦ କିଡୱାଇଙ୍କ ପରି ଡକ୍ଟର ଜାକିର ହୁସେନ୍ ସ୍ୱାଧୀନତା ପାଇଁ ଲଢେଇ କରିଥିଲେ ।

ସ୍ୱାଧୀନ ଭାରତରେ ମଧ୍ୟ ବୀର ଅବଦୁଲ ହମିଦ ଏବଂ ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ଭଳି ମୁସଲମାନଙ୍କ ନାମ ଭାରତ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଅଛି ।

✍️ ଅନସାର୍ ଅଲୀ ଖାଁ, ଢେଙ୍କାନାଳ

ବି ଦ୍ର: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଲେଖା ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ଅଟେ, ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶଲାଗି ଢେଙ୍କାନାଳ ଅପଡେଟ ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହେଁ ।

new life
You might also like
error: Content is protected !!