ଅନ୍ଧକାର କୁ ଜ୍ୟୋତି ଦେବାପାଇଁ ଭଗବାନ ତୁମକୁ ଏହି ଧରାପୃଷ୍ଠକୁ ପଠାଇଥିଲେ, ସେଥିପାଇଁ ତ ତୁମରି ନାମ ପିତାମାତା ରଖିଥିଲେ ଜ୍ୟୋତିପ୍ରକାଶ ,କିନ୍ତୁ ଅଦିନ ଝଡ଼ରେ ସ୍ୱପ୍ନର ସମ୍ଭାର ଉଜୁଡ଼ି ଯିବ କିଏ ବା ଜାଣିଥିଲା ।ତୁମେ ଜ୍ୟୋତି ଦେବା ଆଗରୁ କାଳର କରାଳ ରୂପ ତୁମକୁ ଗ୍ରାସିତ କରିଦେଲା। ଭଗବାନଙ୍କୁ ଏଠି ପ୍ରଶ୍ନ କରୁଛି ଜୀବନ କଣ ଜାଣିନଥିବା ସେହି ନିଷ୍ପାପ ବାଳକଟିର ଭୁଲ କଣ ଥିଲା? ଗୋଟିଏ ନିଃସ୍ଵାର୍ଥପର ମା ର କୋଳ ଶୂନ୍ୟ କରି କି ଲାଭ ମିଳିଲା?
ଆଜି ମା ପୁଅକୁ ହରାଇବା ଅବସରରେ
ବାହୁନି ବାହୁନି କାନ୍ଦୁଛି ଆଉ କହୁଛି ମୋ ଧନରେ
କୁଆଡେ ଗଲୁରେ, ଧନ ମୋର ହସି ହସି କହି ଯାଇଥିଲା ଏଇ ଟିକିଏ ସମୟରେ ଯାଇ ଫେରି ଆସୁଛି , ବାପାଙ୍କୁ କହିବନି ମା ଜାଣିଲେ ବାପା ଗାଳି କରିବେ , ପ୍ରୋଜେକ୍ଟ ତିଆରି କରି ବିଦ୍ୟାଳୟରେ ପ୍ରଦର୍ଶିତ କରିବାର ଅଛି । ମା ମୁଁ ପା ବଡ଼ହେଲେ ପାଠ ପଢି ଡାକ୍ତର ହେବି ରୋଗୀଙ୍କ ସେବା କରିବି, କୁଆଡେ ଗଲୁରେ ମୋ ରାଜା ? କାଲିଠୁ ମା ଡାକ ଶୁଣିନି ଫେରିଆ ମୋ ପାଖକୁ, ମୋର ପଇସା କଣହେବ ମୋ ଧନ ଥିଲେ କେତେ ଟଙ୍କା ଉପାର୍ଜନ କରିଥାନ୍ତା । କାନ୍ଦ ବୋବାଳି ରେ ଫାଟି ପଡୁଥିଲା ଘରର ଅଗଣା ।ମା ବେସାହାରା ହୋଇ ଥରକୁ ଥର ଚେତା ହରାଇ ବସୁଥାଏ । ଛାତି ତାର ପ୍ରକମ୍ପିତ ହୋଇ ଉଠୁଛି, ହେବନି ବା କିପରି ,ଘରର ବଢିଲା ପୁଅର ଆକସ୍ମିକ ବିୟୋଗ କୁ ଏବେବି ବିଶ୍ୱାସ କରିପାରୁନି ଏକ ମମତାମୟୀ ମା ।ବାପା ବୁଝାଉଛି ମା କୁ ମା ବୁଝାଏ ବାପା କୁ, ସମସ୍ତଙ୍କ ଆଖିରେ ଅଶ୍ରୁର ବର୍ଷା।
ବାହୁନି ବାହୁନି କାନ୍ଦୁଛି ଅବୁଝା ମା, ଆଖିରେ ଲୁହ ହୃଦୟରେ କୋହକୁ ଧରି ଛାତିକୁ ପଥର କରିବାକୁ ଚାହିଁଲେ ବି କରିପାରୁନି ମା ।କେମିତି ବା ହେବ କାଲି ଠୁ ମା ଡାକ ଶୁଣିନଥିବା ମା କୁ ବୁଝାଇବ ବା କିଏ? ଗୋଟିଏ ମା ର ଧାର୍ଯ୍ୟର ପରୀକ୍ଷା ଆଉ କିଏ ଦେଇ ପାରିବ କି ? ପୁଅର ପୁରୁଣା କଥା କୁ ମନେ ପକାଇ ଚେତା ବୁଡ଼ିଯାଉଥାଏ ମା ,ହେଲେ ସାନ୍ତନା ଦେବା ପାଇଁ କାହାରି ପାଟିରେ ଭାଷା ହିଁ ନାହିଁ।ମା କହୁଛି ଧନ ତୋ ମା ଡାକ ଆଉ ଶୁଣିବିନିରେ । ଛାତିକୁ ପଥର କରି ଗଢ଼ିତୋଲିଥିବା ବାପା ଅଧର୍ଯ୍ୟ ହୋଇ ପଡିଛନ୍ତି । ଯେଉଁ ପୁଅ ବାପାକୁ କାନ୍ଧଭାର ଦେଇଥାନ୍ତା ସମୟର ରୂପ ରେଖରେ ସେଇ ପୁଅର ଶବକୁ ବାପା ଆଜି କାନ୍ଧେଇ ନେଉଛି। ଏଇ ସମୟ ବଡ଼ ବିଚିତ୍ର।ଭିନ୍ନ ଏକ ପରିବେଶରେ ପୁଅକୁ ବିଦାୟ ଦେଇଛନ୍ତି ବାପା ମା ।
ତୁମକୁ ତୁମ ପରିବାର ନୁହେଁ ସାରା ସମାଜ ହରାଇଛି ଜ୍ୟୋତି।ସତରେ ତୁମକୁ ତୁମ ଗୁରୁଜୀ ଗୁରୁମା ଏଭଳି ନୀତି ଆଦର୍ଶରେ ଗଢ଼ିତୋଲିଥିଲେ ଯେ ଆଜି ସେହି ପୁଣ୍ୟ ଭୂମିରେ ସମସ୍ତଙ୍କ ହୃଦୟରେ ରହିଗଲ। ତୁମକୁ ପୁଷ୍ପରେ ନୁହେଁ ଅଶ୍ରୁପୂର୍ଣ୍ଣ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଉଛି ସେହି ପୁଣ୍ୟଭୂମି । ତୁମ ପ୍ରତି ଥିବା ଭଲପାଇବା ଆଜି ପରିସ୍ପୁଟିତ ହୋଇଉଠିଛି ।ସତରେ ତୁମ ପ୍ରତି ତୁମ ସହପାଠୀଙ୍କ ଭଲପାଇବା ବହୁତ ଉଚ୍ଚକୋଟୀର। ଆଜି ତୁମର ସେହି ସହପାଠୀ କହୁଛନ୍ତି ମୁକୁଳା ଡ୍ରେନ୍ ଜଣକର ଜୀବନ ନେଇପାରେ , ଆଉ କାଳର କରାଳ ଗତି ଏତେ ନିଷ୍ଟୁର ଯେ ଆମଠୁ ଆମ ପ୍ରିୟ ସହପାଠୀଙ୍କୁ ବି ଛଡେଇ ନେଲା।
ଏହା ଆମ ବିଦ୍ୟାଳୟର ଶେଷ ବର୍ଷ ଥିଲା , ଆମେ ଭାବିଥିଲୁ ସବୁକିଛି ମଧୁର ସ୍ମୃତି ହୋଇ ରହିଯିବ କିନ୍ତୁ ସେହି ମଧୁର ସ୍ମୃତି ଭିତରେ ଏଇ ଦୁଃଖଦ ସ୍ମୃତିଟି ନିହାତି ମନେ ରହିବ। ଜ୍ୟୋତି ତୁମେ ଶ୍ରେଣୀ ଗୃହରେ ପିରିୟଡ଼କି ଟେଷ୍ଟ ଦେଇ କେଉଁ ପିରିୟଡ଼ ରେ ରହିଗଲ ଯେ ଆଜି ତୁମକୁ ତୁମ ବନ୍ଧୁ ପରିଜନ ଖୋଜି ବୁଲୁଛନ୍ତି। ତୁମର ସେହି ହସହସ ମୁହଁ ଆଜି ଶ୍ରେଣୀ ଗୃହରେ ସହପାଠୀଙ୍କ ଆଖି ଆଗରେ ନାଚି ବୁଲୁଛି, ହେଲେ ତୁମେ ଅଛ କେଉଁଠି , ହଁ ତୁମେ ରହିଗଲ ଆମ ସମସ୍ତଙ୍କ ହୃଦୟ କନ୍ଦରରେ , ମନ ଆଇନା ରେ , ଲୋହିତ ରକ୍ତର ସେହି ଭାସମାନ କଣିକା ଭିତରେ ,
ଲୋତକର ଟୋପାଏ ଟୋପାଏ ଅଶ୍ରୁ ବୁନ୍ଦାରେ ।
ତୁମେ ଅଫେରା ରାଇଜର ବାଟୋଇ ହୋଇଗଲ କିନ୍ତୁ ଜ୍ୟୋତି ତୁମେ ଆମ ପାଇଁ ଚିରସ୍ମରଣୀୟ।
✍️ପ୍ରଭାତ ବିଶ୍ୱାଳ