ଷ୍ଟୋରୀ ଟେଲିଂ ବା କାହାଣୀ କହିବା ଏକ କଳା । ଖବର, ଫିଚର ଆଦି ସାମ୍ବାଦିକତାର କୌଣସି ବିଭବ ହେଉ କି ସାହିତ୍ୟିକ କୌଣସି ଲେଖା ସବୁଥିରେ କାହାଣୀ କହିବାର କଳା ହିଁ ଗୁରୁତ୍ୱପୂର୍ଣ୍ଣ । କାରଣ, ଏହା ଲେଖାକୁ ପ୍ରଭାବଶାଳୀ କରିଥାଏ ବୋଲି କହିଛନ୍ତି ଲୋକସମ୍ପର୍କ ଗୁରୁ ତଥା ଲେଖକ ରମେନ୍ଦ୍ର କୁମାର ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ପକ୍ଷରୁ ‘ବିଭିନ୍ନ ପ୍ରକାର ଲିଖନଶୈଳୀରେ ଆହ୍ୱାନ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ବକ୍ତା ଭାବେ ଯୋଗଦେଇ ରମେନ୍ଦ୍ର କୁମାର କହିଛନ୍ତି, ପ୍ରଭାବଶାଳୀ ଲେଖା ପାଇଁ ତିନୋଟି ବିଭବ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଲେଖକ ଲେଖିବା ଆଗରୁ ପ୍ରଥମେ ଭଲଭାବେ ନିରୀକ୍ଷଣ, ପରିକଳ୍ପନା ଓ ପରୀକ୍ଷା ନିରୀକ୍ଷା କରିବା ଦରକାର । ତା’ପରେ ଯାଇ କୌଣସି ବିଷୟବସ୍ତୁ ଉପରେ ଲେଖିଲେ ସେ ଲେଖାଟି ସାଧାରଣରେ ବୋଧଗମ୍ୟ ଏବଂ ଆଦୃତ ହୋଇଥାଏ । ଏହା ଉଭୟ ସାମ୍ବାଦିକତାମୂଳକ ଲେଖା ତଥା ସାହିତ୍ୟିକ ରଚନା କ୍ଷେତ୍ରରେ ପ୍ରଯୁଜ୍ୟ । କାରଣ, ଆଜିକାଲି ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମ ଓ ଡିଜିଟାଲ୍ ମାଧ୍ୟମ ପ୍ରତି ଅଧିକରୁ ଅଧିକ ଲୋକ ଆକର୍ଷିତ ହେଉଛନ୍ତି । ଏମିତି ଏକ ସମୟରେ ମୁଦ୍ରିତ ବିଷୟ ପ୍ରତି ପାଠକଙ୍କୁ ଆକର୍ଷିତ କରିବାକୁ ହେଲେ ଭଲ ଲେଖିବା ଜରୁରୀ । ଆଉ ନିଜ ଲେଖାରେ ପାଠକଙ୍କୁ ବାନ୍ଧି ରଖିବା ହେଉଛି ସବୁଠୁଁ ବଡ଼ କଥା ।
ଏଥିପ୍ରତି ସାମ୍ବାଦିକ ଓ ସାହିତ୍ୟିକମାନେ ଧ୍ୟାନ ଦେବା ଦରକାର । ବିଷୟବସ୍ତୁକୁ ସରଳ ଭାବେ ବୁଝେଇବା ସହ ପାଠକଙ୍କ ରୁଚି ଅନୁସାରେ ଲେଖିବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଆଇଆଇଏମ୍ସି କୋଟ୍ଟାୟମ୍ ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ଅନିଲ କୁମାର ବଡ଼ାବାଥୁର କହିଛନ୍ତି, ପ୍ରତ୍ୟେକ ଲେଖକଙ୍କର ଲେଖିବା ପ୍ରତି ରୁଚି ଓ ଲକ୍ଷ୍ୟ ରହିବା ନିହାତି ଜରୁରୀ । ଜଟିଳ ବିଷୟକୁ ସରଳ ଭାବରେ ଉପସ୍ଥାପନ କରିବା ଆଜିର ସମୟରେ ସବୁଠୁଁ ବଡ଼ ଆହ୍ୱାନ । ଏହାସହ ପାଠକ କେଉଁଭଳି ଭାବରେ ପଢ଼ିବାକୁ ଚାହୁଁଛନ୍ତି, ତାକୁ ଅନୁଧ୍ୟାନ କରି ସେଇଭଳି ଢଙ୍ଗରେ ଲେଖିବାକୁ ହେବ ।
ସେ ପଞ୍ଚତନ୍ତ୍ର, ଆରବୀୟାନ୍ ନାଇଟ୍ ପରି କେତୋଟି ଲୋକପ୍ରିୟ କାହାଣୀର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ପିଲାଦିନେ ଏସବୁ କାହାଣୀ ପ୍ରାୟ ସମସ୍ତେ ପଢ଼ିଛନ୍ତି । ଏଥିରେ ଏତେ ସରଳ ଭାବେ ବିଷୟବସ୍ତୁ ଉପସ୍ଥାପନ କରାଯାଏ ଯେ ଏହାକୁ ପିଲାମାନେ ପଢ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି । କିନ୍ତୁ ଆଜିକାଲି ଅନେକ ସମୟରେ ଅନେକ କଥା ବୁଝିହେଉନି । ବିଶେଷତଃ ବିଜ୍ଞାନ ଲେଖା ଓ ବିଜ୍ଞାନଭିତ୍ତିକ ସାହିତ୍ୟରେ ସର୍ଜନଶୀଳତାର ଅଭାବ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଲୋକପ୍ରିୟ ବିଜ୍ଞାନଭିତ୍ତିକ ଲେଖା ତୃଣମୂଳ ସ୍ତରର ପାଠକଙ୍କୁ ଛୁଇଁବା ଦରକାର ।
କେବଳ ବିଜ୍ଞାନର ଗବେଷଣା, ତତ୍ତ୍ୱ ଆଦି ଲେଖିଦେଲେ ହେବ ନାହିଁ, ବରଂ ଏହାକୁ କିପରି ବିଭିନ୍ନ ପୁରାଣ, ବାଣୀ, ସାହିତ୍ୟ ଆଦି ସହ ଯୋଡ଼ି ସରଳ ଭାବରେ ଉପସ୍ଥାପନ କରିହେବ ତାହା ହିଁ ବଡ଼ କଥା । ଏହାଦ୍ୱାରା ପାଠକବର୍ଗ ସନ୍ତୁଷ୍ଟ ହେବେ । ନହେଲେ ସେମାନେ ବିଜ୍ଞାନ ପ୍ରତି ବିଷୟ ପ୍ରତି ଏତେଟା ଆଗ୍ରହ ଦେଖେଇବେ ନାହିଁ । ସେହିପରି ଅନ୍ୟ ସବୁ ବିଷୟରେ ମଧ୍ୟ ଯେଉଁମାନେ ଲେଖୁଛନ୍ତି ସେମାନଙ୍କ ଭିତରେ ପରିକଳ୍ପନା ଓ ସର୍ଜନଶୀଳତା ଗୁଣ ନିତାନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।
ଆଜିର ବିଷୟ ବସ୍ତୁ ସମ୍ପର୍କରେ ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଏହି ବିଷୟଟି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଦରକାର । କାରଣ, ସାମ୍ବାଦିକତାରେ ଯେମିତି ଭାବରେ ଲେଖାଯାଏ ବିଜ୍ଞାପନ ବା ଲୋକସମ୍ପର୍କ କ୍ଷେତ୍ରରେ ଲେଖାର ଶୈଳୀର ଭିନ୍ନ ଥାଏ । ଏଣୁ ଲେଖକମାନେ ନିଜର ପାଠକବର୍ଗଙ୍କ କଥା ଚିନ୍ତା କରିବା ଉଚିତ । ହେଲେ ଅନେକ ସମୟରେ ସେମାନେ ଚିନ୍ତା କରନ୍ତି ନାହିଁ ।
ସାମ୍ବାଦିକତାର ଆଭିମୁଖ୍ୟ କାଳ୍ପନିକ ଲେଖାଠାରୁ ଭିନ୍ନ । ସାମ୍ବାଦିକତାର ମୁଖ୍ୟ ବିଭବ ହେଉଛି ତଥ୍ୟ ଓ ସୂଚନା । ସେହିପରି ସାହିତ୍ୟର ଲେଖା ଶୈଳୀ ଭିନ୍ନ । ଏଣୁ ବିଭିନ୍ନ ମାଧ୍ୟମ ପାଇଁ କିପରି ଲେଖିବା, ଭାଷାର ବ୍ୟବହାର କିପରି କରିବା, ବାକ୍ୟ ଗଠନ, ଷ୍ଟୋରୀ ଗଠନ, ପ୍ରସ୍ତୁତି ଆଦି କେମିତି କରିବା ସେ ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ରମେନ୍ଦ୍ର କୁମାରଙ୍କ ଲିଖିତ ଇଂରାଜୀ ପୁସ୍ତକ ‘କ୍ରନିକିଲ୍ସ ଅଫ୍ ଏ କର୍ପୋରେଟ୍ ଏକ୍ଜିକ୍ୟୁଟିଭ୍’ ଉନ୍ମୋଚିତ ହୋଇଛି । ଆଇଆଇଏମ୍ସିର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏଥିରେ ଆଇଆଇଏମ୍ସି ଢେଙ୍କାନାଳ, କୋଟ୍ଟାୟମ୍ ଓ ଆଇଜଲ୍ ଶାଖାର ସମସ୍ତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଯୋଗଦେଇଥିଲେ ।