ମହିମାଧାର୍ମ ର ଏନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ତପୋବନ ପରିସରରେ ଆଜି ତପୋବନ ମହିମା ବିହାର ଆନୁକୂଲ୍ୟରେ ତପୋବନ ମେଳା ଅନୁଷ୍ଠିତ ହୋଇଯାଇଛି ।
କୋଭିଡ଼ କଟକଣା ମାନି ଭକ୍ତମାନେ ପବିତ୍ର ପୀଠରେ ଉପସ୍ଥିତ ରହି ଜଗତ କଲ୍ୟାଣ ଉଦେଶ୍ୟରେ ଗୁରୁ ମହିମା ସ୍ୱାମୀଙ୍କ ନିକଟରେ ସାମୁହିକ ପ୍ରାର୍ଥନା କରିଥିଲେ । ଲୋକମାନଙ୍କର କଥିତ ସୂଚନା ଅନୁଯାୟୀ ଏହି ପବିତ୍ର କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ମହିମା ସ୍ୱାମୀଙ୍କ ସହିତ ତାଙ୍କର ଅଦ୍ୟାଶିଷ୍ୟ ଗୋବିନ୍ଦ ବାବାଙ୍କର ମିଳନ ହୋଇଥିଲା ।ଗୁରୁଶିଷ୍ୟ ମିଳନର ସ୍ମାରକୀ ରୂପେ ଏହି ଦିବସ ପ୍ରତିବର୍ଷ ତପୋବନ ମେଳା ରୂପେ ପାଳନ ହୋଇଆସୁଅଛି ।
ଆଜିର ଏହି ଉତ୍ସବରେ ଢେଙ୍କାନାଳର ଜିଲ୍ଲାପାଳ ଶ୍ରୀସରୋଜ କୁମାର ସେଠୀ ମୁଖ୍ୟ ଅତିଥିରୁପେ ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗଁଦିଆ ତହସିଲଦାର ଆଶିଷ କୁମାର ପ୍ରଧାନ, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଉଦ୍ୟାନବିତ ଭଗବାନ ଦାଶ, ଆବାହକ ପ୍ରଦ୍ୟୁମ୍ନ ରଥ, ସତ୍ୟ ଅଲେଖ ମହିମା ଧର୍ମ ପ୍ରତିଷ୍ଠାତା ର ସଭାପତି ଋଷି ପ୍ରତିମା ରଘୁନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ର ଏହି ଉତ୍ସବରେ ୨୭ ତମ ତପୋବନ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ତପୋବନ ର ଉର୍ଣ୍ଣତି ପାଇଁ ଜିଲ୍ଲାପାଳ ମହୋଦୟ ପଦକ୍ଷେପ ଗ୍ରହଣ କରିବେ ବୋଲି ମତ ଦେଇଥିଲେ ।