ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ । ଏହି ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।
ଭୁବନ ୧ନଂ ୱାର୍ଡ ନିବାସୀ ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ନାୟକ (୧୩) ବ୍ରାହ୍ମଣୀ ନଦୀ ବୁଦ୍ଧେଶ୍ୱର ଘାଟରେ ଡଙ୍ଗା ଭସାଇବାକୁ ଯାଇ ନିଖୋଜ ଥିଲେ । ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ।
ଅଗ୍ନିଶମ ବାହିନୀ ନିରାଶ ହୋଇ ଯେତେବେଳେ ମନ୍ଦାର ନୀଳକଣ୍ଠ ପୁର ବାଜିରାଉତ ସେତୁ ନିକଟକୁ ଯାଇ ଖୋଜୁବାକୁ ଫେରିଗଲେ , ସେତେବେଳେ ମାଛ ଧରାଳୀ ପ୍ରମୋଦ ମଲ୍ଲିକ ,ଧୀର ମଲ୍ଲିକ,କୈଳାଶ ମଲ୍ଲିକ କେଶବ ସେଠୀ ସୁଲେଇପାଳ ଘାଟରୁ ଜାଲ ସାହାଯ୍ୟରେ ରଶ୍ମି ଓରଫ ରୋହନ ନାୟକ କୁ ଖୋଜି ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ।ତାଙ୍କୁ ପ୍ରଥମେ ଭୁବନ ପରେ ଢେଙ୍କାନାଳ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଯୋଗ୍ୟ କି, ସେ ପରିବାର ସହ ଭୋର ସମୟରେ ଡଙ୍ଗା ଭସାଇବାକୁ ଯାଇଥିଲେ । ତେବେ ଅସାବଧାନତା ହେତୁ ଗୋଡ ଖସି ଯାଇ ନଦୀ ସ୍ରୋତରେ ଭାସିଯାଇ ନିଖୋଜ ଥିବାର ଜଣାପଡିଛି । ରୋଶନ ନାୟକ ବିଦ୍ୟାଧର ନାୟକଙ୍କର ଏକମାତ୍ର ପୁଅ ଥିଲେ ।