ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ୱଚ୍ଛାସେବୀଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ରେଡ଼କ୍ରସ ପତାକା ଦେଖାଇ ଆରମ୍ଭ କରାଇଥିଲେ । ମୁଖ୍ୟ ଅତିଥି ରୁପେ ଢେଙ୍କାନାଳ ଜିଲ୍ଲା ରେଡ଼କ୍ରସ ର ଉପସଭାପତି ବିରଞ୍ଚି ନାରାୟଣ ପାଣି ଏଥିରେ ଯୋଗଦେଇ ରେଡ଼କ୍ରସର ଲକ୍ଷ, ରକ୍ତଦାନ ଓ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଯୁବ ରେଡ଼କ୍ରସ ର ପୂର୍ବତନ ଆବାହକ ଡ଼ ଦେବାଶିଷ ମହାନ୍ତି ତାଙ୍କର ଅଭିଭାଷଣରେ ମାନବ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଯୁବ ରେଡ଼କ୍ରସ ର ସଂଯୋଜକ ଡ଼ ଭୁପେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ରେଡ଼କ୍ରସର ଇତିହାସ ଉପରେ ଆଲୋକପାତ କରିଥିଲେ ।
ପରିଶେଷରେ ଅଧ୍ୟାପକ ତଥା ମହାବିଦ୍ୟାଳୟର ଯୁବ ରେଡ଼କ୍ରସର ପରାମର୍ଶଦାତା ଶ୍ରୀ ରଶ୍ମିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିବା ସହ ତିନିଦିନିଆ ଶିବିରର କାର୍ଯ୍ୟସୂଚୀ ପାଠ କରିଥିଲେ । ଏହି ପ୍ରଶିକ୍ଷଣରେ ସମୁଦାୟ ୫ ଟି ମହାବିଦ୍ୟାଳୟର ୨୦ ଜଣ ପ୍ରଶିକ୍ଷାର୍ଥୀଙ୍କ ସମେତ ଯୁବ ରେଡ଼କ୍ରସ ର ପରାମର୍ଶଦାତା ଅଂଶ ଗ୍ରହଣ କରିଥିଲେ ।