ଧାନ ବିକ୍ରୀକୁ ନେଇ ସୁରପ୍ରତାପପୁର ସଦାସର୍ବଦା ଚର୍ଚ୍ଚାରେ । ଚଳିତ ବର୍ଷ ମହିଳା ସଂଘ ଧାନ କିଣିବ ଏ ଖବର ପ୍ରଚାରିତ ହେବା ପରେ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୀବ୍ର ବିରୋଧ କରିବାକୁ ଶପଥ ନେଇଛନ୍ତି ।
ଖବର ନେବାରେ ଜଣାଯାଏ ଯେ ଭୁବନ ସମବାୟ ବ୍ୟାଙ୍କ ଅଧିନରେ ଥିବା ଦଶଟି ସମବାୟ ସମିତି ମଧ୍ୟରୁ ୬ ରେ ସଂପାଦକମାନେ ଧାନ କିଣିବେ । ଅନ୍ୟ ତିନୋଟିରେ ମହିଳାସଂଘ ଧାନ କିଣିବାକୁ ଚୁଡାନ୍ତ ହୋଇଥିବା ବେଳେ ଗୋଟିକରେ ସମବାୟ ସମିତି ଓ ମହିଳାସଂଘ ଧାନ କିଣିବାର ଯୋଜନା ହୋଇଥିବା ଜଣାପଡିଛି ।
ଭୁବନ ବାରୁଆଁ, ଗଡ ନୃସିଂହପ୍ରସାଦ, ମାର୍ଥାପୁର ଭୂଷଳ ବାଲିବୋ ଆଦି ୬ଟି ସମବାୟ ସମିତିରେ ସିଧା ସଳଖ ସମ୍ପାଦକ ମାନେ ଧାନ କିଣିବେ । ଜିରାଳ , ସୁରପ୍ରତାପପୁର , ମହୁଳପାଳ ମୃଦଙ୍ଗା ସମବବାୟ ସମିତିରେ ମହିଳା ସଂଷକୁ ଧାନ କିଣିବାର ଦାୟିତ୍ୱ ମିଳିଛି ।
ସେହିପରି ମଠକରଗୋଳା ସମବାୟ ସମିତି ରେ ମଠକରଗୋଳା ପଚାଂୟତର ଚାଷୀ ସମିତିରେ ଧାନ ବିକ୍ରୀ କରିବାର ଯୋଜନା ହୋଇଥିବା ବେଳେ ଅନ୍ୟ ପଚାଂୟତର ଥିବା ଗ୍ରାମ ଗୁଡିକର ଚାଷି ମହିଳା ସଂଘ ଜରିଆରେ ଧାନ ବିକ୍ରୀ କରିବେ ।
ସୂଚନାଯୋଗ୍ୟ ଗତ ବର୍ଷ ମୃଦଙ୍ଗା ମହୁଳପାଳ ସମବାୟ ସମିତିର ସଂପାଦକ ଚାଷୀଙ୍କ ନାମ ପଜ୍ଞିକରଣକରିବାରେ ବ୍ୟାପକ ଅନିୟମିତତା କରିଥିବାର ଅଭିଯୋଗ ହେବାରୁ ସଂପାଦକ ସନ୍ତୋଷ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଥିଲା । ଭୂଷଳ ସମବାୟ ସମିତିର ସଂପାଦକ ସୁଶାନ୍ତ କୁମାର ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା ।ଧାନ କିଣାଯିବାର କିଛିଦିନ ପରେ ସୁଶାନ୍ତଙ୍କୁ ମଧ୍ୟ ଦାୟିତ୍ୱରୁ ହଟାଇଦିଆଗଲା ।
ପୁନଶ୍ଚ ବ୍ୟାଙ୍କ ସୁପରଭାଇଜର ସୁଜିତ ଭୋଇଙ୍କୁ ଦାୟିତ୍ୱ ଦିଆଯାଇ ଧାନ କ୍ରୟ କରାଯାଇଥିଲା । ସେହିପରି ସୁପ୍ରତାପପୁର ସମବାୟ ସମିତିର ସଂପାଦକ ଶକ୍ତିପ୍ରସାଦ ସ୍ୱାଇଁ ପଦୋର୍ନ୍ନତି ପାଇଁ ବ୍ୟାଙ୍କରେ ଯୋଗଦେବା ପରେ ସେହି ସମିତିରେ ଡାଟାଏଣ୍ଟ୍ରି ଅପରେଟର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଧାନ କିଣା ଦାୟିତ୍ୱ ଦିଆଯାଇଥିଲା ।
ଧାନ କିଣାରେ ବ୍ୟାପକ ଅନିୟମିତତା ହେବାରୁ ତାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଆଉ ରହିଲା ଜିରାଳ ସମବାୟ ସମିତି ଦାୟିତ୍ୱରେ ଥିବା ଲକ୍ଷ୍ମୀପ୍ରିୟା ଲେଙ୍କା ନିଜର ଅକ୍ଷମତା ପ୍ରକାଶ କରିବା ଯୋଗୁ ବ୍ୟାଙ୍କ କର୍ମଚାରୀ ଶକ୍ତିପ୍ରସାଦ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇ ଧାନ କିଣାଯାଇଛି । ଚଳିତ ବର୍ଷ ଏହି ତିନୋଟି ସମବାୟ ସମିତିରେ ଧାନ କିଣିବା ପାଇଁ ମହିଳା ସଂଘକୁ ଦାୟିତ୍ୱ ନେବା ନିମନ୍ତେ ପ୍ରଶାସନ ପକ୍ଷରୁ ଯୋଜନା ହୋଇଥିବା ଜଣାଯାଇଛି ।
ତେବେ ସୁରପ୍ରତାପପୁର ସମବାୟ ସମିତିରେ ନୂତନ ସଂପାଦକଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ଧାନକିଣିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇନାହିଁ । ଅପରପକ୍ଷେ ଧାନ କିଣିବା ପାଇଁ ମହିଳାସଂଘକୁ ଦାୟିତ୍ୱ ଦିଆଯାଇଥିବା କଥା ଚାଷୀ ଜାଣିବା ପରେ ସମବାୟ ସମିତି ପରିସରରେ ୨ଶହରୁ ଉର୍ଦ୍ଦ ଚାଷୀ ଏକତ୍ରୀତ ହୋଇ ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରିଛନ୍ତି । ସୁରପ୍ରତାପପୁରର ଚାଷୀ ସମବାୟ ସମିତି ଜରିଆରେ ଧାନ କିଣିବା ପାଇଁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳଙ୍କୁ ଏନେଇ ଦାବିପତ୍ର ଦେବାକୁ ଶତାଧିକ ଚାଷୀ ସୋମବାର ଢେଙ୍କାନାଳ ଯିବାକୁ ବୈଠକରେ ନିଷ୍ପତି ହୋଇଥିବା ଜଣାଯାଇଛି ।