ଧୀମନ୍ତ ମଣ୍ଡଳୀ ଏ ରସ ଆବଳୀ
ଘେନା କର ଅତି ସାବଧାନ
ଏ ମର୍ତ୍ତ୍ୟ ମଣ୍ଡଳ ଭୂତଳ ଅତଳ
ତଳାତଳ ଆଉ ସ୍ୱର୍ଗ ଘେନ,
ଯା’ର ଇଙ୍ଗିତରେ
ଚଉଦ ବ୍ରହ୍ମାଣ୍ଡ ଗତି କରେ,
ସେ ଅତି ବିଚିତ୍ର ନାହିଁ ତା’ର ଗୋତ୍ର
ନାହିଁ ନେତ୍ର,ହସ୍ତ ଗାତ୍ର ଟିରେ ।୧।
ଶଇଳ ନିର୍ଝର ଅବିରତ ଝର
କୁଳୁକୁଳୁ ଗାନେ ଯାଏ ବହି
ନିଘଞ୍ଚ ଅରଣ୍ୟ କାହିଁ ଲୋକାରନ୍ୟ
ଶସ୍ୟ ଶ୍ଯାମଳାର ଏହି ମହୀ
ଦେଖ ମହାସିନ୍ଧୁ
ଗଢ଼ିଛନ୍ତି ପରା କୃପାସିନ୍ଧୁ
ନୀଳ ମହାନଭେ ରଜନୀଶ ଶୋଭେ
ଦିବସେ ଶୋଭଇ ଦୀନବନ୍ଧୁ ।୨।
ବୃତ ମାଳ-ମାଳ ମାଳତୀ ପ୍ରବାଳ
ମୃଗ ତୃଷ୍ଣା ଜଳ ନାନା ରଙ୍ଗ
ଚୁମ୍ବଇ ସୁମନ କରେ ମଧୁପାନ
ଧିରଗତି କରେ ନୀଳଭୃଙ୍ଗ
ଏ’କି ମନୋହର
ସରୋଜ ଶୋଭିତ ସରୋବର
ମରାଳ ମାଳିନୀ ନୀଳାମ୍ବୁରେ ଭାସେ
ହସେ କୁମୁଦିନୀ କି ସୁନ୍ଦର ।୩।
ଅର୍କର ପରାଗ ଶଶୀର ଗ୍ରହଣ
ଅକ୍ଷତ ସଦୃଶ ତାରା ଗଣ
ଶୋଭନ୍ତି ଅଚିରେ ନୀଳ ବିତାନରେ
ଦେଖ ଦିସନ୍ତି କି ମନୋରମ
ବହେ ଦୀନ ନଦ
ଜଳ ପ୍ରପାତର ଘୋର ନାଦ
ଆସିଲେ ରଜନୀ ଫୁଟଇ କାମିନୀ
ବିଯୋଗୀ ଲଭଇ ମହାଖେଦ ।୪।
ଘନମେଘ କୋଳେ ଇନ୍ଦ୍ରଧନୁ ଖେଳେ
କମଳ କାଳରେ ରାବେ ଭେକ
ବସନ୍ତ ସମୟ ଅତି ରସମୟ
ଦିନାନ୍ତେ ବିଚ୍ଛେଦ ଚକ୍ରବାକ
ଧନ୍ୟ ବସୁପତି
ସର୍ବ ବିଦ୍ୟମାନ ମହାମତୀ
ଏ ଭବ ସାଗରେ ତୁମ୍ଭ ବିଛେଦରେ
ନାହିଁ କେବେ ଆଉ ଅନ୍ୟଗତି ।୫।
ଚରାଚର ନାଥ ନକର ଅନାଥ
ତୁମ୍ଭେ ପରା ପ୍ରଭୁ ପିତା ମାତା
କ୍ଷମା କର ଦୋଷ ହେ ଜିବ ଜୀବେଶ
ଆତ୍ମାର ମୁକତି ପଥବତା
ଗଲି ତୁମ୍ଭ ପାଶେ
ଶରଣ ମୋହର ମୁକ୍ତି ଆଶେ
ତୁମ୍ଭ ଯଶ କିର୍ତ୍ତୀ ଘୋସେ ଏ ଧରିତ୍ରୀ
ବାଜଇ ଡିଣ୍ଡିମ ଘମଘୋସେ ।୬।
କହେ ‘ଏହେସାନ’ ଜଗତ ଜୀବନ
ସମୀପରେ ଯେବେ ଥିବ ଲୟ
ଏ ମାୟା ମୋହରୁ ତରିଯିବ ହେଳେ
ପାପରାଶି ହୋଇଯିବ କ୍ଷୟ
ତା’ଙ୍କ କୃପାବିନ୍ଦୁ ପାରି କରିଦେବ ଭବସିନ୍ଧୁ
ନକଲେ ଧିଆନ ହୋଇଯିବ ଲୀନ
ବେଳ ନ ସରିବ କାନ୍ଦୁ କାନ୍ଦୁ ।୭।
✍🏿 ଏହସାନୁଲ୍ ହକ୍ ଖାଁ