ମହାମାରୀର ତୃତୀୟ ଲହରୀର ବିପଦ ସମଗ୍ର ବିଶ୍ୱରେ ଲୋକମାନଙ୍କୁ ସତର୍କ କରାଇଦେଇଥିବାବେଳେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ପୂର୍ବ ଭଳି ଏହି ଆହ୍ୱାନର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ଏହାକୁ ବ୍ୟାପିବାରୁ ରୋକିବା ପାଇଁ ସ୍ୱାସ୍ଥ୍ୟ ସେବା, ସୁରକ୍ଷା, ପ୍ରବେଶ ନିୟନ୍ତ୍ରଣ, ପରିବହନ ଓ ପ୍ରଶାସନିକ ସ୍ତରରେ ଅନେକ ପଦକ୍ଷେପମାନ ଗ୍ରହଣ କରାଯାଇଛି ।
ପ୍ରଥମ କୋଭିଡ଼ ଲହରୀ ସମୟରେ କମ୍ପାନୀ ଯେଉଁ ପଡ୍ ବ୍ୟବସ୍ଥା ଆରମ୍ଭ କରିଥିଲା, ଯେଉଁଥିରେ କି କର୍ମଚାରୀମାନେ ଛୋଟ ଛୋଟ ଗ୍ରୁପ୍ରେ ବିଭିନ୍ନ ହୋଇ ପୃଥକ ପୃଥକ ଭାବେ କାର୍ଯ୍ୟ କରୁଥିଲେ, ଏହାକୁ ପୁର୍ନବାର ଲାଗୁ କରାଯାଇଛି । ଏହାଦ୍ୱାରା ଅତି ସହଜରେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୃଥକ ରଖିବା ସହିତ ଅନ୍ୟମାନଙ୍କୁ ସଂକ୍ରମିତ ନ କରି ସେମାନଙ୍କ ଚିକିତ୍ସା କରାଯାଇପାରିବ । କ୍ୟାଂଟିନ୍ରେ ଭିଡ଼ ରୋକିବା ପାଇଁ ଡାଇନିଂ ସୁବିଧାକୁ ବନ୍ଦ କରାଯାଇ ତା ବଦଳରେ ଖାଦ୍ୟ ପୁଡ଼ିଆ ଯୋଗାଇ ଦିଆଯାଉଛି ।
ମହାମାରୀର ମୁକାବିଲା ଦିଗରେ କର୍ମଚାରୀଙ୍କୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଉପରେ ସଚେତନ କରିବା ପାଇଁ ହୋଡିଂ, ପୋଷ୍ଟର, ଏଲଇଡି ବୋର୍ଡ଼ସ୍, ଏସ୍ଏମ୍ଏସ୍, ସଟ୍ ଭିଡ଼ିଓ, ମାସ୍ ମେଲ୍ ଦ୍ୱାରା କୋଭିଡ଼ ସଚେତନତା ଉପରେ ନିୟମିତ ଭାବେ ସୂଚନା ପ୍ରଦାନ କରାଯାଉଛି । ଏହାବ୍ୟତୀତ ଆମେ କାରଖାନା ଓ କଲୋନୀ ମଧ୍ୟରେ ଏହି ବାର୍ତାକୁ ପହଂଚାଇବା ପାଇଁ ଭ୍ରାମ୍ୟମାଣ ବାହାନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରୁଛୁ । କାରଖାନା ମଧ୍ୟରେ ଭିଡ଼କୁ କମ୍ କରିବା ପାଇଁ ଘରୁ କାର୍ଯ୍ୟ କରିବା ପ୍ରଣାଳୀ (ୱାର୍କ ଫ୍ରମ୍ ହୋମ୍)କୁ ପୁନଃ ଆରମ୍ଭ କରାଯାଇଛି ।
ଏହାଛଡ଼ା ଆମେ ମୁଖ୍ୟ ଫାଟକରେ କର୍ମଚାରୀଙ୍କ ଯାନବାହନର ପ୍ରବେଶ ଓ ପ୍ରସ୍ଥାନ ସମୟ ପରିବର୍ତନ କରିବାକୁ ଯୋଜନା କରାଯାଇଛି । ଯାହାଦ୍ୱାରା ସିଫ୍ଟ ପରିବର୍ତନ ହେବା ସମୟରେ ଫାଟକରେ କର୍ମଚାରୀମାନଙ୍କ ଭିଡ଼ ଜମିବ ନାହିଁ । କମ୍ପାନୀର ଫାଟକରେ ସଂସ୍ଥାପିତ ଫେସ୍ ରେକଗନିସନ୍ କ୍ୟାମେରା ମାଧ୍ୟମରେ କର୍ମଚାରୀଙ୍କୁ କାରଖାନାକୁ ପ୍ରବେଶ କରିବାବେଳେ ସେମାନଙ୍କ ମାସ୍କ ଓ ତାପମାତ୍ରା ଯାଂଚ କରାଯାଇପାରୁଛି । ନିୟମିତ ବ୍ୟବଧାନରେ ଯାନବାହନ ଓ ସର୍ବାଧିକ ଛୁଆଁଯାଉଥିବା ଅନ୍ୟ ସ୍ଥାନଗୁଡ଼ିକୁ ସାନିଟାଇଜ୍ କରାଯାଉଛି । କାରଖାନାରେ ପ୍ରବେଶ କରୁଥିବା ଟ୍ରକ୍ ଚାଳକ ଓ ଅତିଥିମାନଙ୍କ ପାଇଁ ମଧ୍ୟ ଅନୁରୂପ କୋଭିଡ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଆଧାରରେ ସେମାନଙ୍କ ପୃଥକୀକରଣ ଓ ଆବଶ୍ୟକ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ରୋଗୀଙ୍କ ନିମନ୍ତେ ଆମ କାରଖାନା ପରିସରରେ ୩୫୦ଟି ଶଯ୍ୟା ଉପଲବ୍ଧ ରହିଛି । ଏହାବ୍ୟତୀତ ଆବାସିକ କଲୋନୀରେ ରହୁଥିବା କର୍ମଚାରୀଙ୍କ ପରୀକ୍ଷା କରାଯିବା ସହିତ ଘରେ ସଂଗରୋଧରେ ରହିଥିବା ରୋଗୀଙ୍କୁ କ୍ଷେତ୍ରରେ ଔଷଧ ଏବଂ ଚିକିତ୍ସା ପ୍ରଦାନ କରାଯାଉଛି । କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର କୋଭିଡ଼ ପାରାମେଡ଼ିକ୍ସ, ସଫେଇ କର୍ମଚାରୀ, ଡାକ୍ତର ଏବଂ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । କୋଭିଡ଼ ସମ୍ପର୍କିତ ସହାୟତା ପାଇଁ କମ୍ପାନୀର ହସ୍ପିଟାଲ ଟିମ୍ ଏବଂ ପ୍ରଶାସନ ବିଭାଗ ପକ୍ଷରୁ ଦୁଇଟି ୨୪ଘଂଟିଆ ସହାୟତା ନମ୍ବରର ବ୍ୟବସ୍ଥା କରାଯାଇଛି । ଏହାଛଡ଼ା କିଛି ବୃହତ ସହଯୋଗୀ ଭେଣ୍ଡର କର୍ମଚାରୀଙ୍କ ପାଇଁ ସେମାନଙ୍କ ନିଜସ୍ୱ କୋଭିଡ଼ କେୟାର ହୋମ ପ୍ରସ୍ତୁତ କରିଛନ୍ତି । କମ୍ପାନୀ ସହାୟତାରେ ପ୍ରାୟ ୯୯ ପ୍ରତିଶତ କର୍ମଚାରୀ କୋଭିଡ଼ର ଦୁଇଟି ଡୋଜ୍ ଟିକା ନେଇସାରିଛନ୍ତି ।
କମ୍ପାନୀ ସୁରକ୍ଷା ଟିମ୍ ପକ୍ଷରୁ ଏକ କୋଭିଡ଼-୧୯ ଟାସ୍କ ଫୋର୍ସ ଗଠନ କରାଯାଇଛି, ଯାହା କୋଭିଡ଼ ନିୟମାବଳୀର ପାଳନକୁ ସୁନିଶ୍ଚିତ କରିବା ପାଇଁ କାରଖାନାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ପଦକ୍ଷେପ ଗ୍ରହଣ କରୁଛନ୍ତି । କମ୍ପାନୀର ବରିଷ୍ଠ ଅଧିକାରୀ ପ୍ରତିଦିନ କୋଭିଡ଼ ସମ୍ପର୍କିତ ସ୍ଥିତିକୁ ତର୍ଜମା କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାମାଜିକ ଦୂରତ୍ୱକୁ ସୁନିଶ୍ଚିତ କରିବା ପାଇଁ କୋଭିଡ଼ ପରୀକ୍ଷା ଏବଂ ଟିକାକରଣ କେନ୍ଦ୍ରରେ ସୁରକ୍ଷା ଟିମ୍ ଓ ତ୍ୱରିତ କାର୍ଯ୍ୟକାରୀ ଟିମ୍କୁ ନିୟୋଜିତ କରାଯାଇଛି ।
ଏହାସହିତ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଯଥାସମ୍ଭବ ସର୍ବାଧିକ ସୁରକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ ସ୍ଥାନୀୟ ଲୋକମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । କୋଭିଡ଼ ସମୟରେ ସଠିକ୍ ଆଚରଣ ଓ ଟିକାକରଣକୁ ସୁନିଶ୍ଚିତ କରିବା ପାଇଁ କମ୍ପାନୀର ସିଏସ୍ଆର ଟିମ୍ ପକ୍ଷରୁ କାରଖାନା ପାଶ୍ୱର୍ବର୍ତୀ ଅଂଚଳରେ ବଡ଼ ଧରଣର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାଫଳରେ ସ୍ଥାନୀୟ ଅଂଚଳରେ ସର୍ବାଧିକ ଟିକାକରଣ ହୋଇପାରିଛି ।
କୋଭିଡ଼ ମାମଲାରେ ହୋଇଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକମାନଙ୍କ ପାଇଁ ପୂର୍ବ ବର୍ଷ ଭଳି ନିକଟସ୍ଥ ଏକ ଦକ୍ଷତା ବିକାଶ କେନ୍ଦ୍ରଠାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ହସ୍ପିଟାଲର ବ୍ୟବସ୍ଥା କରାଯାଉଛି ।