ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍ର ଖଡ଼ଗପ୍ରସାଦରେ ଥିବା ନବ ଭାରତ ଭେଞ୍ଚର୍ସର ଦକ୍ଷତା ବିକାଶ କେନ୍ଦ୍ରରେ ନିର୍ମାଣ କରାଯାଇଥିବା ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲକୁ ଆଜିଠାରୁ ପୁନଃଆରମ୍ଭ କରାଯାଇଛି ।
ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ସରୋଜ କୁମାର ସେଠୀ ଓ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଅଶୋକ ଦାସ ଆଜି ହସ୍ପିଟାଲକୁ ପରିଦର୍ଶନ କରିଥିଲେ । ଏହି ଅବସରରେ ଢେଙ୍କାନାଳର ଉପ-ଜିଲ୍ଲାପାଳ ଶ୍ରୀମତି ସ୍ନିଗଧାରାଣୀ ଧଳ, ଓଡ଼ାପଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡ଼ିଓ) ଶ୍ରୀ ଦାଶରଥୀ ଜେନା ଏବଂ ଟାଟା ଷ୍ଟିଲ ମେରାମଣ୍ଡଳୀ ଓ ନବ ଭାରତ ଭେଞ୍ଚର୍ସର ଲିମିଟେଡ଼ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
କୋଭିଡ଼-୧୯ ରୋଗୀଙ୍କୁ ମାଧ୍ୟମିକ ସ୍ତରର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଆବଶ୍ୟକ ଅନ୍ୟ ମେଡ଼ିକାଲ ଉପକରଣ ବ୍ୟତୀତ ହସ୍ପିଟାଲରେ ଅମ୍ଲଜାନ ଯୋଗାଣ ବ୍ୟବସ୍ଥା ବିଶିଷ୍ଟ ୫୦ଟି ଶଯ୍ୟା ରହିଛି । ହସ୍ପିଟାଲ ପୁନଃଆରମ୍ଭ ପାଇଁ ଶ୍ରୀ ସେଠୀ ଟାଟା ଷ୍ଟିଲ ମେରାମଣ୍ଡଳୀକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, “ଏହି ହସ୍ପିଟାଲ ଅଞ୍ଚଳର କୋଭିଡ଼-୧୯ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ସ୍ଥାନୀୟ ଗ୍ରାମବାସୀ ଓ ଅଞ୍ଚଳର ରୋଗୀମାନଙ୍କୁ ସହାୟତା ଯୋଗାଇ ଦେବ ।
୪ ଜଣ ଡାକ୍ତର, ୧୫ ଜଣ ନର୍ସ ଏବଂ ୧୫ଜଣ ହାଉସ୍କିପିଂ କର୍ମଚାରୀ ହସ୍ପିଟାଲକୁ ପରିଚାଳନା କରିବେ । ଏହି ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହି ଦକ୍ଷତା ବିକାଶ କେନ୍ଦ୍ରର ଆବଶ୍ୟକ ଢାଞ୍ଚାଗତ ରୂପାନ୍ତରଣ କରାଯାଇଛି । ଏହା ବ୍ୟତୀତ ଦୁଇଟି କଣ୍ଟେନରକୁ ଏଥିରେ ସମ୍ମିଳିତ କରାଯିବା ସହିତ ଏଠାରେ ପ୍ରଶାସନିକ ବ୍ଲକ୍, ଡାକ୍ତର ଓ ପାରାମେଡିକ୍ସଙ୍କ ଚ୍ୟାମ୍ବର, ଡ୍ରେସ୍ ପିନ୍ଧିବା ଓ ବଦଳାଇବା କକ୍ଷ ଏବଂ ଶୌଚାଳୟ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ।
ମହାମାରୀର ଦ୍ୱିତୀୟ ଲହରୀରେ ଟାଟା ଷ୍ଟିଲ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଖଡ଼ଗପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶଯ୍ୟା ବିଶିଷ୍ଟ ଏକ କୋଭିଡ-୧୯ ହସ୍ପିଟାଲର ଶୁଭାରମ୍ଭ କରାଯାଇଥିଲା ।