ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଗ୍ରାମରେ ।ବ୍ରାହ୍ମଣୀ ନଦୀରୁ ବାଲି ଚୋରା କାରବାରକୁ ନେଇ ବିବାଦରୁ ହତ୍ୟାକାଣ୍ଡ ଘଟିଥିବାର ଅଭିଯୋଗ ହୋଇଛି । ମୃତକ ହେଲେ ଗେଙ୍ଗୁଟିଆ ଗ୍ରାମର ଅଜୟ କୁମାର ରାଉତ ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ , ବାଲି ଘାଟରେ ଟ୍ରାକ୍ଟର ଯୋଗେ ଚୋରା କାରବାର କରାଯାଉଥିବା ବେଳେ ଅଜୟ ଶ୍ରମିକ ଭାବେ କାମ କରନ୍ତି । ତେବେ ଅଜୟ ଗୁରୁବାର ରାତିରେ ଶ୍ରମ ବାବଦକୁ ବକେୟା ଥିବା ଟଙ୍କା ମାଗିବାକୁ ଯାଇଥିଲେ, ବକେୟା ଟଙ୍କା ନ ମିଳିବାରୁ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିଲେ । ପରେ କେତେ ଜଣ ମିଶି ଅଜୟଙ୍କୁ ଆକ୍ରମଣ କରିବା ସହ ବାଲି ବୋଝେଇ ଟ୍ରାକ୍ଟର ତାଙ୍କ ଉପରେ ଚଢାଇ ଦେଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ଅଜୟଙ୍କର ମୃତ୍ୟୁ ହୋଇଥିଲା ।
ସଦର ପୋଲିସ ମୃତଦେହକୁ ଜବତ କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।