ସେତେବେଳେ ଆଲାରାମ ନଥିଲା, ହେଲେ ନିଦ ସେଇ ସକାଳ ୬ ସାଢେ଼ ୬ ରେ ଭାଙ୍ଗିଯାଏ। ନିଦ ଭାଙ୍ଗିଲା ବେଳକୁ କାନରେ ଶୁଭେ, ଟିଭିରୁ ଭାସି ଆସୁଥିବା ଦିନର ପ୍ରଥମ ଗୀତ। “ଅନ୍ନଦାତା..ଅନ୍ନଦାତା.. ତୁ ମୋ ଅନ୍ନ..ଦାତା!” ବୋଧେ ମୋ ପାଇଁ ଏ ଥିଲା ସକାଳର ଅଲାର୍ମ।
ହଁ, ଓଡ଼ିଆ ଟେଲଭିଜନ ସହ ମୋର ଟିକେ ନିଆରା ସମ୍ପର୍କ। କାହିଁକି ନା, ଇ ଏ ହେଉଛି ବା ମୋ ପିଲାଦିନ। ଓଡ଼ିଆ ପ୍ରୋଗ୍ରାମ ଭାବେ ଡିଡି ସିକ୍ସ (ଡିଡି ଓଡ଼ିଆ)କୁ ଅଗ୍ରାଧିକାର ମିଳିପାରେ, ହେଲେ ମୋ ପାଇଁ ପ୍ରଥମ ଥିଲା ଈଟିଭି ଓଡ଼ିଆ। ସକାଳର ଅନ୍ନଦାତା, ଆପଣଙ୍କ ପସନ୍ଦରୁ ଆରମ୍ଭ କରି ଖରାବେଳ ଯାତ୍ରାମହଲ, ସନ୍ଧ୍ୟାର ରିନା ଉଦୟଙ୍କ ଚିଠିରୁ ଆରମ୍ଭ କରି ରାତିର ରାମାୟଣ ଆଉ ଅଲିଫ ଲୈଲା। ସବୁ ମୋ ପାଇଁ ଏକ ନମ୍ବର। ଏଥିପାଇଁ କିଛି ମାଡ଼ ଗାଳି ଗ୍ରହଣ କରିବାକୁ ବି ମୁଁ ପଛାଏ ନାହି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କନ୍ତୋର ଗ୍ରାମ ରେ ମୋ ଘର ସେଇଠି ମୋ ପିଲାଦିନ କଟିଛି। ସେତେବେଳେ ବୋଧେ ପୁରା ଗାଁରେ ଏକମାତ୍ର ଟିଭି ଥିଲା। ସେଇଥିପାଇଁ ସନ୍ଧ୍ୟାରେ ଆମ ମାମା ଘର ଆଗରେ ଖଚାଖଚ ଭିଡ଼ ଜମେ। ମାଉସୀ, ଭାଗ୍ୟ ବିଧାତା, ପଣତକାନି, ତାସ ର ଘର, ତୁଳସୀ, ସଂସ୍କାର। ବର୍ତ୍ତମାନର ପିଲାମାନେ ବୋଧେ ଏ ନାଁ ସବୁ ଶୁଣିନଥିବେ।
ଆଉ ରହିଲା ନ୍ୟୁଜ…. “ନମସ୍କାର, ଆମରି ଓଡିଶାକୁ ଆପଣମାନଙ୍କୁ ସ୍ବାଗତ କରୁଛି, ମୁଁ ମୌସୁମୀ। ପ୍ରଥମେ ଖାସ୍ ଖବର।” ବୋଧେ ଏମିତି କିଛି ଥାଏ ସେ ଇନଟ୍ରୋ। ମୌସୁମୀ ମହାନ୍ତି, ମୃଣାଳ କାନ୍ତି ନନ୍ଦ, ବିଭୂତି ବିଶ୍ଵାଳ – ଏ ଇ ୩ ଜଣଙ୍କୁ ମୁଁ ଚିହ୍ନି ଥାଏ। ଟିଭିରେ କେମିତି ଏମାନେ ଆମକୁ ଅନେଇ ଏତେ କଥା କହୁଛନ୍ତି? ଏତେ କଥା କେମିତି ଯେ ମୁଖସ୍ତ କରୁଛନ୍ତି, ମୋର (a+b)³ ଠିକ୍ ରେ ମାନେ ରହୁନି। ଚିନ୍ତା ରେ ପଡ଼େ, ମନେ ମନେ ଭାରି ପ୍ରଶଂସା କରେ।
ହା ହା.. ହା..ଏଇମିତି.. ମୁଁ, ଓଡ଼ିଆ ଟେଲିଭଜନ ଆଉ ମୋ ପିଲାଦିନ।ଆଜି ବି ସେଇ ଦିନ ମନେ ପଡ଼ିଲେ ବହୁତ୍ ଖୁସି ଲାଗେ । ଅବିସ୍ମରଣୀୟ ଦିନ l