ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆପଶି ପଞ୍ଚାୟତ ଅଧୀନ ହରେକୃଷ୍ଣପୁର ଗ୍ରାମରେ ଗତ ୨୦ ତାରିଖରେ କିଛି ସମୟ ବ୍ୟବଧାନରେ ଘଟିଥିବା ନବବିବାହିତ ଦମ୍ପତି ମୃତ୍ୟୁ ଘଟଣାରେ ଏକାଦଶାହ ନିଆରା ଢଙ୍ଗରେ ପାଳନ କରାଯାଇଛି । ମୃତକ ଦିଲ୍ଲୀପ ନାୟକଙ୍କ ସାଙ୍ଗସାଥୀମାନେ ସହର ଉପକଣ୍ଠ ଶ୍ୟାମାଚରଣପୁର ସ୍ଥିତ ଆଦୃତା ଶିଶୁଗୃହ ଅନ୍ତେବାସୀଙ୍କ ମଧ୍ୟରେ ଶୁଦ୍ଧିକ୍ରୀୟା ପାଳନ କରିଛନ୍ତି । ଆଦୃତା ଶିଶୁଗୃହର ଅନ୍ତେବାସୀଙ୍କୁ ଭୋଜନ ଦେବା ସହ ଆଦାୟ ହୋଇଥିବା
ବଳକା ଅର୍ଥ ପରିଚାଳନା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି । ଏଭଳି ମହତ୍ କାମକୁ ଶିଶୁଗୃହ ସମେତ ଗ୍ରାମରେ ପ୍ରଶଂସା କରାଯାଇଛି । ପ୍ରକାଶ ଥାଉ କି, ଗତ ୨୦ ତାରିଖ ଦିନ ଢେଙ୍କାନାଳରେ ଅଭାବନୀୟ ଘଟଣା ଘଟିଥିଲା । ବୈବାହିକ ଜୀବନକୁ ୬ ମାସ ନପୁରୁଣୁ ଗୋଟିଏ ଦିନରେ ଆରପାରିକୁ ଚାଲି ଯାଇଛନ୍ତି ନବ ବିବାହିତ ଦମ୍ପତି ।
ହରେକୃଷ୍ଣପୁର ଗ୍ରାମର ଦିଲ୍ଲୀପ ନାୟକ (୩୦) ଓ ତାଙ୍କ ପତ୍ନୀ ଲିସାରାଣୀ ଦେହୁରୀ ଓରଫ୍ ପିଞ୍ଜିରି (୨୫) ଗୋଟିଏ ଦିନରେ ଡକାହକା ହୋଇ ଆରପାରିକୁ ଚାଲି ଯାଇଥିଲେ । ଲିସାରାଣୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ଖବର ପାଇ ଫେରୁଥିବା ସ୍ୱାମୀ ଦିଲ୍ଲୀପଙ୍କର ଗଁଦିଆ ବିଶ୍ୱନାଥପୁରଠାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଲିସାରାଣୀଙ୍କ ବାପଘର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ୍ ମଧ୍ୟ ଘଟଣାର ତଦନ୍ତ କରୁଛି ।
ଏପଟେ ଦିଲ୍ଲୀପଙ୍କର ରବିବାର ଏକାଦଶାହ ଥିଲା । ଦିଲ୍ଲୀପ ଜଣେ ବନ୍ଧୁବତ୍ସଳ ଓ ସାଥୀପ୍ରିୟ ହୋଇଥିବାରୁ ତାଙ୍କର ସାଙ୍ଗସାଥୀମାନେ ଭିନ୍ନ ଢଙ୍ଗରେ ଶୁଦ୍ଧିକ୍ରୀୟା ପାଳନ କରିଥିଲେ । ସାଙ୍ଗସାଥୀମାନେ ନିଜ ନିଜ ମଧ୍ୟରେ ଅର୍ଥ ଆଦାୟ କରି ଆଦୃତା ଶିଶୁଗୃହ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥିଲେ । ଏହି ଅବସରରେ ସେଠାରେ ଏକ ଶୋକସଭା ଆୟୋଜନ କରାଯାଇ ମୃତ ଦମ୍ପତିଙ୍କର ସ୍ମୃତିଚାରଣ କରାଯାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଦିଲ୍ଲୀପଙ୍କ ପିଲାଦିନର ସାଥୀ ଶମ୍ବୁନାଥ ବେହେରା, ଲକ୍ଷ୍ମୀପ୍ରିୟା ସାହୁ, ନିର୍ମଳ ବେହେରା, ଧର୍ମେନ୍ଦ୍ର ଦେହୁରୀ, ମନିଷ୍ କୁମାର ସେଣ୍ଢ, ପାପୁଲିଅନ୍ ସାହୁ, ତପନ ସାହୁ, ସୂର୍ଯ୍ୟପ୍ରସାଦ ସେଠୀ, ମଧୁସୂଦନ ମହନ୍ତ, ବିଶ୍ୱକେଶ ଦେହୁରୀ, ପ୍ରଭାସ ଖିଲାର, ଜଗବନ୍ଧୁ ବେହେରା, ସତ୍ୟନାରାୟଣ ବେହେରା, ସିଦ୍ଧାନ୍ତ ନାୟକ, କାହ୍ନୁଚରଣ ଖିଲାର, ପ୍ରଭାସିନୀ ବେହେରା, ଚିନ୍ମୟ ଦାସ, ଅନୁପମା ବେହେରା, ବିଷ୍ଣୁପ୍ରିୟା ବାରିକ, କାଦମ୍ବିନୀ ଦାସ ପ୍ରମୁଖ ସାମିଲ ହୋଇଥିଲେ ।