ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କାନପୁରାସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟଠାରେ ଅଭିଭାବକ ଶିକ୍ଷକ ମିଳିତ ବୈଠକ ଛାତ୍ର ଅଭିଭାବକ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଧ୍ରୁବ ଚରଣ ସୁନ୍ଦରାୟ ଅତିଥି ପରିଚୟ କରାଇବା ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।
ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀରାମ ରାଉତ ଗତ କୋଭିଡ୍ ସମୟରେ ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ଯେଉଁ କ୍ଷତି ହୋଇଛି ତା’ର ଭରଣା କରିବା ପାଇଁ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କିପରି ଅବିରତ ଚେଷ୍ଟା ଜାରି ରଖିଛନ୍ତି ତାହା ପ୍ରକାଶ କରିଥିଲେ । ଆଗାମୀ ହାଇସ୍କୁଲ ସମେଟିଭ୍ -୨ ପରୀକ୍ଷା, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ବିଦ୍ୟାଳୟ ସ୍ତରରେ ଶ୍ରେଣୀ ଉତ୍ତୀର୍ଣ୍ଣ ପରୀକ୍ଷା ପାଇଁ ପିଲାମାନଙ୍କୁ କିପରି ପ୍ରସ୍ତୁତ କରାଯାଉଛି ସେ ବିଷୟରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ ।
ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ମେଧାବୀ ଓ ଦୁର୍ବଳ ସ୍ତରର ପିଲାଙ୍କ ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରତି ବ୍ଲକ୍ ସ୍ତରରେ ଚାଲୁରହିଥିବା ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଅଭିଭାବକ ଶିକ୍ଷକ ବୈଠକରେ ସମସ୍ତଙ୍କୁ ଜଣାଇଥିଲେ । ବିଦ୍ୟାଳୟର ପରିଚାଳନା ଓ ଶିକ୍ଷାଦାନ ମାନ ବୃଦ୍ଧି ନିମନ୍ତେ ଉପସ୍ଥିତ ଅଭିଭାବକ ମାନଙ୍କର ମତାମତ ଗ୍ରହଣ କରାଯାଇଥିଲା । ଅଭିଭାବକ ଶ୍ରୀ ପ୍ରସାଦ କୁମାର ଦାସ,ଅଭିଭାବିକା ପ୍ରିୟମ୍ବଦା ସାହୁ ପ୍ରମୁଖ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।
ଅଭିଭାବକ ମାନେ ବିଦ୍ୟାଳୟରେ କୋଭିଡ୍ ନିୟମକୁ କଡାକଡି ପାଳନ ପୂର୍ବକ ଶିକ୍ଷାଦାନ , ଛାତ୍ରଛାତ୍ରୀମାନଙ୍କୁ ଶତପ୍ରତିଶତ ଟୀକାକରଣ ଓ ନିୟମିତ ବ୍ୟବଧାନରେ ଡାକ୍ତରୀ ଦଳ ଆସି ପିଲାମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି ବିଷୟ ଜାଣି ସନ୍ତୋଷ ପ୍ରକାଶ କରିଥିଲେ ଓ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟ କୁ ପ୍ରଶଂସା କରିଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ କୁମାର ବିଶ୍ବାଳ ଉପସ୍ଥିତ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।