News
WhatsApp Image 2023-10-04 at 17.25.00
samparksetu

ଓଡ଼ିଶାର ଜନ୍ମଦିନ

ଚଇତ୍ର ମାସର ଟାଣୁଆ ଖରା
ଆମ୍ବ ବଉଳର ବାସନା ଭରା
ସ୍ମୃତିକୁ ଉଖାରେ ମନ
ଉଣିଶ ଛତିଶି ମସିହା ଥିଲା
ଓଡ଼ିଶା ପ୍ରଦେଶ ଜନମ ନେଲା
ଏପ୍ରିଲ୍ ପହିଲା ଦିନ ।

ଓଡ଼ିଆ କହନ୍ତି ଯେତେକ ଲୋକ
ଏକତ୍ର ରହିଲେ ପାଇବେ ସୁଖ
ଏକଥା ଫିରଙ୍ଗି ଭାବି
ସ୍ଵତନ୍ତ୍ର ରାଇଜ ଗଠନ କଲେ
ଆନ୍ଧ୍ର ବଙ୍ଗଳାକୁ ପଡୋଶୀ କଲେ
ପୂର୍ଣ୍ଣ ହେଲା ଆମ ଦାବି ।

ଓଡ଼ିଶା ମାଟିର ଐତିହ୍ୟ ଗାଥା
ପୋଥି ପୁରାଣରେ ଅଛି ସାଇତା
ଶୁଣି ଗର୍ବେ ଫୁଲେ ଛାତି
କଳା ଭାସ୍କର୍ଯ୍ୟର ଅମୂଲ୍ୟ ନିଧି
ଆମ ଶ୍ରୀମନ୍ଦିର, କୋଣାର୍କ କୃତି
ଦେଖି ବିଶ୍ଵ କରେ ପ୍ରୀତି ।

କେତେ ସାହିତ୍ୟିକ, ପଣ୍ଡିତ, ସାଧୁ
ଓଡ଼ିଆ ଭାଷାରୁ କାଢ଼ିଲେ ମଧୁ
ବିବିଧ ପ୍ରକାରେ ମନ୍ଥି
ଶାସ୍ତ୍ରୀୟ, ସମୃଦ୍ଧ ମୋ ଭାଷା ଆଜି
ଅଳଙ୍କାର ସାଥେ ଉପମାରାଜି
ସନ୍ଧିରେ ସମାସ ଗୁନ୍ଥି ।

ଓଡିଆ ଜାତିର ମହତ ରହୁ
ସଦର୍ପେ ଓଡ଼ିଆ ଆଗକୁ ଯାଉ
ସାହା ହୁଅ ଚକାଆଖି
ଭାରତବର୍ଷର ନେତୃତ୍ବ ନେଇ
ଶ୍ରେଷ୍ଠ ପ୍ରଦେଶର ମାନ୍ୟତା ପାଇ
ଦେଉ ଇତିହାସ ଲେଖି ।

ବନ୍ଦେ ଜନ୍ମଭୂମି ଓଡ଼ିଶା
    
  ✍️ଡ଼ଃ.ସୌମ୍ୟେନ୍ଦ୍ର ମିଶ୍ର

new life
You might also like
error: Content is protected !!