News
WhatsApp Image 2023-10-04 at 17.25.00
samparksetu

ବନ୍ଦେ ଉତ୍କଳ ଜନନୀ

ଜଗନ୍ନାଥ ଦେଶେ   ଜନମ ମୋହର
      ଭାରତମାତା ସନ୍ତାନ
ଏ ସାରା ସଂସାର  ମୋର ପରିବାର
        ଓଡ଼ିଆ ମୁଁ ବିଶ୍ୱପ୍ରାଣ।
       
ମୋ ଘର ମୁରବି   ସ୍ଵୟଂ ଜଗନ୍ନାଥ
          ଓଡ଼ିଆର ଗେହ୍ଲା ପୁଅ
ଜନମେ ମରଣେ   ବିବାହ ବନ୍ଧନେ
         କାଳିଆ ଏକା ଆଶ୍ରୟ ।
        
ଗଜପତି ଯହିଁ     ସେବକ ବୋଲାଇ
      ଠାକୁର ତହିଁ ସୈନିକ
ଜାତି ପାଇଁ ପିତା  ନାହିଁ ପୁତ୍ର ଚିନ୍ତା
       ସାକ୍ଷୀ ତାହାର କୋଣାର୍କ ।
      
ପ୍ରେମ ଯାର ଧର୍ମ    ଅଶୋକ ନିର୍ମମ
       ପାଲଟିଲେ ଧର୍ମାଶୋକ
ଚୈତନ୍ୟ ବାଣ୍ଟିଲେ   ନାମ ପ୍ରେମଭରେ
          ଧନ୍ୟ ସେ ମାଟି ମହକ।
         
ଶୋଭା ଗନ୍ତାଘର   ପ୍ରକୃତି ଯାହାର
     ମୋହଇ କବି ନୟନ
କବିତ୍ୱେ ମହତ  ଏମ ମାଟିର ସନ୍ଥ
          ଜାତିସଂଘେ ଲଭେ ସ୍ଥାନ ।
         
ମୋ ଦେଶ ପାଇକ  ରଖିଛନ୍ତି ଟେକ
      ସଂଗ୍ରାମେ ବୀର ପଣରେ
ମୋ ଦେଶ ସାଧବ  ଅରଜେ ବିଭବ
        ସ୍ମୃତି ଯା ବାଲିଯାତ୍ରାରେ ।
       
ମଠ ଓ ମନ୍ଦିର   ସଂସ୍କୃତିର ଘର
        ଓଷା ବ୍ରତ ପରମ୍ପରା
ଲୋକଗୀତ ନୃତ୍ୟ  କେତେ ଯେ ସଙ୍ଗୀତ
       ଶିଖାଏ ଜୀବନ ଧାରା ।
      
ତପସ୍ୱୀ ସାଧକ  କେତେ ଦେଶଭକ୍ତ
       ଗଢି ଛନ୍ତି ମୋ ଉତ୍କଳ
ସକଳେ ନମସ୍ୟ   ମୋ ପାଇଁ ଅବଶ୍ୟ
        ବନ୍ଦଇ ତାଙ୍କ ପୟର ।
       
ଇତିହାସ ତାର   ବହିଛି ସ୍ୱାକ୍ଷର
     ସେ ଗୌରବ ଗାଥା ଗୁଣି
ତୋ କୋଳେ ଜନମି   ଧନ୍ୟ ଧନ୍ୟ ମୁହିଁ
        ବନ୍ଦେ ଉତ୍କଳ ଜନନୀ ।
       
                
   ✍️ଇଂ ବସନ୍ତ କୁମାର ବରାଳ
    

new life
You might also like
error: Content is protected !!