ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରଙ୍ଗଥଳି ଛକ ନିକଟରେ ୧୪୯ ନମ୍ବର ଜାତୀୟ ରାଜପଥକୁ ଲାଗି ପାଞ୍ଚ ନମ୍ବର ବସ୍ତି ବାସିନ୍ଦା ରହିଛି ।ଏଠାରେ ପ୍ରାୟ ୩୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଏମାନଙ୍କ ପାଇଁ ଘୋର ପାନୀୟ ଜଳର ଅଭାବ ରହିଛି ।
ଉକ୍ତ ବସ୍ତିରେ ୨ଟି ବୋରୱେଲ ଗୋଟିଏ ନଳକୂପ ଓ ସୋଲାର ପ୍ରଭୃତି ରହିଛି ।ସବୁ ଥାଇ ଆଜି ବସ୍ତି ବାସିନ୍ଦା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଏହାକୁ ସହ୍ୟ କରିନପାରି ବାଧ୍ୟ ହୋଇ ଉଭୟ ମହିଳା ଓ ପୁରୁଷ ମିଶି ଗରା ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଥିଲେ ।
ଉକ୍ତ ବସ୍ତିରେ ୨ଟି ବୋରୱେଲ୍ ଆଜକୁ ପ୍ରାୟ ସାତ ମାସରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହେବା ଦୁଃଖ ଓ ପରିତାପର ବିଷୟ ,ପାଣି ପାଇଁ ଯେଉଁ ସୋଲାର ବ୍ୟବସ୍ଥା ରହିଛି ତାହାକୁ ବ୍ୟବହାର କରିବା ପାଇଁ ପାଖରେ ଥିବା ନଳକୂପରୁ ଏକ ପାଇପ ସୋଲାରକୁ ସଂଯୋଗ ରହିଛି , ଯାହାକି ସେଥିରୁ ୧୫/୨୦ମିନିଟ ପାଣି ବାହାରିବା ସମ୍ଭବ ହୋଇଥାଏ ।
ବାରମ୍ବାର ପାଣି ସମସ୍ୟା ଭୋଗିବାକୁ ପଡୁଥିବାରୁ ବୁଧବାର ସକାଳ ୯ଟାରୁ ପ୍ରାୟ ଦୁଇ ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ ।ଏହାର ପ୍ରଭାବରେ ତାଳଚେର ଓ ପାଳଲହଡା ଦିଗରୁ ଆସୁଥିବା ସମସ୍ତ ଯାନବାହାନ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିଲା ।ଖବର ପାଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ନଳକୂପ ସମ୍ପୂର୍ଣ୍ଣ ଭାବେ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ପାଇ ରାଜରାସ୍ତାରୁ ଓହରିଥିଲେ ।