News
WhatsApp Image 2023-10-04 at 17.25.00
samparksetu

ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ

ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ୧୪ ଅପ୍ରେଲ ୧୮୯୧ ମସିହାରେ ମହୁ (ମଧ୍ୟପ୍ରଦେଶ)ରେ ହୋଇଥିଲା। ତାଙ୍କ ପିତା  ଶ୍ରୀ ରାମଜୀ ଶକପାଲ ଏବଂ ମାତା ଭୀମାବାଇ ଧର୍ମପ୍ରେମୀ ଦମ୍ପତି ଥିଲେ। ତାଙ୍କ ଜନ୍ମ ମହାର ଜାତିରେ ହୋଇଥିଲା,ଯାହାକି ସେତେବେଳେ ଅସ୍ପୃଶ୍ୟ ଥିଲା। ଏହି କାରଣ ପାଇଁ ଭୀମରାଓଙ୍କୁ ପ୍ରତି ମୁହୂର୍ତ୍ତରେ ଅସମାନତା ଶିକାର ହୋଇ  ଅପମାନ ସହିବାକୁ ପଡୁଥିଲା। ଏଥିପାଇଁ ତାଙ୍କ ମନରେ ସଙ୍କଳ୍ପ ଦୃଢ଼ ହେବାକୁ ଲାଗିଲା ଯେ ଏହି ରୋଗକୁ ସେ ଭାରତ ବର୍ଷରୁ ଦୂର କରିବେ।
ବିଦ୍ୟାଳୟରେ ତାଙ୍କୁ ସମସ୍ତଙ୍କ ଠାରୁ ଅଲଗା ବସିବାକୁ ପଡୁଥିଲା। ଶୋଷ ଲାଗିଲା ଅଲଗା ରଖା ହୋଇଥିବା ମଠିଆରୁ ପାଣି ପିଇବାକୁ ପଡୁଥିଲା। ଥରେ ସେ ଶଗଡ଼ରେ ବସିପଡିଥିଲେ ସେଥିପାଇଁ ତାଙ୍କୁ ଧକାଦେଇ ତଳକୁ ଠେଲି ଦେଇଥିଲେ।ତାଙ୍କର ସଂସ୍କୃତ ପଢିବାକୁ ଇଚ୍ଛା ଥିଲା , କିନ୍ତୁ ପଢ଼େଇବାକୁ କେହି ରାଜି ହେଲେ ନାହିଁ।ଥରେ ପ୍ରବଳ ବର୍ଷାରୁ ବଞ୍ଚିବା ପାଇଁ ଗୋଟେ କାନ୍ଥ ପାଖରେ ଛିଡା ହୋଇଥିଲେ , କିନ୍ତୁ ଘର ମାଲିକ ତାଙ୍କୁ କାଦୁଅକୁ ଠେଲି ଦେଲା।

ଏତେ ଭେଦଭାବ ସହିଲା ପରେବି ଭୀମରାଓ ଉଚ୍ଚଶିକ୍ଷା ପ୍ରାପ୍ତ କଲେ। ଗରୀବ ହୋଇଥିବା କାରଣରୁ ଡିବିରିରେ ଅଧିକାଂଶ ସମୟ ପଠା ପଢିବାକୁ ପଡୁଥିଲା। ତାଙ୍କ ଅଧ୍ୟାପକ ଶ୍ରୀ ଅମ୍ବା ଵାଡେକର ,ଶ୍ରୀ ପେଣ୍ଡସେ ତଥା ଶ୍ରୀ କୃଷ୍ନାଜି କେଲୁସ୍କାର ତାଙ୍କୁ ପଢ଼ିବା ପାଇଁ ସହଯୋଗ କରୁଥିଲେ। ଯେତେବେଳେ ସେ ବଡ଼ଦୋରା ମହାରାଜଙ୍କ ସଚିବ ହିସାବରେ କାମ କରୁଥିଲେ , ଚାପରାସୀ ତାଙ୍କୁ ଫାଇଲ ଫିଙ୍ଗିକି ଦେଉଥିଲା।
ଏସବୁ ଦେଖିକି ସେ ଚାକିରୀ ଛାଡିଦେଲେ ଓ ମୁମ୍ବାଇରେ ପ୍ରାଧ୍ୟାପକ ହେଲେ। ୧୯୨୩ରେ ଲଣ୍ଡନରୁ ବାରିଷ୍ଟର ଉପାଧି ନେଇ ଭାରତ ଫେରିଲେ ଓ ଓକିଲାତି ଆରମ୍ଭ କଲେ। ଏହି ବର୍ଷ ସେ ମୁମ୍ବାଇ ବିଧାନସଭାରୁ ନିର୍ବାଚିତ ହେଲେ, କିନ୍ତୁ ବିଡ଼ମ୍ବନା ଛୁଆଁଅଛୁଆଁ ରୋଗ ବର୍ତ୍ତମାନ ସୁଦ୍ଧା ତାଙ୍କ ପିଛା ଛାଡି ନଥିଲା।

୧୯୨୪ରେ ଭୀମରାଓଜୀ ନିର୍ଧନ ଓ ଦୁର୍ବଳଙ୍କ ପାଇଁ ‘ବହିଷ୍କୃତ ହିତକାରିଣୀ ସଭା’ ଗଠନ କଲେ ଏବଂ ସଂଘର୍ଷର ରାସ୍ତା ବାଛିଲେ। ୧୯୨୬ରେ ସେ ମହାଡ଼ର ଚାବଦାର ପୋଖରୀରୁ ସଂଘର୍ଷ ଆରମ୍ଭ କଲେ ଏବଂ ତାଙ୍କୁ ଏଥିରେ ସଫଳତା ମିଳିଲା । ଉକ୍ତ ପୋଖରୀରୁ ପଶୁ ପାଣି ପିଇ ପାରୁଥିଲେ କିନ୍ତୁ ଅଛୁଆଁ ବର୍ଗକୁ ପୋଖରୀ ବ୍ୟବହାର ପାଇଁ ଅନୁମତି ନଥିଲା।

ଏହିଭଳି ଭାବରେ ୧୯୩୦ରେ ନାସିକର କାଲାରାମ ମନ୍ଦିର ପ୍ରବେଶ ପାଇଁ ସଂଘର୍ଷ ଓ ସତ୍ୟାଗ୍ରହ କରିଥିଲେ।ସେ ପଚାରିଥିଲେ  ଯଦି ଭଗବାନ ସମସ୍ତଙ୍କର ତେବେ ମନ୍ଦିରକୁ କିଛି ଲୋକଙ୍କୁ କାହିଁକି ପ୍ରବେଶ ମିଳିବ ନାହିଁ। ଅଛୁଆଁ ବର୍ଗଙ୍କ ଅଧିକାର ପାଇଁ ସେ ଅନେକ ଥର କଂଗ୍ରେସ ତଥା ବ୍ରିଟିଶ ଶାସନ ସହ ଲଢେ଼ଇ କରିଛନ୍ତି।

ଭାରତ ସ୍ୱତନ୍ତ୍ରତା ପାଇଲା ପରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ତାଙ୍କୁ ଆଇନ ମନ୍ତ୍ରୀ ଦାଇତ୍ୱ ଦିଆଗଲା।ଭାରତ ବର୍ଷର ନୂଆ ସମ୍ବିଧାନ ତିଆରି କରିବା ପାଇଁ ହୋଇଥିବା କମିଟିରେ ସେ ଅଧ୍ୟକ୍ଷ ଥିଲେ। ଏହି କାରଣରୁ ତାଙ୍କୁ “ଆଧୁନିକ ମନୁ” କହିବା ଉଚିତ ହେବ।

ଛୁଆଅଛୁଆଁ ଭେଦଭାବ ପାଇଁ ସମ୍ବିଧାନରେ ବହୁତ କଠୋର ଦଣ୍ଡ ବିଧାନ ରହିବା ସତ୍ତ୍ୱେ  , ସମାଜର ଏହି ରୋଗ ଗ୍ରାସି ସାରିଥିଲା। ଏଥିପାଇଁ ସେ ସବୁବେଳେ ଦୁଃଖୀ ଥିଲେ। ସେଥିପାଇଁ ସେ ହିନ୍ଦୁ ଧର୍ମ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ। ଏକଥା ଜଣା ପଡ଼ିବା ମାତ୍ରେ ଇଶାଇ ଓ ମୁସଲମାନ ନେତା ବିଭିନ୍ନ ପ୍ରଲୋଭନ ନେଇ ତାଙ୍କ ପାଖରେ ପହଞ୍ଚିଲେ। କିନ୍ତୁ ଭାରତ ଭକ୍ତ ଡ଼ା: ଆମ୍ବେଦକର ଜାଣିଥିଲେ ଯେ ବିଦେଶୀ   ସମ୍ପ୍ରଦାୟକୁ ଯିବା ଅର୍ଥ ଦେଶଦ୍ରୋହ ସହ ସମାନ ହେବ। ତେଣୁ ବିଜୟା ଦଶମୀ (୧୪ଅକ୍ଟୋବର ୧୯୫୬)ରେ ନାଗପୁର ଠାରେ ତାଙ୍କ ଧର୍ମପତ୍ନୀ ଓ ହଜାର ହଜାର ଅନୁଗାମୀଙ୍କୁ ନେଇ ଭାରତରେ ଜନ୍ମିତ ବୌଦ୍ଧ ମତକୁ ସ୍ୱୀକାର କଲେ। ଏହା ଭାରତ ବର୍ଷ ପାଇଁ ବହୁତ ବଡ଼ ଉପକାର ଅଟେ।
୬ଡିସେମ୍ବର ୧୯୫୬ରେ ଏହି ମହାନ ଦେଶ ଭକ୍ତଙ୍କ ଦେହାନ୍ତ ହୋଇଥିଲା।

ଯେଉଁଦିନ ସମାଜରୁ ସବୁ ପ୍ରକାର ଭେଦଭାବ ଦୁରହେବ ସେଦିନ ହିଁ ତାଙ୍କପ୍ରତି ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ହେବ।

✍️ସସ୍ମିତ୍ କୁମାର ବେହେରା

new life
You might also like
error: Content is protected !!