News
WhatsApp Image 2023-10-04 at 17.25.00
samparksetu

ଶୁକ୍ରାଙ୍ଗ ଜନ୍ମ ରହସ୍ୟ

ପ୍ରଭୁ ରାମଚନ୍ଦ୍ର ପାଳି ପିତୃସତ୍ୟ
ରାଜ ସିଂହାସନ ତେଜି,
ହର୍ଷୋଲ୍ଲାସେ ଘେନି ଭ୍ରାତା ସାଥେ ପତ୍ନୀ
ଚିତ୍ରକୂଟରେ ବିରାଜି।…………(୧)

ନିଘଞ୍ଚ କାନନୁ ପକ୍ବ ଫଳ ତୋଳି
କରନ୍ତି କ୍ଷୁଧା ମୋଚନ,
ସ୍ବଚ୍ଛ ସୁଶୀତଳ ଝର ଜଳପାନ
ସୁଖେ ଦିବା ଅବସାନ ।…………(୨)

ଜନକ ନନ୍ଦିନୀ ସୀତା ଠାକୁରାଣୀ
ପ୍ରଭୁଙ୍କର ଅର୍ଦ୍ଧାଙ୍ଗିନୀ,
ସ୍ବାମୀଙ୍କୁ ଆଦର୍ଶ ସ୍ବଜୀବନେ ମଣି
ଦିନ କାଟୁଥାନ୍ତି ଗଣି ।…………(୩)

ବିଶ୍ରବା ନନ୍ଦନ ପାପୀ ଦଶାନନ
ମାତାଙ୍କୁ ଯେ ପାପ ଦୃଷ୍ଟି,
ଛଳନାରେ ତାଙ୍କୁ କରିଲା ହରଣ
କରି ମାୟାମୃଗ ସୃଷ୍ଟି।…………(୪)

ମାତାଙ୍କ ବିହୁନେ ନାନା ଶଙ୍କେ ମନେ
ପ୍ରଭୁ ହେଲେ ଅସ୍ତ ବ୍ୟସ୍ତ,
ସତେ ଚତୁର୍ଦ୍ଦିଗ ଅନ୍ଧକାରମୟ
ଶୂନ୍ୟ, ନ୍ୟୁନ,ଭାରାକ୍ରାନ୍ତ
।…………(୫)

ଫିକା ଫିକା ଲାଗେ ସରଗର ଇନ୍ଦୁ
ତୁଚ୍ଛ ପୁଷ୍ପ ପାରିଜାତ,
ବିରହ ବିମର୍ଷ ଅଥୟ ଅଶାନ୍ତ
ମାତା ଅଦ୍ୟାନୁପସ୍ଥିତ।…………(୬)

ଦିବା ଦଶଘଡି ଦଶ ଯୁଗ ପ୍ରାୟ
ନିଶା କାଳରାତ୍ର ପରି,
ମର୍ଯ୍ୟାଦା ପୁରୁଷ ବିରହ ମାନସେ
ହେଲେ ବୈଦେହୀଙ୍କୁ ଝୁରି।…………(୭)

ଅସମ୍ଭାଳ ହୃଦେ ସୀତୟା ସନ୍ଧାନେ
ପ୍ରଭୁ ହେଲେ ଅଗ୍ରସର,
ଗିରି,ବନ,ସିନ୍ଧୁ, ସରଗ,ପାତାଳ
ସର୍ବ କରି ଏକାକାର।…………(୮)

ପାରିଲେନି କରି ଠାବ କାହିଁ ଅବା
ତିନି ପୁରରେ କେଉଁଠି,
କୌଶଲ୍ୟା ନନ୍ଦନ ସତେ ଦୃଷ୍ଟିହୀନ
ମାତା ଥିଲେ ତାଙ୍କ ଯଷ୍ଟି।…………(୯)

ମାତାଙ୍କୁ ମୁରୁଛି ପ୍ରଭୁ ରାମଚନ୍ଦ୍ର
ଅଶାନ୍ତ ଅସ୍ଥିର ମନ,
ଉଦାସ ମାନସେ ଲୋତକ ନୟନେ
କରନ୍ତି ସୀତା ସନ୍ଧାନ।…………(୧୦)

ପ୍ରଭୁ ପାଦ ଦ୍ବୟ ଯୋଜନ ଯୋଜନ
ପଥ କରି ଅତିକ୍ରାନ୍ତ,
ମାତାଙ୍କୁ ନ ଭେଟି ହୃଦୟ ବିଳାପେ
କ୍ଲାନ୍ତ,ଶ୍ରାନ୍ତ ମନ ଚିତ୍ତ।…………(୧୧)

ଦିନେ ପ୍ରଭାତରୁ ମାତାଙ୍କ ସନ୍ଧାନେ
ପ୍ରଭୁ ଚଳୁଥିଲେ ପଥ,
ଶୁକ୍ରାଙ୍ଗ-ଶୁକ୍ରାଙ୍ଗୀ ରମଣେ ରଞ୍ଜିତ
ପ୍ରଭୁ ଦେଖି କ୍ରୋଧାନ୍ବିତ।…………(୧୨)

ହାୟରେ ମୟୂର ତୁ ଏଡେ ପାମର
ଭୁଲି ଗଲୁ ରୀତି ନୀତି,
ଅଂଶୁମାନ କରେ ଦ୍ବି’ଘଡି ବେଳରେ
ପ୍ରେୟସୀକୁ ବାଣ୍ଟୁ ପ୍ରୀତି।…………(୧୩)

ଘେନ ମୋର ଶାପ ହେବୁ ଭସ୍ମୀଭୂତ
କରିବୁ ଯେବେ ରମଣ,
ମୂର୍ଦ୍ଧନା ଫାଟିବ ସହସା ସେକ୍ଷଣି
ହୋଇବ ନିଶ୍ଚେ ମରଣ।…………(୧୪)

ମୋର ଅଭିଶାପ ନହେବ ନିଷ୍ଫଳ
ଅକାଟ୍ୟ ବଚନ ଏ ତ’,
ଏହି ମୂହୁର୍ତ୍ତରୁ ପତ୍ନୀ ସଙ୍ଗ ତେଜି
ବ୍ରହ୍ମଚର୍ଯ୍ୟେ ହୁଅ ଲିପ୍ତ।…………(୧୫)

ପ୍ରଭୁଙ୍କ ଶ୍ରୀମୁଖୁ ଶୁଣି ତିକ୍ତ ଶାପ
ଭିଜା ଚକ୍ଷୌ ବେନି କେକୀ,
ପ୍ରଭୁଙ୍କ ସମ୍ମୁଖେ ଦୁଃଖ ଜର୍ଜରିତେ
ହେଲେ ବେନି ପ୍ରାଣୀ ଦୁଃଖୀ।…………(୧୬)

ବେନି କେକୀ ନମ୍ରେ ଅନୁତାପ ହୃଦେ
ପ୍ରଭୁଙ୍କୁ ଭାଷନ୍ତି ଯାଇ,
ତବ ଅଭିଶାପ ହେଲେ ଫଳପ୍ରଦ
(ଆମ)ବଂଶ ଯିବ ଲୋପ ହୋଇ।…………(୧୭)

ନୋହିଲେ ସଂଭୋଗ ମୟୂର କୁଳରେ
ବତ୍ସ କିପରି ଜନ୍ମିବ?
କିଛି ଦିନ ଅନ୍ତେ ତୁମ୍ଭ ଚରାଚରୁ
ଶିଶୀ ନାମ ଲିଭି ଯିବ।…………(୧୮)

ଅଭିଶାପ ଯଦି ଦେଲ ବିଶ୍ବସ୍ରଷ୍ଟା
ବଞ୍ଚିବାକୁ ରାହା ଦିଅ,
ତବ ସୁଦୟାରେ ରକ୍ଷା କର ଆମ୍ଭେ
ସଦା ରାମ ନାମ ଜୟ।…………(୧୯)

କରି ନିବେଦନ ଅସୀମ,ଅମାପ
ପ୍ରଭୁ ଶ୍ରୀପୟରେ ଲୋଟି,
ଅଶ୍ରୁ ଜଳଧାରେ ମଗ୍ନ ବେନି ହୃଦ
ବିଖଣ୍ଡିତ ହୁଏ ଫାଟି।…………(୨୦)

ଶୁକ୍ରାଙ୍ଗୀ ସଧୀରେ ବୋଲେ ଏ ମହୀରେ
କିବା ମୋର ପ୍ରୟୋଜନ,
ନଲଭି ମାତୃତ୍ବ ଅପୂର୍ଣ୍ଣ ଅକାମ୍ୟ
ଶତଧିକ୍ ନାରୀଜନ୍ମ।…………(୨୧)

ଅପୁତ୍ରିକ ଦୋଷ କଠୋର,ମର୍ମର
ଜାଣିଛି ମୋହରି ହୃଦ,
ଥିଲେ ବା ସୌନ୍ଦର୍ଯ୍ୟ ତିଳେ ନାହିଁ କାର୍ଯ୍ୟ
ଖେଳାଏ ମନେ ବିଷାଦ।…………(୨୨)

ମୟୂରୀ ବେଦନା ପ୍ରଭୁ ରାମଚନ୍ଦ୍ର
ପାରିଲେନି ଆଉ ସହି,
ପ୍ରତିକାର ପନ୍ଥା ବେନି ପ୍ରାଣୀ ପାଶେ
ଉପାୟ ଦେଲେ ବତାଇ।…………(୨୩)

ପ୍ରଭୁଙ୍କ ନିର୍ଦ୍ଦେଶେ ଶୁକ୍ରାଙ୍ଗ,ଶୁକ୍ରାଙ୍ଗୀ
ଥାନ୍ତି କଳା ମେଘ ଚାହିଁ,
ମେଘାଚ୍ଛନ୍ନ ନଭ ସ୍ବନେତ୍ରେ ଦେଖିଲେ
ଖୁସିରେ ଅଧୈର୍ଯ୍ୟ ହୋଇ।…………(୨୪)

ଆନନ୍ଦ ଲହରୀ ହୃଦେ ଖେଳିଯାଏ
ମୟୂର ମୟୂରୀ ଭୋଳ,
ନର୍ତ୍ତକ ପ୍ରାୟ ଯେ ନୃତ୍ୟ କରୁଥାନ୍ତି
ଘନ ଆକାଶର ତଳ।।…………(୨୫)

ସେହି ମୂହୁର୍ତ୍ତରେ ମୟୂର ଶରୀରୁ
ସ୍ଖଳନ ହୁଅଇ ରେତ,
ଚଞ୍ଚୁରେ ମୟୂରୀ ଆସ୍ବାଦନେ ତାକୁ
ଗର୍ଭେ ଡିମ୍ବ ହୁଏ ଜାତ।।…………(୨୬)

ପ୍ରଭୁଙ୍କ କଲ୍ୟାଣେ କିଛି ଦିନ ଅନ୍ତେ
ଶିଶୀ ପ୍ରସବାଏ ଡିମ୍ବ,
ଉଷୁମାଏ ଯେଣୁ ଯତ୍ନ ସହକାରେ
ସନ୍ତାନ ହୁଏ ସମ୍ଭବ।…………(୨୭)

ପ୍ରଭୁ ସୁଆଶିଷେ ସୁଦୟା ନିର୍ଦ୍ଦେଶେ
ଶିଶୀ ହେଲା ଗର୍ଭବତୀ,
ଜନ୍ମିଲା ସନ୍ତାନ ନହୋଇ ରମଣ
ଧନ୍ୟ ପ୍ରଭୁ ଦାଶରଥି।…………(୨୮)

✍️ରାକେଶ ସାହୁ

new life
You might also like
error: Content is protected !!