ତୁହି ଅଛୁ ଯେବେ ସବୁ ଅଛି ମୋର
କିଛି ଲୋଡ଼ା ନାହିଁ ଆଉ ।
ବାପାଙ୍କ ବିହୁନେ ତୋ ମୁହଁକୁ ଚାହିଁ
ବଞ୍ଚି ଆସିଛି ଲୋ ବୋଉ ।।
ନାରିକେଳ ପରି ଉପରକୁ ଟାଣ
ଅନ୍ତରେ ଅମୃତ ଭରା ।
ମିଛେ ସିନା ରୁଷି ଗରଗର ହେଉ
ତୋ ପରି କେ ହେବ ପରା ।।
ତୋ ଅମାପ ପ୍ରେମ ମାପିକି ପାରିବ
ଏହି ହତଭାଗା ପୁଅ ।
ନିକିତୀରେ ତାକୁ ତଉଲି ପାରେକି
ତୋର ସେ ଅମାପ ସ୍ନେହ ।।
ନିଜେ କଣ୍ଟା ପଥେ ଚାଲିଲୁ ଜନନୀ
ବିଞ୍ଚି କୁସୁମ ମୋ ପାଦେ ।
ନିଜେ ଲୁହ ପିଇ ମୋ ମୁହଁରେ ହସ
ଫୁଟାଇଛୁ ମୋର ହୃଦେ ।।
ତୁହି ଅଛୁ ବୋଲି ବାପାଙ୍କ ଅଭାବ
ଜାଣିନି ଲୋ ବୋଉ ମୋର ।
ପିଲାଟି ଦିନରୁ ଦେଇ ଆସିଅଛୁ
ଦୁଇ ଜଣଙ୍କ ଆଦର ।।
କୋଉ ଜନମର କୋଉ ପାପ ପାଇଁ
ପାଇଲିନି ବାପା ସ୍ନେହ ।
ତଥାପି ଲୋ ବୋଉ ସ୍ୱର୍ଗ ସୁଖ ଲାଗେ
ଚାହିଁଦେଲେ ତୋର ମୁହଁ ।।
ବାପାଙ୍କ ଆଶିଷ ପାଇନାହିଁ ବୋଲି
ଦୁଃଖ ନାହିଁ ତିଳେ ମନେ ।
ତୋର ପଣତରେ ଦୁହିଁଙ୍କ ଆଦର
ପାଇଅଛି ଅନୁକ୍ଷଣେ ।।
ତୁହି ଥାଉ ଥାଉ କୋଉ କଥାକୁ ମୋ
ଡ଼ର ଭୟ ନାହିଁ ଆଉ ।
ତୋର ପାଦତଳେ କୋଟିଏ ପ୍ରଣତୀ
ତୁହି ମୋର ବାପା ବୋଉ ।।
✍️ସୁଶାନ୍ତ କୁମାର ମଲ୍ଲିକ