ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ସର୍ବବୃହତ ଚିନି କାରଖାନା ଶକ୍ତି ସୁଗାର୍ସ ବିକ୍ରି ହେବାକୁ ସବୁପ୍ରକାର ମସୁଧା ଚାଲିଛି । ଜିଲ୍ଲାରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଉଥିବା ବେଳେ ଶକ୍ତି ସୁଗାର୍ସ ବନ୍ଦ ହେବା ଆଶଙ୍କାରେ ଶ୍ରମିକ ପରିବାର ଆଶା ଆଶଙ୍କାରେ ରହିଛନ୍ତି ।
ଜିଲ୍ଲାରେ ୨୦୧୧ ଜନସଂଖ୍ୟା ଅନୁସାରେ ୧୧ଲକ୍ଷ ୯୨ ହଜାର ୮୮୧ ଲୋକ ବସବାସ କରୁଥିବାର ଜଣାପଡିଛି । ଜିଲ୍ଲାରେ ମୋଟ ୮ଟି ବ୍ଲକ ରହିଥିବା ବେଳେ ୨୧୨ଟି ଗ୍ରାମ ପଞ୍ଚାୟତ ରହିଛି । ଜିଲ୍ଲାରେ ୫ଟି ଶିଳ୍ପାଞ୍ଚଳ ରହିଛି । ଜିଲ୍ଲାରେ ଥିବା ହଜାର ହଜାର ଶ୍ରମିକ କ୍ଷୁଦ୍ର ଶିଳ୍ପ ଏବଂ ଅନ୍ୟାନ୍ୟ ଶିଳ୍ପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିର୍ଭର କରୁଥିବା ବେଳେ ବଡ କାରଖାନାରେ ଶ୍ରମିକ ମାନେ ନିଜର ଦୈନନ୍ଦିନ କାର୍ଯ୍ୟ କରୁଥିବାର ଜଣାପଡିଛି । ଜିଲ୍ଲାରେ ୧୯୯୨ ମସିହାରେ ଏକ ଚିନି କାରଖାନା ପାଇଁ ସହର ଉପକଣ୍ଠ ହରିପୁର ଠାରେ ଶକ୍ତି ସୁଗାର୍ସ ସଂସ୍ଥା ପକ୍ଷରୁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ୧୯୯୪-୯୫ ମସହିାରେ କାରଖାନା ତାର ବ୍ୟବସାୟୀକ ଉତ୍ପାଦନ ଆରମ୍ଭ କରିଥିଲା ।
ରାଜ୍ୟର ବୃହତ ଚିନି କାରଖାନାଟି ହରିପୁର ନିକଟରେ ପ୍ରାୟ ୧ଶହ ଏକର ଜମିରେ ସ୍ଥାପନ କରାଯାଇଥିବା ବେଳେ ୧ଶହ କୋଟି ଟଙ୍କା ବିନିଯୋଗ କରାଯାଇଥିଲା । ବାର୍ଷିକ ୫ଶହ କୋଟି ଟଙ୍କାର ବ୍ୟବସାୟ କରୁଥିବା ଏହି କାରଖାନା ପ୍ରତି ବର୍ଷ ୧୯ ହଜାର ଟନ ଆଖୁ ପେଡିବାର ବ୍ୟବସ୍ଥା କରିଥିଲା ।ବାର୍ଷିକ ୨୫ଶହ ମେଟ୍ରିକ ଟନ ଚିନି ଉତ୍ପାଦନ ସହିତ ଏହି କାରଖାନାରୁ ୧୯୯୬ ମସିହାରେ ଆଲକହଳ ଉତ୍ପାଦନ କରିଥିଲା । ଏହା ସହିତ ଏହି କାରଖାନାରୁ ମୋଲାସିସ ଉତ୍ପାଦନ ସହିତ ଜୈବଖତ,ଚିନି,ସୋୟାବନି ,ସିରିଲସ ଆଦି ଉତ୍ପାଦନ କରାଯାଇ ଦେଶ ବିଦେଶକୁ ରପ୍ତାନୀ କରାଯାଉଥିଲା ।ସର୍ବ ବୃହତ ଚିନି କାରଖାନାକୁ ଏବେ ବିକ୍ରୟ କରିବାକୁ ଯୋଜନା ଚାଲିଛି ।
ଏହି କାରଖାନା ସ୍ଥାପନା ହେବା ପରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଚାଷୀ ଆଖୁଚାଷ କରି ଲାଭବାନ ହେବା ସହିତ ସ୍ୱାବଲମ୍ବି ହୋଇପାରୁଥିଲେ । ଆଖୁ ଚାଷ ପାଇଁ କାରଖାନା ତରଫରୁ ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇ ଚାଷୀମାନଙ୍କୁ ଜଳ ଯୋଗାଣ ମଧ୍ୟ କରାଯାଉଥିଲା । ଶକ୍ତି ସୁଗାର୍ସ କାରଖାନା ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଦଇୁ ଶହ ଶ୍ରମିକ ଉପକୃତ ହେଉଥିବା ବେଳେ ପରୋକ୍ଷରେ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।
ସେହିପରି ଆଖୁ ଭଳି ଲାଭଜନକ ଫସଲ ଉତ୍ପାଦନ କରି ଢେଙ୍କାନାଳ ସହିତ କଟକ,ଖୋର୍ଦ୍ଧା,ଯାଜପୁର ଏବଂ ଅନ୍ୟାନ୍ୟ ଜିଲ୍ଳାର ଚାଷୀମାନେ ଉପକୃତ ହେଉଛନ୍ତି । କିନ୍ତୁ ଏହି କାରଖାନାକୁ ବନ୍ଦ କରିବା ପାଇଁ ହୀନ ଚକ୍ରାନ୍ତ ଚାଲିଛି । ବାର୍ଷିକ ଭଲ ଉତ୍ପାଦନ କରୁଥିବା କାରଖାନାକୁ ବିକ୍ରି କରିବା ପାଇଁ ବୋର୍ଡ ମଞ୍ଜୁରୀ ପ୍ରଦାନ କରିଛି ।ଏପରିକି କାରଖାନାରେ ଲଗାତାର କ୍ଷତି ହେଉଥବା ଦର୍ଶାଇ କାରଖାନା କର୍ତ୍ତୃପକ୍ଷ ଏହି ନଷ୍ପତି ନେଉଛନ୍ତି । ବାର୍ଷିକ ୩ଶହରୁ ୪ଶହ କୋଟି କ୍ଷତି ହେଉଥିବାର କାରଖାନା ପ୍ରକାଶ କରିଛି ।
ଜିଲ୍ଲାରୁ ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ ହୋଇ ପଡୁଥିବା
ବେଳେ ଏବେ ଶକ୍ତି ସୁଗାର୍ସ ବନ୍ଦହେବା ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।ଜିଲ୍ଲାରୁ ନୀଳାଚନ ରିଫ୍ରାକ୍ଟୋରିଜ, ରିଲାଏନସ,ଇପିଷ୍ଟିଲ,ଏସଏନକରପୋରେସନ,ଗୋବିନ୍ଦପୁର ସୁତାକଳ ଭଳି କାରଖାନା ବନ୍ଦ ହେବା ପରେ ହଜାର ହଜାର ଶ୍ରମିକ ନିଜର ରୋଜଗାର ହରାଇ ଦାଦନ ଶ୍ରମିକ ଭାବରେ ମୂଲ ମଜୁରୀ କରୁଛନ୍ତି । ପୁଣି ଜିଲ୍ଲାରେ ଥିବା ସର୍ବବୃହତ ଚିନି କାରଖାନା ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।