ଏକ ଖୁଦ୍ରଗଳ୍ପ
ଏବେ ବହି ପଢାପଢି ଟିକେ କମିଗଲାଣି, ବସ୍ ରେ ପଢାପଢିତ ନାହିଁ କହିଲେ ଚଳେ । ଆଜି ସକାଳେ ଯେତେବେଳେ ବସ୍ ରେ ଉଠିଲି ଦେଖିଲି ବସ୍ ପୁରାପୁରି ଫାଙ୍କା । ଛାଡିବାକୁ ଆହୁରି କୋଡିଏ କି ପଚିଶ ମିନିଟ୍ ବାକିଥାଏ । ଅଗତ୍ୟା କାଲିରାତିରେ ଶେଷ କରିପାରିନଥିବା ବହିଟିକୁ ବ୍ୟାଗରୁ ବାହାର କଲି । ପଢୁପଢୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହଠାତ ମନେ ପଡିଗଲା ପ୍ରାୟ ପନ୍ଦର ବର୍ଷ ତଳର ଘଟଣାଟେ ।
ସେଦିନ କେଉଁ ଏକ ଛୋଟ ସହରରୁ ଆଉ ଗୋଟେ ଛୋଟ ସହରକୁ ଯିବାର ଥାଏ । ବ୍ୟବଧାନ ପ୍ରାୟ ୧୨୦ କି ୧୩୦ କିମି । କଣ୍ଡକ୍ଟରଙ୍କୁ କହିଥିଲି ଝରକା ସିଟ୍ ଟେ ପାଇଁ । କିନ୍ତୁ ବସ୍ କୁ ଉଠିଦେଖିଲି ଝରକାସିଟ୍ ଟି ଆଉ ଜଣକ ଅକ୍ତିଆରେ । ଝିଅଟିଏ ବହିପଢାରେ ନିମଗ୍ନା । ବସ୍ ଭିଡହେଇଆସିଲାଣି ।ଛାଡିବ ପ୍ରାୟ । ଝରକା ସିଟ୍ ପାଇବା ଆଶାନାହିଁ । ପରବର୍ତ୍ତୀ ବସ୍ ଘଣ୍ଟାଏ ପରେ । ଲଗେଜ୍ କ୍ୟାରିୟର ରେ ବ୍ୟାଗଟି ରଖି ସାଇଡ୍ ସିଟରେ ବସଲି ।
ଝିଅଟି ସେମିତି ଏକଲୟରେ ପଢୁଥାଏ। ବହି ପ୍ରତି ପିଲା ଦିନରୁ ଏକପ୍ରକାର ଲୋଭଥାଏ । ଜାଣିବାକୁ ଇଛାହେଉଥାଏ କେଉଁ ବହି, କାହା ଲେଖା । ଚେଷ୍ଟା କରୁଥାଏ ନାଁ ଟିକୁ ପଢିନେବାକୁ, କିନ୍ତୁ ସମ୍ଭବ ହେଉନଥିଲା । ଏମିତି ଧରିକି ପଢୁଥାଏ ସତେକି ନିଷିଧ ଉପନ୍ୟାସ ଟେ । ପକାଫୁଲେଇଟେ ହେଇଥିବ !
ସେ ବହିଟିର ଶେଷ କେତେପୃଷ୍ଟା ପଢୁଥାଏ । ମୁଁ ସିଟ୍ ଉପରେ ମୁଣ୍ଡଟି ରଖି ଶୋଇବାକୁ ଚେଷ୍ଟା କରୁଥାଏ । ଗାଡି କୌଣସି ଏକ ଛକରେ ରହିଲା । ଚା ପିଇବାକୁ ଅନେକ ଓହ୍ଲେଇଲେ ମୋ ସମେତ । ଝିଅଟି ସେମିତି ପଢୁଥାଏ ।
ଚା ପିଇ ଉଠିଲାବେଳକୁ ଦେଖିଲି ଝିଅଟି ସିଟ୍ ରେ ନାହିଁ । ବୋଧେ ତଳକୁ ଯାଇଛି । ବହିଟି କିନ୍ତୁ ସିଟ୍ ଉପରେ ଥୁଆ ହେଇଥିଲା । ଏପଟ ସେପଟ ଅନେଇ ଉଠେଇଆଣିଲି ।
ଆରେ ଏଇଟାତ ଏବେ ଏବେ ବଜାରକୁ ଆସିଥିବା ମୋ ପ୍ରିୟ ଲେଖକଙ୍କର ବହି । ନିକଟରେ ସମିକ୍ଷାଟିଏ ଖବରକାଗଜରେ ବାହାରିଥିଲା । ବହିଦୋକାନରେ ବି ଖୋଜିଥିଲି, ମିଳିନଥିଲା, ଏଇ ଛୋଟିଆ ସହରଟିକୁ ଏତେ ଶୀଘ୍ର ଆସେନି ।
ଶୀଘ୍ର ଶୀଘ୍ର କେତେପୃଷ୍ଟା ପଢିପକେଇବାକୁ ପ୍ରବଳ ଇଛା ହେଉଥିଲା । କିନ୍ତୁ ଝିଅଟି ବସ୍ କୁ ଉଠୁଥିଲା । ଆସ୍ତେକି ଥୋଇଦେଲି । ଝିଅଟି ଆସି ଯେଉଁଠୁ ଛାଡିଥିଲା ସେଇଠୁ ଆରମ୍ଭ କଲା । ମନେ ମନେ ଖୁସିହେଲି ବୋଧେ ଆଉ ଦୁଇତିନି ପୃଷ୍ଠା ଅଛି । ପଢିସାରିଲା ପରେ ମାଗିନେଇ ବସ୍ ପହଞ୍ଚିବା ପର୍ଯ୍ଯନ୍ତ ଅତ୍ୟନ୍ତ କେତେ ପୃଷ୍ଠା ପଢିପାରିବି ।କିଛି ନହେଲେ ମୁଖବନ୍ଧ ଟି ପଢିନେବି ।
ନା ମାଗିବା ପୂର୍ବରୁ ପଢିସାରିଲା ମାତ୍ରେ ବହିଟିକୁ ନେଇ ତା ହ୍ୟାଣ୍ଡବ୍ୟାଗ୍ ରେ ଥୋଇଦେଲା । ଛି ଝିଅଗୁଡାକ ସତରେ ଭାରି ମିନ୍ । ସତେକି ତା ବହିଟା ନେଇ ଖାଇଯିବି । ଛାଡ ।
ତା ଆଡକୁ ଟିକେବି ଅନେଇବାକୁ ଆଉ ଇଛା ହେଉନଥିଲା । ଭାରି ଇଗୋଇଷ୍ଟ ହେଇଥିବ । କିଏ ପଚାରୁଛି ।
ମୋର ଏଇଭିତରେ ଆଖି ଲାଗିଯାଇଥିଲା । ବସ୍ ଯାଇଁ ଗନ୍ତବ୍ୟ ସ୍ଥାନରେ ପହଞ୍ଚିସାରିଲାଣି । ସମସ୍ତେ ନିଜ ନିଜର ଲଗେଜ୍ ଧରି ଓହ୍ଲଉଛନ୍ତି, ମୁଁ ବି ଓହ୍ଲେଇଲି । ତାକୁ ଅନେଇବାକୁ ଟିକେବି ଇଛା ହେଉନଥିଲା । ମନେ ମନେ ଭାବୁଥିଲି ଯାହାଘରକୁ ବାହାହେଇଯିବ ତା ସଂସାର ଗଲା ।
ଓହ୍ଲେଇସାରି ଅଳ୍ପବାଟ ଚାଲି ଚାଲିଗଲାବେଳେ ପଛରୁ କିଏ ଡାକିବା ପରି ଲାଗିଲା । ସେଇଝିଅଟା । ବୋଧେ କେଉଁ ଠିକଣା ପଚାରିବ । କେଡେ ଅଲାଜୁକି ଟା ମ ।
ହସି ହସି ଆସୁଥାଏ । ନା ମୋର ଇଛାନଥିଲା ଟିକେବି ହସିବାପାଇଁ ।
ପାଖରେ ଆସିଠିଆ ହେଲା “ବହିଟା ବୋଧେ ଆପଣଙ୍କ ର ପସନ୍ଦ । ମୁଁ ପଡିସାରିଲିଣି ।ନିଅନ୍ତୁ” କହି ବ୍ୟାଗ୍ରୁ କାଢି ଧରେଇଦେଲା ।
ମୁଁ ଥତମତ ହେଇରହିଗଲି । ପୁଣିଥରେ ହସିଦେଲା । ଏଥର ଟିକେ ଯୋର୍ ରେ।
“ଆରେ ପଢିସାରିଲା ପରେ ଆଉଯଦି କେହି ପଢିବା ପାଇଁ ଚାହାନ୍ତି ଦେଇଦେବେ ।”
ସେ ସେମିତି ହସି ହସି ଚାଲିଯାଉଥାଏ, ଆଉ ମୁଁ ସେଇଠି ବହିଟି ଧରି ଅନେଇରହିଥିଲି ଅନେକ ସମୟଧରି ।
କୁଆଡେ ଗଲେ ସେ ଝିଅ ସବୁ !!!!
✍️ପ୍ରଶାନ୍ତ କୁମାର ଦାସ