ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବ୍ଲକ ନବକିଶୋର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୧ ମସିହାରୁ ବନ୍ଦ କରିଦିଆଯିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରୁ ବିରତ ହେଉଛନ୍ତି । ବିଦ୍ୟାଳୟକୁ ପୁନଃ ଚାଲୁ କରିବା ପାଇଁ ବାରମ୍ବାର ଦାବି ସତ୍ୱେ କୌଣସି ଫଳ ନମଳିବାରୁ ଗ୍ରାମବାସୀ ମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ଘଟଣା ବେଶ ଆଲୋଚନାର ବିଷୟ ହୋଇଛି ।
କାଳିପୋଇ ଗ୍ରାମଟି ଆଦିବାସୀ ବହୁଳ ଗ୍ରାମ ହୋଇଥିବା ବେଳେ ଏହା ବଣ ଜଙ୍ଗଲ ଭିତରେ ଅବସ୍ଥିତ । କାଳିପୋଇ ଏବଂ ହତିଣ୍ଡ ଗ୍ରାମ ଦୁଇଟି ରାଜସ୍ୱ ଗ୍ରାମ ହୋଇଥିବା ବେଳେ ୩୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି ।୧୯୯୯ ମସିହା ଠାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରୁ ଏହାକୁ ବନ୍ଦ କରିଦିଆଯାଇଛି । ଗ୍ରାମ ଠାରୁ ୩ କିମି ଦୂରରେ ଥିବା ବିଦ୍ୟାଳୟ କି କୋମଳମତି ପିଲାମାନେ ଯିବା ଆସିବା କରିବା ସମ୍ଭବ ହେଉନାହିଁ।
ଏହି ରାସ୍ତାରେ ବାରମ୍ବାର ହାତୀ ଆକ୍ରମଣରେ ତିନି ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ବାରହା ଆକ୍ରମଣର ଶିକାର ହୋଇଛନ୍ତି । ଗ୍ରାମରେ ୪୦ରି ଅଧିକ ପିଲା ଥିବା ବେଳେ ପୁନଃ ବିଦ୍ୟାଳୟକୁ ଚାଲୁକରିବା ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ କରୁୂନଥିବାର ଅଭିଯୋଗ ହୋଇଛି ।ଫଳରେ ଶୁକ୍ରବାର ଦିନ ଗ୍ରାମର ପୁରୁଷ ମହିଳା ଙ୍କ ସହିତ କୁନି କୁନି ପିଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅନଶନରେ ବସିଥିଲେ । ଘଟଣାକୁ ନେଇ ଜିଲ୍ଲାପାଳ ଆଲୋଚନା କରିବା ସହିତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବାରୁ ଅନଶନ ହଟିଥିଲା ।