ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟିଆ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ହୋଇଥିବା ସାରଙ୍ଗଧର ସେତୁ ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରିଜ ଉପରେ ଶତାଧିକ ବର ଏବଂ ଓସ୍ତ ଗଛ ଉଠିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।
ଢେଙ୍କାନାଳ ଏବଂ କାମାକ୍ଷାନଗର ଉପଖଣ୍ଡ ସହିତ କେଉଁଝର ,ତେଲକୋଇ, ଅନୁଗୁଳ , ତାଳଚେର, ରାଉଲକେଲାକୁ ସଂଯୋଗ କରିବା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ହୋଇଛି ସାରଙ୍ଗଧର ସେତୁ । ବହୁ ଦାବି ପରେ ପୋଲ ଉପରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଥିବା ବେଳେ ଏହି ପୋଲର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେତୁର ଦୁଇ ପାର୍ଶ୍ଵରେ ଶତାଧିକ ବର ଓ ଓସ୍ତ ଗଛ ଉଠିଛି । ପୋଲ ଉପରେ ଏହି ଗଛ ଗୁଡିକ ଉଠିଥିବା ବେଳେ ଏହାର ଚେର ପୋଲରେ ଥିବା ଖାଲି ସ୍ଥାନ ଦେଇ ଭିତରକୁ ଯାଇଛି । ଦିନକୁ ଦିନ ଏହି ଗଛ ବଡ ହେବା ସହିତ ଚେର ମୋଟା ହୋଇ ପୋଲକୁ ଫଟାଇବାରେ ସହାୟକ ହେବ । ଏହାର ରକ୍ଷଣାବେକ୍ଷଣ ଠିକ ଭାବରେ ହେଉନଥିବାରୁ ଶହ ଶହ ବର ଓସ୍ତ ଗଛ ଉଠି ବିପଦ ସୃଷ୍ଟି କରୁଛି । ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।