News
WhatsApp Image 2023-10-04 at 17.25.00
samparksetu

ଉଲଗ୍ନ ଉପତ୍ୟକା

ପରସ୍ତ ପରସ୍ତ ପାଖୁଡା ମେଲି
ଅସଂଖ୍ୟ ଫୁଲ ଙ୍କ ଅପରୂପ ମେଳି
ଉପତ୍ୟକାରେ ସର୍ଜେ ନବବଧୂର ଭ୍ରମ  ।
ମହମହ ବାସ୍ନାରେ ଇଲାକା ମହକି ଉଠେ
ପାତଳୀତନୁ ଧରି ପେନ୍ଥା ପେନ୍ଥା ଫୁଲ
ଲାଜେଇ ଉଠନ୍ତି ରବିକିରଣ ର ପହିଲି ସ୍ପର୍ଶରେ ॥

ଝଡ ପୂର୍ବର ନୀରବତା କିନ୍ତୁ ସ୍ପଷ୍ଟ ବାରି ହୋଇପଡେ
ନିମିଷକ ମଧ୍ୟେ କୁଢ କୁଢ କାମନାର କାୟା ଧରି
କାଳବୈଶାଖୀ ପରି ମାଡି ଆସନ୍ତି
ଦେହଲୋଭୀ ମହୁମାଛି ପରି ଜନ୍ତୁ ସବୁ
ପୂରଣ କରନ୍ତି କାଳକାଳଧରି ଜମିରହିଥିବା ଜାନ୍ତବ ଇଚ୍ଛା

ସୁଧା ବିତରି ଅନ୍ୟକୁ ମହକେଇ ବାର ସ୍ବପ୍ନ
ସୁମନ ର ଟୁକୁଡା ଟୁକୁଡା ହୁଏ
ଅତର ର ବାସ୍ନା ପରିବର୍ତ୍ତିତ ହୁଏ ଝାଳ ଆଉ ବୀର୍ଯ୍ୟ ର ଉତ୍କଟ ଗନ୍ଧରେ ॥

ତନୁ ତସ୍କର ଙ୍କ ତୀବ୍ର ଦଂଶନ ରେ
ଶ୍ବେତଗୋଲାପ ର ଶୁଭ୍ରଶରୀର ରୁ
ଉକୁଟିଆସେ ଟୋପା ଟୋପା ରକ୍ତ ର ବୁନ୍ଦା ।
ଅପରାଜିତା ରେ ଆତଙ୍କ ଖେଳେ
ମଧୁମାଳତୀ ର ମାନବୀ ହେବାର ମୋହ
ମାଟିରେ ମିଶେ
ଆଉ ଗଙ୍ଗଶିଉଳି ରେ ଭିନ୍ନ ଏକ ନୀରବତା ରାଜୁତି କରେ ॥ 

ଅବୋଧ୍ୟ ଯନ୍ତ୍ରଣା ଆହୁରି ତୀବ୍ର ହୁଏ
ଭୂମିରେ ପତିତ ବିକ୍ଷିପ୍ତ କୃଷ୍ଣଚୂଡା ର ପାଖୁଡା ପରେ
ଅଦିନିଆ ଟୋପା ଟୋପା ବର୍ଷା , ଦିଏନା ଆଶ୍ବାସନା
ବରଂ ଟାହିଟାପରା କରି ଆହୁରି କଲବଲ କରେ ।
କନ୍ଦର୍ପ ପାଖେ ସମର୍ପି ହେବାକୁ
ଲାଗିଥିବା ଲମ୍ବା ଧାଡିରେ
ପୀତବସ୍ତ୍ର ପରିହିତା କନିଅର ଅଜଣା କୋହ ରେ କମ୍ପିଉଠେ ॥

ବିଭାବରୀ ର ଆଗମନେ
ଆକୁଳ ରୋଦନ କରେ ରଜନୀଗନ୍ଧା
ଘର୍ମାକ୍ତ ହୁଏ ଘାସଫୁଲ ଆଉ ତରସି ଉଠେ ତରାଟ ,
ପୁଣି ଅର୍ଦ୍ଧରାତ୍ର ରେ କେନ୍ଦରା ବଜାଇ
ବାହୁନି କାନ୍ଦନ୍ତି କୋମଳ କଇଁ ସବୁ ।
ଚନ୍ଦ୍ରମାର କଳଙ୍କ ବି ଏ ଉପତ୍ୟକା କୁ
ଦେଖି ତାତ୍ସଲ୍ୟ କରେ
ଚିମୁଟା ଚିମୁଟା ପାପ ର ଅନ୍ଧାର ଆହୁରି
ବିଞ୍ଚି ହୋଇପଡେ ॥

କେଉଁ ଏକ ଅଦୃଶ୍ୟ ସତ୍ତାର ପ୍ରଣୟିନୀ ସାଜି
ମୋକ୍ଷ ପାଇଯିବାର ମୋହ ରୁ ମଲ୍ଲୀ ମୁଣ୍ଡାଏ
ଏ ନାମଧାରୀ ପୁରୁଷ ମାନଙ୍କ ଶଯ୍ୟାସଙ୍ଗିନୀ ସାଜିବାର କଳଙ୍କ ,
ଅମରାବତୀ ର ଆଶା ଆବର୍ଜନାମୟ ବାସନାରେ ନିଶ୍ଚିହ୍ନ ହୁଏ ।
ଶୂନ୍ୟତାରେ ନୀରବତା ରେ
ପ୍ରଚ୍ଛନ୍ନ ରେ ପୋତା ହୋଇଥାଏ ବିକଳ ଚିତ୍କାର ସବୁ
ଚାଙ୍ଗୁଡି ରେ ତୋଳା ହୋଇଥିବା
ଫୁଲମାନଙ୍କ ସହ ବନ୍ଧା ହୋଇଥାଏ ପୁଳାପୁଳା ଅର୍ଥହୀନ ସନ୍ଧି ସବୁ ॥

ଅନ୍ୟମନସ୍କ ହେବାର ଅଭିନୟ
ମୂକ ଆଉ ବାତୁଳ ହେବାର ଛଳନା
ଉପତ୍ୟକା କୁ ବେଶ୍ ଭଲ ଭାବେ ଜଣା ।
କିଛି ନ ଜାଣିବା ଭଳି ବହିଯାଉଥିବା ଝରଣା
କଳରବ ରେ କମ୍ପାଉଥିବା ଖଗ ଙ୍କ
ଅସାମାନ୍ୟ ନୀରବତା ଆଉ
ନିର୍ବାକ୍ କାଠପିତୁଳା ପରି ଠିଆ ହୋଇଥିବା ଏ ବଳିଷ୍ଠ ବୃକ୍ଷସମୂହ
ଭ୍ରମ ସୃଷ୍ଟି କରେ କୁରୁସଭାର
ଯେଉଁଠି ବିବସ୍ତ୍ରା ଦ୍ରୌପଦୀ ନୁହେଁ
ବରଂ ଉଲଗ୍ନ ସେ ଉପତ୍ୟକା , ଉଲଗ୍ନ ସେ ମାନସିକତା ।

ପରାକ୍ରମ ନୁହେଁ , ପୌରୁଷ ନୁହେଁ
ବରଂ ଯେଉଁଠି ବୀରତା ର ଅର୍ଥ ନପୁଂସକତା
ଯାହା ମାଟି କାମୁଡି ଲୋଟିପଡେ
ଆଉ କାମନା ଆଗରେ ହାତଯୋଡି ଭିକ୍ଷାଥାଳ ଧରେ ॥

ଓଦାବାଲି ପରେ ଟିପି ଟିପି ପଦଚିହ୍ନକୁ
ହୁଏତ ସାଗର ନିଶ୍ଚିହ୍ନ କରିଦିଏ
ପରନ୍ତୁ ଅସମ୍ମାନ ର କ୍ଷତ ସେମିତି ଅଲିଭା ରହେ ।
ଯାଜ୍ଞସେନୀର କ୍ରୋଧାଗ୍ନି କୁହୁଳି କୁହୁଳି ବିସ୍ଫୋରଣ ହୁଏ
ଆଉ ଉପତ୍ୟକା କୁ ଜାଳିପୋଡି ପାଉଁଶ କରିଦିଏ ॥

ଶତାବ୍ଦୀ ଶତାବ୍ଦୀ ପରେ
ଆଜି ବି ସେ ପାଉଁଶ ତଳୁ
ଅଜଣା ରକ୍ତାକ୍ତ ପ୍ରେମପତ୍ର ସବୁ
ପବନ ସାଙ୍ଗରେ ଉଡିବୁଲେ ।
ପୁଣି ଏ ଉଲଗ୍ନ ଉପତ୍ୟକା ର ତନୁରେ
ଘୋଡାଇବାକୁ ଲଜ୍ଜାର ଢାଙ୍କୁଣୀ
ଶିଖେଇବାକୁ ସମ୍ମାନ ର ପରିଭାଷା
ଆଉ ପିନ୍ଧେଇବାକୁ ପୌରୁଷ ର ପଗଡି॥

✍️କିରଣ କୁମାର ମହାନ୍ତି

new life
You might also like
error: Content is protected !!