News
WhatsApp Image 2023-10-04 at 17.25.00
samparksetu

ଆସିଅଛି ପରା ରଜ

ଗ୍ରାମ ଜୀବନର  ବେଶ ମନୋହର
       ଆସିଅଛି ପରା ରଜ
   ଏ ମଧୁ ଲଗନେ   ତାର ଆଗମନେ
          ସକଳେ ହେଲେଣି ସଜ।

ଆଦ୍ୟ ଆଷାଢ଼ର    କଳା ମେଘମାଳ
      ଆକାଶେ ଆସନ୍ତେ ଘୋଟି
ମାଟି ମାଆ ସଙ୍ଗେ   ମେଘର ମିଳନ
         ରତ୍ନ ଗର୍ଭା ହୁଏ ମାଟି ।

ରଜ ମଉଜରେ   ମାତି ଘରେ ଘରେ
      ପିଠାପଣାର ସମ୍ଭାର
ତହିଁ ରଜ ପାଗ   ଅତି ଉପଭୋଗ୍ୟ
       ସ୍ଵାଗତ ରାଗ ବର୍ଷାର।

ଆମ୍ବ ପଣସର   ବାସ ମନୋହର
      ତହୁଁ ଅଟେ ସ୍ଵାଦ ବଳି
ପାନ ପୋଡପିଠା    ଲାଗେ କେଡେ ମିଠା
       ପ୍ରେମ ଭରେ ଯେବେ ମିଳି ।

ବନ୍ଧୁଗଣ ମିଳି    ପ୍ରେମେ ହୋଇ ମେଳି
       ଚାଲେ ଖୁସିର ଆସର
କୁମାରୀ ସକଳେ  ମଜି ଦୋଳି ଖେଳେ
       ଶୁଭଇ ମଧୁର ସ୍ୱର ।

ବାଳକ କୃଷକ  ଗୃହିଣୀ ସକଳ
     ପାଇ ରଜେ ଅବସର
ଅତୀତେ ଦେଖନ୍ତି   ଭବିଷ୍ୟତ ଚିନ୍ତି
      ସ୍ମରଣୀୟ ସୁଖ ତାର ।

ଗାଆଁ ହସୁ ଅଛି   ଘର ମହକୁଛି
     ଆପଣ ଜନ ମିଳନେ
ରଜ ସୁଖ ଘେନି  ସକଳେ ଆନନ୍ଦେ
       ରହନ୍ତୁ ବିଧି ବିଧାନେ ।
            
    ✍️  ଇ.ବସନ୍ତ କୁମାର ବରାଳ            
                    

new life
You might also like
error: Content is protected !!