ଜୀବନଟା ଏକ ମିଥ୍ୟା ପ୍ରତିଶ୍ରୁତି
ଭଗ୍ନ ବୀଣାର ସ୍ୱର
କେତେବେଳେ ବାଜେ ଶିବ ପଞ୍ଚାକ୍ଷରୀ
କେତେବେଳେ ହର ହର ।
କେବେ ଚଲାପଥ ସୁଗନ୍ଧ ପୁଷ୍ପିତ
କେବେ ପୁଣି କଣ୍ଟକିତ
ଜଂଜାଳ ଯନ୍ତ୍ରଣା ଭରା ପ୍ରତିକୂଳ
କେବେ ରୋମାଞ୍ଚିତ ପଥ ।
ମଗ୍ନ ପ୍ରତ୍ୟାଶାର ମହୁଲି ବାସ୍ନାରେ
କଳ୍ପନାର କୋଟି ଚିତ୍ର
ଲିଭି ଲିଭି ଆସେ ଆୟୁଷ ଶେଷରେ
ପଡ଼ିରହେ ଶୂନ୍ୟ ପାତ୍ର ।
ଆଦ୍ୟ ଯୌବନରେ ଆଶାର ଆକାଶେ
ଉଦିତ ଭାସ୍କର ଜ୍ୟୋତି
ଦିବସ ଶେଷରେ ପ୍ରଶମିତ ପ୍ରାଣ
ତିମିର ପରଶେ କ୍ଷିତି ।
ସାଗର ବେଳାରେ ସୃଷ୍ଟ ପଦ ଚିହ୍ନ
ଧୀର ସମୀରରେ ହଜେ
ହୃଦୟ ବେଳାରେ ଅଙ୍କିତ ଚିତ୍ର
ଅସ୍ପଷ୍ଟ ସ୍ମୃତିରେ ଭିଜେ ।
କେବେ ବିଶ୍ୱାସରେ ବିଷର ପ୍ରକ୍ରିୟା
କେବେ ପୁଣି ମଧୁମୟ
ନିଃଶ୍ୱାସେ ନଥାଏ ନିବିଡ଼ତା କେବେ
କେବେ ହତାଶାର ଭୟ ।
କେବେ ସମ୍ମୁଖରେ ରଙ୍ଗାୟିତ ହୁଏ
ଆତ୍ମଜଙ୍କ ଭରା ପ୍ରେମ
କେବେ ନିବିଡ଼ତା ନିରବ ଆହ୍ୱାନେ
ନିମିଷକେ ହୁଏ ଭଗ୍ନ ।
ଅସ୍ଥାୟୀ ସାମ୍ରାଜ୍ୟ ଶେଷ ଶ୍ରାବଣରେ
ଲୋଟି ଯାଏ ଜଳ ଧାରେ
ଏମିତି ଜୀବନ ମୁଠାଏ ଅଗ୍ନିରେ
ଶେଷହୁଏ ସାତ ସୁରେ ।
✍️ଗୀତାଞ୍ଜଳି ପୃଷ୍ଟି