ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଅଞ୍ଚଳର ୩ଟି ମନ୍ଦିରରୁ ଗତ କାଲି ବିଳମ୍ବିତ ରାତିରେମୂର୍ତ୍ତି , ଇନଭର୍ଟର , ବ୍ୟାଟେରୀ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହା ସିସିଟିଭି କ୍ୟାମେରାରେ ଚୋରି ବେଳର ଘଟଣା କଏଦ ହୋଇଛି ।
ଜଣେ ଚୋର ଏକ ସ୍କୁଟିରେ ଆସି ଚୋରି କରି ନେଉଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ଚୋର ଗ୍ୟାଙ୍ଗର କିଛି ଦୁର୍ବୃତ୍ତ ସାମିଲ ଥିବା ଜଣାପଡିଛି। ସାଆନ୍ଦା ରଘୁନାଥ ଜୀଉ ମନ୍ଦିରରୁ ପ୍ରଭୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଦୁର୍ବୁତ୍ତ ମାନେ ଚୋରି କରି ନେଇ ସରବେରେଣୀ ଗାଁ ସ୍ଥିତ ଶିବ ମନ୍ଦିରରେ ରଖି ଦେଇଥିଲେ । ତେବେ ସରବେରେଣୀ ଗାଁ ଶିବ ମନ୍ଦିରରୁ ମୂଲ୍ୟବାନ ଅଷ୍ଟଧାତୁରେ ନିର୍ମିତ ପାର୍ବତୀଙ୍କ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ଚୋରି କରି ନେଇଛନ୍ତି ।
ସେହିପରି ସରବେରେଣୀ ଗାଁ ଭାଗବତ ଟୁଙ୍ଗୀ ଗୋପାଳଙ୍କ ମନ୍ଦିରରୁ ଇନଭର୍ଟର ,ବ୍ୟାଟେରୀ ଓ ଇଲୋକ୍ଟ୍ରନିକ୍ସ ସାମଗ୍ରୀକୁ ଚୋରି କରି ନେଇଛନ୍ତି । ଏ ନେଇ ସାଆନ୍ଦା ଫାଣ୍ଡିରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ୟା ପଛରେ ଏକ ଚୋର ଗ୍ୟାଙ୍ଗ ସକ୍ରିୟ ରହି ଏପରି କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।