ଢେଙ୍କାନାଳ ଜିଲ୍ଲାର ବନାଞ୍ଚଳରେ ହାତୀ ଉପଦ୍ରବ ଓ ହାତୀ ଆକ୍ରମଣରେ ମୃତାହତ ଥମିବାର ନାମ ଧରୁନାହିଁ।ଢେଙ୍କାନାଳ ବନବିଭାଗ ସବୁ କ୍ଷେତ୍ରରେ ଫେଲ ମାରିଥିବା ଏଥିରୁ ଜଣାପଡୁଛି।
ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳର ବାଉଁଶପୋଖରୀ ପଂଚାୟତ ଅନ୍ତର୍ଗତ ବରଡାପାଳ ଗ୍ରାମର ନିଶାମଣି ପ୍ରଧାନଙ୍କ ପୁଅ ନିର୍ମଳ ପ୍ରଧାନ(୨୮) ଗୁରୁବାର ଭୋର ୫ଟା ବେଳେ ନିଜ ଘରୁ ନିକଟସ୍ଥ କର୍ଣ୍ଣପୁରସ୍ଥିତ ଗ୍ରାମରେ ଥିବା ଏକ ଇଟା ଫ୍ୟାକ୍ଟ୍ରିକୁ ନିଜ ସାଇକେଲରେ କାମ କରିବାକୁ ଯାଉଥିବା ବେଳେ ମଝି ରାସ୍ତାରେ ଏକ ବିରାଟ ହାତୀ ହାବୁଡ଼ରେ ପଡ଼ିଥିଲେ।
ହାତୀ ସହ ମୁହାଁମୁହିଁ ହୋଇଯିବାରୁ ପଳାଇବାକୁ ବାଟ ପାଇନଥିଲେ, ହାତୀଟି ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ କଚାଡିଦେବା ସହ ତାଙ୍କ ସାଇକେଲ କୁ ମଧ୍ୟ କଚଡ଼ିଦେଇଥିଲା।ଫଳରେ ନିର୍ମଳ ଙ୍କ ଗୋଡ଼ ଭାଙ୍ଗିଯିବା ସହ ସେ ଗୁରୁତର ଆହତ ହୋଇଥିଲେ।ହାତୀଟି ଆକ୍ରମଣ କରିବା ପରେ ସ୍ଥାନୀୟ ଜଙ୍ଗଲ ଆଡେ ଗର୍ଜନ କରି ପଳାଇ ଯାଇଥିଲା ଏବଂ ସ୍ଥାନୀୟ ଲୋକମାନେ ପରିବାର ସହ ମିଶି ତାଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ।
ସେଠାରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସାପାଇଁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଥିଲା।ହିନ୍ଦୋଳ ବନବିଭାଗର କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ନପହଂଚିବାରୁ ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଜନସାଧାରଣ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିବା ସହ ଧାରଣାରେ ବସିଥିଲେ।
ପରେ ଦିନ୧୨ଟା ରେ ହିନ୍ଦୋଳ ବନବିଭାଗ,ହିନ୍ଦୋଳ ପୋଲିସ ପ୍ରଶାସନ ଓ ବାଉଁଶପୋଖରୀ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଏକଲକ୍ଷ ଟଙ୍କା କ୍ଷତିପୂରଣ ସହ ପ୍ରତିଶୃତି ଦେବାରୁ ରାସ୍ତା ଅବରୋଧ ହଟିଥିଲା ।
ସେହିପରି ହିନ୍ଦୋଳ ବ୍ଲକର ହିନ୍ଦୋଳରେଞ୍ଜ ଅନ୍ତର୍ଗତ ରକଲା ଅଞ୍ଚଳରେ ହାତୀ ଉପଦ୍ରବରେ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ଗ୍ରାମମୁହାଁ ବଣୁଆ ହାତୀ ଆସି ଉପଦ୍ରବ କରିବା ସହ କୁଣ୍ଢେସ୍ୱର ଗୁରୁକୂଳ ଆଶ୍ରମ ସ୍କୁଲରେ ପଶି ଭଙ୍ଗାରୁଜା କରିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା।ଉଲେଖ ଯୋଗ୍ୟ କି ସେହି ଅଞ୍ଚଳରେ କିଛି ଦିନ ତଳେ ହାତୀ ଆକ୍ରମଣରେ ଜଣେ ନାବାଳକର ଦୁଃଖଦ ମୃତ୍ୟୁ ଘଟିଥିଲା ଯାହାର ଭୟାବହତା ଏଯାଏ ଲୋକଙ୍କ ମନରୁ ଯାଇନି।ଏଠାରେ ସ୍ୱତଃ ପ୍ରଶ୍ନଉଠେ ସରକାର ବନବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ବନବିଭାଗ କରୁଛନ୍ତି କଣ?ଅବାଧରେ ଜଙ୍ଗଲ ଲୁଟ ସହ ବନ୍ୟଜନ୍ତୁ ଶିକାର ହେଉଛି, ହାତୀ ଆକ୍ରମଣରେ ମଣିଷ ମରୁଛନ୍ତି ହାତୀ ମୃତ୍ୟୁ ବି ଘଟୁଛି, ହାତୀପଲ ଚାରିଆଡେ ଜନବସତି ମୁହାଁ ହେଲେଣି ,ହିନ୍ଦୋଳ ଏନଏ ସି ରେ ମଧ୍ୟ ହାତୀ ଉପଦ୍ରବ ବଢିଛି ଯାହା କି ନିତିଦିନିଆ ଘଟଣାରେ ପରିଣତ ହେଲାଣି ।