ସଂସ୍କୃତି ପରମ୍ପରା ବିଲୋପ ପଥେ
ଆଧୁନିକ ସମାଜରେ,
ଆଧୁନିକତାର ଉତ୍କଣ୍ଠା ଗ୍ରାସିଛି
ପୁର ପଲ୍ଲୀ ସହରରେ ।
ସମୟ ସାଥିରେ ସବୁ ବଦଳିଲା
ଯୁଗ ବି ବଦଳିଗଲା,
ଅସମ୍ଭବ ସବୁ ସମ୍ଭବ ହେଲାଣି
ଇଏ କି ଯୁଗ ହୋଇଲା ।
ସମୟ ସାଥିରେ ଲୋକ ବଦଳିଲେ
ଚିନ୍ତାଧାରା ବଦଳିଲା,
ଭାଷା ଓ ପୋଷାକ ବଞ୍ଚିବା ଜିଇଁବା
ଆଧୁନିକ ହୋଇଗଲା ।
ଓଡ଼ିଆ ଭାଷାକୁ ଅଭିଧାନ ଲୋଡ଼ା
ଶୁଣ ହେ ଭାଇ ଭଉଣୀ,
କଥାରେ କଥାରେ ଇଂରାଜୀ କୁହନ୍ତି
ସ୍ୱଭାଷା ଭୁଲି ଗଲେଣି ।
ଅନ୍ୟର ଖୁସିରେ ମନଦୁଃଖ ହୁଏ
ମଣିଷ ପଣିଆ ନାହିଁ,
ସତ୍ୟ ଅହିଂସାର ବିଲୋପ ଘଟିଛି
ନିଜ ସ୍ବାର୍ଥ ଟିକେ ପାଇଁ ।
ଭାଇ ସାଜିଛି ଭାଇର ଭଗାରୀ
ଧନ ସମ୍ପତ୍ତି ଲୋଭରେ,
ଆଦର ସମ୍ମାନ ସତେ ସାତ ସ୍ୱପ୍ନ
ଆଧୁନିକତା ସ୍ପର୍ଶରେ ।
ପରମ୍ପରା ବିଧି ଭୁଲି ଯାଅ ନାହିଁ
ଆଧୁନିକତାର ନାମେ,
ଦେଶର ସଭ୍ୟତା ନଷ୍ଟ କରନାହିଁ
ଦେଶର ବିକାଶ ଭ୍ରମେ ।
ତିଥି ଉଷାବାର ପରବ ପର୍ବାଣୀ
ପାଳୁଛନ୍ତି ସଉକରେ,
ପୁରବ ପୁରୁଷ ମନେ ପଡନ୍ତିନି
ଦିନ ବିତେ ବିଳାସରେ ।
ଆଧୁନିକତାର ଗାରିମା ରଚନ୍ତି
ଆମ ଯୁବା ପିଢ଼ି ବେଶୀ,
ଗରବ ନକରି ଆଧୁନିକ ନାମେ
ସର୍ବଦା ରୁହ ସ୍ୱଦେଶୀ ।
✍️ସୁବ୍ରତ କୁମାର ସେଠୀ