ଘରଠୁ ଅଧକିଲୋମିଟର ପଶ୍ଚିମକୁ ଗଲେ ପଡେ ଆମ ଗାଁ ଶ୍ମଶାନ । ସେଠି ପହଞ୍ଚିବା ପାଇଁ ହେଲେ ଗୋଟେ ଆମ୍ବତୋଟା ଦେଇ ଯିବାକୁ ପଡେ । ଆମ୍ବତୋଟା ଯେଉଁଠି ସରିଛି, ଠିକ୍ ସେଇଠୁ ଛୋଟପଡିଆଟେ ଆରମ୍ଭ, ପଡିଆ ଆରପଟେ ଶ୍ମଶାନ । ଶ୍ମଶାନ ଚାରିପାଖେ ୪/୫ ଟି ବରଗଛ, ଅଳ୍ପକିଛି ବୁଦା ଆଉଠିକ୍ ଆରପଟେ ନାଳଟେ ।
ବରଗଛ,ବୁଦା ଓ ନାଳ ସମେତ ସେ ଅଞ୍ଚଳକୁ ପିଲାଦିନେ ଆମେ ‘ଭୁତୁଣୀ ପାର୍କ’ ବୋଲି କହୁଥିଲୁ । ସେ ଅଞ୍ଚଳ ପ୍ରତି ଭୟ ସହିତ ଥାଏ ଅହେତୁକ ଆକର୍ଷଣ! !!!
ସେଦିନ ଶୀତୁଆ ସନ୍ଧ୍ୟାରେ ଘର ପାଖ ପଡିଆରେ ଗୋଡାଗୋଡି ହେଇ ଖେଳୁଥାଉ ପାଞ୍ଚ ଛଅ ଜଣପିଲା । ୭ଟା ପାଖାପାଖି ହେଇଯାଇଥାଏ । ଆମଭିତରୁ ଜଣେ ପ୍ରସ୍ତାବ ଦେଲା ଚାଲ ଯିବା ‘ଭୁତୁଣୀ ପାର୍କ’। ଏ ବୟସରେ ଏମିତି ଏକ ଦୁଃସାହସିକ କାର୍ଯ୍ଯ କରିବା ଅନୁଚିତ ଭାବି ଜଣେ ଦୁଇଜଣ ଥତ ମତ ହେଉଥିଲେ । କିନ୍ତୁ ଯିବା ସପକ୍ଷରେ ଥିଲେ ଅଧିକ, ତେଣୁ ସେମାନଙ୍କୁ ରାଜି ହେବାକୁ ପଡିଲା । ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା ଯେ ସେଠୁ ଫେରିଲା ପରେ ଘରେ ବା ଅନ୍ୟ କାହା ଆଗରେ କିଛି କୁହାଯିବନି ।
ଶୁକ୍ଳ ପକ୍ଷ । ଚାରିପାଖ ପରିଷ୍କାର ଦେଖାଯାଉଥାଏ । ଆମ୍ବତୋଟା ଦେଇଗଲା ବେଳେ ପତ୍ର ସବୁ ଖସ୍ ଖାସ୍ ହେଉଥାନ୍ତି । ଜହ୍ନ ଲୁଚକାଳି ଖେଳୁଥାଏ ।
ପ୍ରାନ୍ତର ଦେଇ ଅଗ୍ରସର ହେଲୁ । ପରସ୍ପର ହାତ ଧରାଧରି ହେଇ ଚାଲିଥାଉ । ପାପୁଲିସବୁ ଝାଳଉଥିବାର ଅନୁଭବ କରୁଥିଲୁ ।
ଗୋଟେ ଦିଇଟା ବୁଦା ଅତିକ୍ରମ କରିଥାଉ ଅର୍ଥାତ ଭୁତୁଣୀ ପାର୍କ ଭିତରେ ପଶିସାରିଥାଉ, ବୁଦା ମଝିରୁ ଶୁଭିଲା ଗୋଟେ ଅସ୍ବଭାବିକ ଶବ୍ଦ । ଛାନିଆ ହେଇ ଚୁପ୍ ଚାପ୍ ଠିଆହେଇଗଲୁ । ଆମ ଭିତରୁ ବୟସ୍କ ପିଲାଟି କହିଲା – ଜନ୍ତୁଟିଏ ହେଇଥିବ ପରା !!
ସାହାସ ବାନ୍ଧି ଆଉ ଚାରି ପାଞ୍ଚ ପାହୁଣ୍ଡ ଆଗକୁ ଯାଇଛୁ, ସେପାଖରୁ କିଏ ମାଡି ଆସିଲା ଭଳି ଲାଗିଲା !!! ଆମ ଭିତରେ ଥିବା ସବୁଠୁ କୁନି ପାଲାଟା ଭୁତୁଣୀ କହି ଦୌଡିଲା, ତା ପଛେ ପଛେ ଜଣେ ପରେ ଜଣେ ଦୌଡିଲୁ ।
ଧଇଁ ସଇଁ ହେଇ ଆସି ଆମ ଖେଳ ପଡିଆରେ ବସିପଡିଲୁ । ଝାଳ ଗମ ଗମ ବାହାରୁଥାଏ । ହଠାତ୍ ଜଣେ କାନ୍ଦୁଣୁ ମାନ୍ଦୁଣୁ ହେଇ କହିଲା ଦୌଡିଲାବେଳେ ଚପଲ ପଟେ ଛାଡି ଆସିଛି ବାଟରେ । ପ୍ରସ୍ତାବଟେ ଉଠିଲା “ଘରୁ ଟର୍ଚ୍ଚ ଆଣି ଚାଲ ଖୋଜିବା” । କିନ୍ତୁ ବହୁମତରେ ତାହା ନାକଚ ହେଇଗଲା । ତାକୁ ସମବେଦନା ଜଣାଉଥାଉ ଏହିସମୟରେ ଆମଭିତରେ ଥିବା ସେ କୁନିପିଲାଟା କହିଲା ଯଦି ଭୁତୁଣୀ ତାକୁ ପାଇଥିବ ଆଉ ଆରପଟଟିକୁ ଖୋଜିଖୋଜି ଘରେ ଫହଞ୍ଚିଯିବ, ତାହା ହେଲେ !!!!!!
ପୁଣିଥରେ ବିଚାର ବିମର୍ଶ ଚାଲିଲା । ବହୁ ଆଲୋଚନାପରେ ଠିକ୍ ହେଲା ଆର ପଟଟିକୁ ସେଇଠି ଭୁତୁଣୀ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ । ଚପଲକୁ ମଝିରେ ଥୋଇ ଚାରିପାଖରେ ଗୋଲେଇହୋଇ ହାତ ଯୋଡି ବସିଲୁ । ଜଣେ ପୁଜାପାଠ କଲେ । ଚପଲ ହଜିଥିବା ପିଲାଟି କର୍ତ୍ତା ହେଇ ଚପଲଟିକୁ ଉତ୍ସର୍ଗ କଲେ। ଆମଭିତରୁ କେହିକେହି ଭୁଇଁରେ ମୁଣ୍ଡିଆ ମାରିଲେ ।
ଯାହାହେଉ ଏଥର ଆସ୍ବସ୍ତହେଇ ଘରକୁ ଫେରିଲୁ । ବିଶ୍ବାସଥିଲା କେହି ଘରେ କହିବେନି ।
କିନ୍ତୁ ଆମଭିତରୁ ଯେ ଜଣେ ବିଶ୍ବାସଘାତ କରିସାରିଥାଏ, ଏକଥା ଜାଣିଲୁ ସ୍କୁଲ୍ ପ୍ରାର୍ଥନା ପରେ ଯେତେବେଳେ ଆଣ୍ଠୁତଳେ ଗୋଡିଦେଇ ଘଣ୍ଟାଏ ଖରାରେ ଆଣ୍ଠେଇବାକୁ ପଡିଲା !!!
✍️ପ୍ରଶାନ୍ତ କୁମାର ଦାସ