ଉତ୍କଳ ଏକ ଶ୍ରୀ ଜଗନ୍ନାଥଙ୍କ
ଆଶୀର୍ବାଦ ପୁଷ୍ଟ ଭୂମି
ସରଗ ସମାନ ଗରିମା ମହାନ
ତାଙ୍କ ଶ୍ରୀ ଚରଣ ଚୁମ୍ବି ।
ପ୍ରତି ଧୂଳିକଣା ନିର୍ଭେଜାଲ ସୁନା
ପ୍ରଭୁଙ୍କ ଲୀଳା କ୍ଷେତ୍ର
ଗଗନେ ପବନେ ଧୂପ ଓ ଝୁଣାର
ସୁଗନ୍ଧ ଅହୋରାତ୍ର।
ବେଦ ମନ୍ତ୍ର ଗାୟତ୍ରୀ ଛନ୍ଦ
ଗୀତାର ଅମୃତ ବାଣୀ
ନୀରବ ଧ୍ୟାନରେ ବାଜଇ କାନରେ
ଗୁରୁ ଗମ୍ଭୀର ଧ୍ବନି।
ଏ ହେଲା ପ୍ରାଚୀନ କଳିଙ୍ଗ ପ୍ରଦେଶ
ଏଇ ଠାକୁରଙ୍କ ଦେଶେ
ପ୍ରଭୁ ନାରାୟଣ ଦିଏ ଦରଶନ
ନାନା ରୂପେ ନାନା ବେଶେ।
ଦୂର୍ଲଭ ସର୍ବ ମାନବ ଜୀବନ
ଜନମ ଏ ଉତ୍କଳେ
ଭୂମିଷ୍ଠ ଠାରୁ ବଞ୍ଚିଥିବା ଯାଏ
ପ୍ରଭୁଙ୍କ ପାଦତଳେ।।
✍️ଅରୁଣ କୁମାର ମିତ୍ର