ଗୋଲାପ ଋଷିଛି ହାତରେ ମୋହର
ପ୍ରିୟାର ସ୍ପର୍ଶକୁ ଭୁଲି
ପ୍ରିୟାର ବିରହେ ଅଶ୍ରୁର ରୁଧିରେ
ରଙ୍ଗ ତା’ ହୋଇଛି ନାଲି
କାଳେ ପ୍ରିୟା ମୋ ଫେରିବ ବୋଲି,
ଏତିକି ଆଶାରେ ବଂଚିଛି ଗୋଲାପ
ପାଇବାକୁ ସେଇ ସ୍ପର୍ଶ ଟିକେ ଖାଲି ||
ଡାଏରୀ ଭିତରେ ଚିଠିର ମେଳରେ
ତୁମ ଶବ୍ଦର ଚୁମ୍ବନ
ଚୁମ୍ବନକୁ ପାଇ ଶୁଖିଯିବ ହେଲେ
ମରିବନି ଏଇ ମନ
କେଡ଼େ ନିରୀହ ତୋର ଜୀବନ
ଝୁରି ଝୁରି ପଛେ ଝଡ଼ି ଯିବ ସିନା
ହେଲେ ଆସିବନି ସେଇ ଦିନ ||
କଳଙ୍କ ରଙ୍ଗରେ ରଙ୍ଗୀନ କାଗଜ
କବିତା ବି କଳଙ୍କିତ
କଳଙ୍କିତ କବି କବିତା ବା ଶୁଣି
ପ୍ରିୟା ହେବ ଆଚମ୍ଭିତ ?
ଗୋଲାପ ତୁ ହଅ ପ୍ରକୃତିସ୍ଥ,
ହୃଦୟ ବିହୀନ ସମାଜ କି ବୁଝେ
ଶାଶ୍ୱତ ଏ ପ୍ରେମର ମାନ ମହତ ||
ପ୍ରେମର ସଂହିତା ଚାଦର ଘୋଡ଼ାଇ
ଯହିଁ ନେଇଛି ସମାଧି
ତୋ ପ୍ରେମଟି ସେଠି ଶାଶ୍ଵତ କିପରି
ଅଟେ ଖାଲି ଯାହା ବ୍ୟାଧି
ସେଇ ବ୍ୟାଧିକୁ ନକରି ବୃଦ୍ଧି,
ଗୋଲାପ ତୁ ଶୋଇଯା ସେ ସମାଧିରେ
ଉଠିବୁ ଆସିଲେ ପ୍ରେମର ଶତାବ୍ଦୀ ||
✍️ହୃଦୟ ରଂଜନ ପରିଡ଼ା