ବିମଳ ଶରତ ନିର୍ମଳ ସରିତା
ସୁନିର୍ମଳ ଜଳରାଶି
ଧଳା ମେଘମାଳେ ନିରେଖି ଅମ୍ବରେ
କାଶତଣ୍ଡି ସ୍ମିତହସି ।
ରାଧାଷ୍ଟମୀ ଦିନ ମା ର ଶୟନ
ମୂଳାଷ୍ଟମୀ ଜାଗରଣ
ଅଷ୍ଟ ସିଦ୍ଧିଦାତ୍ରୀ ନବଦୁର୍ଗା ରୁପୀ
ମହାଷ୍ଟମୀରେ ପ୍ରସନ୍ନ ।
ଆଜି ପାରବଣେ ଧରାବତରଣେ
ଆସ ମାତ ଅଷ୍ଟଭୁଜେ
ମହିମାମୟୀ ମା ମହିଷା ବିନାଶେ
ସାଜି ମହାଷ୍ଟମୀ ସାଜେ ।
ଶକ୍ତି ସ୍ୱରୂପିଣୀ ସଙ୍କଟ ତାରିଣୀ
ଅଭୟ ଦାୟିନୀ ମାଆ
ଜଗତକଲ୍ୟାଣି ଶୁଭ ଆବାହନୀ
ଆସ ମାଆ ହୁଅ ସାହା ।
ପୂଜା ପିଠେପିଠେ ବିଜେ ଘଟେ ଘଟେ
ଶକ୍ତିର କରି ସଂଚାର
ଅଜ୍ଞାନ ଅନ୍ୟାୟ ଅଭାବ ବିଲୟ
ହେଉ କରୁଣାରୁ ତୋର ।
ଭାବନାରେ ଆସ ଜଗତଜନନୀ
ବିମଳତା କର ଦାନ
ତୁମରି ଆଶୀଷେ ତୁମରି ଆଦେଶେ
ଜୀବନ ହେଉ ମହାନ ।
ତବ ଆଗମନେ ଅଶୁଭନାଶନେ
ଶୁଭ ଜାଗରଣ ହେଉ
ପୁଲକିତ ପ୍ରାଣେ ତବ ଦରଶନେ
ଏ ଜୀବନ ଧନ୍ୟ ହେଉ।
✍️ବସନ୍ତ କୁମାର ବରାଳ