ସ୍ୱାଧିନତା ସଂଗ୍ରାମ ୮୧ ବର୍ଷ (୧୮୫୭-୧୯୩୬) ର ଇତିହାସ ହେଉଛି ଲହୁଲୁହର ଇତିହାସ , ଦରିଆ ପାରିର ବଳୀ, ଆଜୀବନ ବନ୍ଦୀ , ଫାସିଖୁଂଟ , କଳାପାଣି ,ଏବଂ ବୁଲେଟର ହୋଲି ଖେଳରେ ଶହୀଦ୍ ହେଲେ ଅଗଣିତ ମୁକ୍ତି ସଂଗ୍ରାମୀ ଯୋଦ୍ଧା । ସେମାନଙ୍କର ସ୍ୱପ୍ନଥିଲା “ସ୍ୱାଧିନତା ଭାରତ” । ସେହି ପରାଧିନ ଭାରତର ଇତିହାସ ଗାଏ ବିରତ୍ୱର ଗାଥା କହେ ସଂଘର୍ଷର କଥା, ବ୍ରିଟିଶ୍ ଶାସନ ହେଉ ବା ରାଜ ରାଜୁଡ଼ା ଶାସନ ରୁ ମୁକ୍ତିପାଇଁ ସଂଗ୍ରାମର ମୁକ ସାକ୍ଷୀ ଆଜି ପଞ୍ଜାବର ଜାଲିୱାଲାବାଗ୍ ଠାରୁ ଆରମ୍ଭ କରି ଓଡ଼ିଶାର ରକ୍ତତୀର୍ଥ ଇରମ୍ ଅବା ଦ୍ୱିତୀୟ ରକ୍ତତୀର୍ଥ ନିଳକଣ୍ଠପୁର ପର୍ଯ୍ୟନ୍ତ ସବୁଠି ସହିଦ୍ଙ୍କ ରକ୍ତ ।
ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତ ବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ଶୋଷଣ ଓ ଅତ୍ୟାଚାରରେ ଜର୍ଜରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳ ଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳ ମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।
ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ। ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନ ଭାର ଗ୍ରହଣ କଲେ ରାଜା ଶଙ୍କର ପ୍ରତାପ ସିଂହଦେଓ ମହୀନ୍ଦ୍ର ବାହାଦୁର। ନାମ ବଡ଼ କିନ୍ତୁ ଶାସନ କୁତ୍ସିତ। ବଡ଼ ଅହଂକାରୀ ଓ ଗର୍ବୀ ସେ ରାଜା। ତଳ ଭାଇ ପଟ୍ଟାୟତ ନୃସିଂହ ପ୍ରତାପ ସିଂହଦେଓଙ୍କ ସହାୟତାରେ ସେ ଅନ୍ଧାରି ଶାସନ ଆରମ୍ଭ କଲେ। ଗଡ଼ଜାତର ରାଜା ଇଂରେଜ ସରକାରଙ୍କ ସହ ସନ୍ଧିକରି ତାଙ୍କର ପ୍ରତିନିଧିଭାବେ ଶାସନ କରୁଥିଲେ । ରାଜାଙ୍କ କର୍ମଚାରୀ ଓ ପୋଲିସ୍ ଫୈାଜମାନେ ଗରିବ, ନୀରିହ, ପ୍ରଜାମାନଙ୍କ ଉପରେ ବେଠି, ଜୁଲମ, ଓ ଶୋଷଣର ଚରମ ସୀମାରେ ପହଁଚି ଯାଇଥିଲା । ଯାହାର ମୁକ ସାକ୍ଷୀ ଥିଲା ଯତନ୍ ନଗର ।ଗଠିତ ହେଲା ପ୍ରଜାମଣ୍ଡଳ। ଆନ୍ଦୋଳନକୁ ଚଳାଇଲେ ଢେଙ୍କାନାଳ ର ଲୌହମାନବ ମହେଶ ଚନ୍ଦ୍ର ସୁବାହୁସିଂହ, ଢେଙ୍କାନାଳର ସୁଭାଷ ବୀର ବୈଷ୍ଣବ ପ୍ରମୁଖ ସଂଗ୍ରାମୀ ମାନେ।ସେତେ ବେଳେ ବାଜି ରାଉତ ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ ।
ଭାରତର ସର୍ବକନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀ ‘ବାଜି ରାଉତ’ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲ୍ଳାର ଭୁବନ ଠାରୁ ପ୍ରାୟ ୩ କିଲୋମିଟର ଦୂରବର୍ତ୍ତୀ ବ୍ରହ୍ମଣୀ ନଦୀ କୂଳରେ ଅବସ୍ଥିତ ନୀଳକଣ୍ଠପୁର ଗ୍ରାମ ର ଏକ ଖଣ୍ଡାୟତ ପରିବରରେ ଜନ୍ମ ଗ୍ରହଣ କରିଥିଲେ l ପିତା ହରି ରାଉତଙ୍କୁ ଶୈଶବରୁ ହରାଇଥିବା ପରେ ବାଜିରାଉତଙ୍କ ଦାୟିତ୍ୱ ଥିଲା ମା ରାଣୀଆ ରାଉତଙ୍କ ଉପରେ ।
ପ୍ରଜାମଣ୍ଡଳର କର୍ମୀମାନଙ୍କୁ ରାଜା ଅନ୍ୟାୟ ଭାବେ ବନ୍ଦୀ କରିବାରୁ ଲୋକେ ଗାଁ ଗହଳିରୁ ବନ୍ଧ ଭାଙ୍ଗିଲା ପରି ମାଡ଼ିଆସିଲେ ଢେଙ୍କାନାଳ ଗଡ଼କୁ। ହଜାର ହଜାର ଲୋକ ପ୍ରଜାମଣ୍ଡଳର ଜୟ, ମହାତ୍ମା ଗାନ୍ଧୀ କୀ ଜୟ ଓ ଶଙ୍କର ପ୍ରତାପ ମୁର୍ଦ୍ଦାବାଦ ଧ୍ୱନି ଦେଇ ଢେଙ୍କାନାଳ ରାଜଉଆସକୁ କବ୍ଜା କରିନେଲେ। ଏହି ଜନ ସମାବେଶରେ ଯୋଗ ଦେଇଥିଲା ବାଜି ରାଉତ। ହାତରେ କପିଳାସ ଠେଙ୍ଗା ଓ ମୁଣ୍ଡରେ ନାଲି ଗାମୁଛା ବାନ୍ଧି ଗୀତ ଗାଇ ଗାଇ ଧ୍ୱନି ଦେଇ ଲୋକଙ୍କୁ ତତାଇ ମତାଇ ଦେଉଥାଏ ସେ, ଲୋକଙ୍କର ବିଜୟ ଘଟିଲା।
ରାଜା ଅସହାୟ ହୋଇ ଗୋରା ସରକାରଙ୍କ ଠାରେ ଶରଣ ପଶିଲେ। କଟକରୁ ଆସି ପହଞ୍ଚିଲେ ଢେଙ୍କାନାଳରେ ପଲିଟିକାଲ ଏଜେଣ୍ଟ ବେଜେଲେଗେଟ୍। ଘୋଷଣା କଲେ ଢେଙ୍କାନାଳ ଆନ୍ଦୋଳନକୁ ନିଜେ ଦମନ କରିବେ।ବର୍ବର ଅତ୍ୟାଚାର ଆରମ୍ଭ ହେଲା ଢେଙ୍କାନାଳର ଗାଁଗଣ୍ଡାରେ। ପ୍ରଜାମାନଙ୍କ ସହ ହେଲା ମୁହାଁମୁହିଁ ଯୁଦ୍ଧ। ଅନେକ ଲୋକ ଗୁଳିରେ ପ୍ରାଣ ହରାଇ ବି ଛାଡୁ ନ ଥାନ୍ତି। ଅସହାୟ ହୋଇ ପୋଲିସ ଫୌଜ ଢେଙ୍କାନାଳ ଗଡ଼କୁ ଫେରିଯିବା ପାଇଁ ।
ଭୁବନ ଗ୍ରାମରୁ ମୃତ ଆହତ କର୍ମୀଙ୍କ ସହ ପୋଲିସ ଫୌଜ ଆସି ପହଞ୍ଚିଥିଲେ ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ ଭୋର ୪ ଟା ସମୟରେ ନୀଳକଣ୍ଠପୁରସ୍ଥିତ ବ୍ରାହ୍ମଣୀନଦୀର ଡଙ୍ଗା ଘାଟରେ । ଭୁବନରୁ ଖବର ପହଞ୍ଚିଲା ଫିରିଙ୍ଗି ଅର୍ଥାତ ଇଂରେଜ ଯାଉଛନ୍ତି ଯେମିତି ନଦୀ ପାର ନହୁଅନ୍ତି। ସେମାନଙ୍କୁ ଡଙ୍ଗା ପାର କରାଇ ନ ଦେବାପାଇଁ ପ୍ରଜାମଣ୍ଡଳ କର୍ମୀମାନେ ସେଠାରେ ଥିବା ସରକାରୀ ଡଙ୍ଗାକୁ ବୁଡାଇ ଦେଇଥିଲେ । ଆଉ ଥିଲା ଗୋଟିଏ ମାତ୍ର ବେସରକାରୀ ଡଙ୍ଗା । ସେହି ଡଙ୍ଗାରେ ସେମାନଙ୍କୁ ପାର କରିବା ପାଇଁ ମନାକରି କେତେଜଣ ଗ୍ରାମବାସୀ ଡଙ୍ଗାର ଦଉଡି ଛାଡି ନ ଥିଲେ । ଡଙ୍ଗାର ମଙ୍ଗ ଉପରେ ବସିଥାଏ ବାଜି ରାଉତ ।
ଫୌଜମାନେ କହୁଥାଆନ୍ତି ଡଙ୍ଗା ଆଣ। ବାଜିଆ ଗର୍ଜନ କରି କହୁଥାଏ ପ୍ରଜାମଣ୍ଡଳର ଆଦେଶ ନାହିଁ ତୁମମାନଙ୍କୁ ଡଙ୍ଗାରେ ପାର କରିବା ପାଇଁ। ଫୌଜମାନେ କହୁଥାଆନ୍ତି- ଡଙ୍ଗା ନ ଆଣିଲେ ଗୁଳି କରିବୁ। ବାଜିଆ ଦୃଢ଼କଣ୍ଠରେ କହୁଥାଏ ରଖ୍ ତୋ ଗୁଳି। ତୁମେମାନେ ମଣିଷଖିଆ ରାକ୍ଷସ। ଆମ ମା’ ଭଉଣୀଙ୍କର ଇଜ୍ଜତ ଲୁଟୁଛ। ତୁମକୁ ପାରି କରାଯିବ ନାହିଁ। ଏତିକିବେଳେ ଢେଙ୍କାନାଳ ରାଜାଙ୍କ ପୋଲିସ ରବି ସ୍ବାଇଁ ବାଜି ରାଉତ ମୁଣ୍ଡକୁ ଲକ୍ଷ୍ୟକରି ଚଳାଇଦେଲା ଗୁଳି- ଗୁଡୁମ୍, ଗୁଡୁମ୍। ବାସ୍, ବାଜିଆ ଟଳିପଡ଼ିଲା। ପୋଲିସ୍ ଫଉଜ ଅନ୍ୟ ଉପାୟ ନ ଦେଖି ପ୍ରଜାମଣ୍ଡଳ କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।
ଫଳରେ ସେହିଠାରେ ବାଜିରାଉତ ସମେତ ୫ ଜଣ ମୃତ୍ୟୁବରଣ କରିଥିଲେ । ବିଶେଷତଃ କୋମଳମତି ବାଜି ରାଉତର ମୃତ୍ୟୁରେ ସମସ୍ତେ ମ୍ରିୟମାଣ ହୋଇପଡିଥିଲେ । ଏହି ଜଘନ୍ୟ ଗୁଳିକାଣ୍ଡକୁ ସର୍ବତ୍ର ନିନ୍ଦା କରାଯାଇଥିଲା । ବାଜି ରାଉତ ଏବଂ ଅନ୍ୟ ଚାରି ସହିଦଙ୍କର ମୃତ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ କଟକର ଖାନନଗର ଶ୍ମଶାନରେ ଅକ୍ଟୋବର ୧୨ ତାରିଖ ଦିନ ଦାହ କରାଯାଇଥିଲା ।
ହେଲେ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ସହୀଦଙ୍କ କଥା ଆଜି ରାଜ୍ୟ ସରକାର ଭୁଲି ଯାଇଛନ୍ତି । ବୀର ସହିଦଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ତାହାରି ଭିତରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ଭୁଲିଯାଇଛନ୍ତି ଅଭାବ ଅନଟନରେ ଥିବା ବୀର ସହୀଦଙ୍କ ପରିବାର କଥା । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ନୀଳକଣ୍ଠପୁର ଗ୍ରାମର ବାଜି ରାଉତଙ୍କ ପରିବାର ।
ଦେଶର ସବୁଠାରୁ କମ ବୟସରେ ସହିଦ ହୋଇଥିବା ବାଜିରାଉତ ଓ ତାଙ୍କ ଚାରି ସହଯୋଗୀ ଲକ୍ଷ୍ମଣ ମଲିକ, ହୁରୁଷି ପଧାନ, ପାଣୁ ଲେଙ୍କା, ଫଗୁ ସାହୁଙ୍କ ପରିବାର ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ।
ସହିଦ ବାଜି ରାଉତଙ୍କ ପରିବାର କହିଲେ ତାଙ୍କର ବଡ଼ ଭାଇ ସ୍ଵର୍ଗତ ନଟବର ରାଉତଙ୍କ ତିନି ପୁଅ କୁଦଣ୍ଡ ରାଉତ, କୁଳମଣି ରାଉତ, ଶତୃଘ୍ନ ରାଉତ ।
ତାଙ୍କ ଗ୍ରାମରେ ତାଙ୍କ ନାମରେ ଏକ ସ୍ମୃତିପୀଠ ରହିଛି ,କିନ୍ତୁ ତାହାର ଉନ୍ନତୀ କରଣ ଅଧାପନ୍ତରିଆ ରହିଛି। ସହିଦ ବାଜିରାଉତ ଯେଉଁଠି ନିହତ ହୋଇଥିଲେ ,ସେହି ଜାଗାଟିର କୌଣସି ଚିହ୍ନବର୍ଣ୍ଣ ନାହିଁ ।