ଝିପିଝିପି ବର୍ଷା ସୁଲୁସୁଲୁ ବାଆ
ଲାଗି ରହିଥିଲା ଝଡ଼ି,
ଥରୁଥିଲା ଓଠ ଭିଜୁଥିଲା ଦେହ
ମାରୁଥିଲା ଘଡ଼ଘଡି ।
ଗଳି ପରେ ଗଳି ତେତିଶ ଗଳି ମୁଁ
ଅତିକ୍ରାନ୍ତ କଲା ପରେ,
ପ୍ରେମିକା ଗଳିରେ ପଦାର୍ପଣ କଲି
ସେଦିନ ସାନ୍ଧ୍ୟ ବେଳାରେ ।
ହୁତୁହୁତୁ ହୋଇ ଜଳୁଥିଲା ନିଆଁ
ଚା’ ଦୋକାନର ଚୁଲିରେ,
ଦୁଇ ତିନି ଜଣ ଭିଡ଼ ଜମିଥିଲେ
ଚା’ ପିଇବା ବାହାନାରେ ।
ଗରମ ଚା’ ସହ ସିଗାରେଟ ପିଆ
ଗପସପ ଚାଲିଥିଲା,
ଦୂର ଆକାଶରେ ଘଡ଼ଘଡ଼ି ସ୍ଵନ
ଛାତିକୁ ଥରାଉଥିଲା ।
ସାମନା ଗଳିର ଅପର ପାର୍ଶ୍ଵରୁ
ସ୍କୁଟି ଚଢ଼ି ମୋ ପ୍ରେମିକା,
ଖାତିରି ନକରି ମାଡ଼ି ଯାଉଥିଲା
ଅନ୍ୱେଷଣେ ଅଟ୍ଟାଳିକା ।
ଦୃଷ୍ଟି ପଡ଼ିଗଲା ମୋ ଉପରେ ତାର
ଯତନ ନେବ ନିଜକୁ,
ସ୍ମିତହାସ୍ୟ ଦେଇ ଆଗକୁ ବଢିଲା
ଇଶାରା କଲା ଘରକୁ ।
ଚାଲି ଯାଏ ମୁହିଁ ନିତି ପିଇବାକୁ
“ଚା”ମୋ ପ୍ରେମିକା ଗଳିର,
କ୍ଷଣିକ ମଧ୍ୟରେ ଶାନ୍ତ ହୋଇଯାଏ
ଅତୃପ୍ତ ଆଶା ମନର l
✍️ସୁବ୍ରତ ସେଠୀ