News
WhatsApp Image 2023-10-04 at 17.25.00
samparksetu

ଆମେ ହେବୁ ଖାଣ୍ଟି ଓଡ଼ିଆ

ସକାଳ ହେଲା କା କା
କରି କାଉ ରାବିଲା
ନିଦୁଆ ନିଦୁଆ ଅଳସ କଥାରେ
“ବାବା..କ୍ରୋ..’କ୍ରୋ..”
କହି ପୁଅ ରଡ଼ିଲା ।

ଥଣ୍ଡାପାଣି କିଛି ଛିଞ୍ଚି ମୁହଁରେ
ପୁଅକୁ ଧରିଲି ଯତନେ
ପତ୍ନୀ ହସ ହସ ମୁହେଁ କହିଗଲେ
“ନିଅ… ତୁମ ବେଡ଼୍ ଟି
ଆଉ ପୁଅର ମେଡ଼ିସିନ୍ ପାନେ ।

ଶୌଚ ସ୍ନାନାଦି ସମାପ୍ତ କରିଣ
ପୂଜାରେ ବସିଲି ଯାଇ
ହିନ୍ଦୀ ଉର୍ଦୁ ମିଶା ବଲିଉଡ୍ ଭଜନ
କାନରେ ଜାଣ
ବାଜୁଥାଏ ଧାଇଁ ଧାଇଁ ।

ଚୁଡା,ଗୁଡ଼,ଦହି ନଡ଼ିଆ କୋରାର
ଜଳଖିଆ ଦେଲି ଖାଇ
ଭାଇ ! “ନୁଡୁଲ୍ସ ର
ସମୋସା ଆଣିଥିଲି ପରା… !”
ମୁହଁ ଓହଳେଇ
କହୁଥାଏ ସାନ ଭାଇ ।

ଖବରକାଗଜ ଧରିଣ ହାତରେ
ଛାତଉପରକୁ ଗଲି
“ପୂଜୋ ରେ ରିହାତି”ଆଉ ଫିଲ୍ମ
“ଦିଲ୍ କରେ କ୍ରାନ୍ତି”
ଅନେଇ କାଗଜକୁ
ମୋଡ଼ି କରି ଫିଙ୍ଗିଦେଲି ।

ପତ୍ନୀ ସଜବାଜ ହୋଇସାରିଥିଲେ
ଦଶହରା କିଣା ପାଇଁ
ବରାଦ ଆସିଲା ବୋଉ ବାପାଙ୍କର
“ଛୋଟା ଭୀମ୍ ଖେଳନା
ଆଣିବୁ ତ ନାତି ପାଇଁ !!!”

ଦୁଇଚକା ଯାନେ ଯାତ୍ରା ଅରମ୍ଭିଲୁ
ପାଖ ବଜାର ଦେଖି
ମେହେନ୍ଦୀ , ଲେହେଁଗା , ପାୟଲ , ବିନ୍ଦି
ପତ୍ନୀ କେତେ କ’ଣ ,
କିଣିଲେ ନିରେଖି ପରଖି ।

ଭୋଜନ “ଓଡ଼ିଆ ହାଣ୍ଡିଶାଳ”ରେ
କରିଲୁ ସାଉଥ ଇଣ୍ଡିଆ ଥାଳି
ହାକୁଟି ଯେ ଦେଲା ଆମ୍ବିଳା ଆମ୍ବିଳା
ଓଡ଼ିଆପଣ ଯେ ଗଲା ମୋ ଢଳି ।

ବଜାରେ ଦେଖିଲୁ ପୁସ୍ତକ ମେଳା
ଥାକଥାକ ଯେ ଇଂଗ୍ରେଜୀ ବହି
ଭିଡକୁ ଖେଳେଇ ପିଲାଙ୍କ ବହିଟେ ଖୋଜିଲି
‘ଔ’ ଶବ୍ଦ ରେ ‘ଔରତ’ ପାଇଲି ଯାଇ ।

ଡ଼ାକବାଜି ଯନ୍ତ୍ର କୁହାଟ
ବାଜିଲା ସାହିତ୍ୟ ସଭା ପାଖରୁ
“ଆମେ ହେବୁ ଖାଣ୍ଟି ଓଡ଼ିଆ ମଣିଷ”
ଓଡ଼ିଆତ୍ୱ ଝରିବ
ସୋସିଆଲ ମିଡିଆ କଲମ ମୁନରୁ ।

ମୁହଁ ସଞ୍ଜ ଦେଖି ପରିବା କିଣିକି
ବାହୁଡିବା ପାଇଁ ଭାବିଲୁ
“କାନ୍ଦା ଲକୀ ମିର୍ଚି ଦସ୍ କେ ପାଞ୍ଚ”
ଡାକୁଥିବା ବିକାଳିଟି ହାତରେ
ଶହେ ନୋଟ ଧରେଇ ଆସିଲୁ ।

“ବାବା ବାବା”କହି ଆଲିଙ୍ଗନ
ଦେଇ ଚୁମାଟିଏ ପୁଅ ଦେଲା
ଖେଳନା ସହିତ ଏ ବି ସି ଡ଼ି ବହିଟିଏ ଦେଇ
ପତ୍ନୀ ବୋଉଙ୍କୁ କହିଲେ
“ଆଜି ମାର୍କେଟରେ ଭିଡ଼ ଥିଲା ।”

ନୈଶ ଭୋଜନ ଆତ୍ମତୃପ୍ତି ପରେ
କାବ୍ୟ ବହିଟିଏ ଧରିଲି
ପୁଅକୁ ଶୁଏଇ ପତ୍ନୀ ଗୁଡ଼ ନାଇଟ୍ କହିଲେ
ଲଭ,ୟୁ,ଠୁ,ଡାର୍ଲିଂ କହି
କବିତା ପଢିବାରେ ମନ ଦେଲି ।

✍️ହିମାଂଶୁ ଭୂଷଣ ସାହୁ

new life
You might also like
error: Content is protected !!