ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମେ
ତୁମେ ହୋଇଥିଲ ଜାତ
ଉତ୍କଳ ଜନଙ୍କ ସେବା ପାଇଁ
ଉତ୍କଳ ମଣି ନାମେ ହେଲ ଖ୍ୟାତ।
ସେଦିନ ଶୁଭିଲା ଦୁଆରେ ତୁମ୍ଭର
କାହାର ଆରତ ନାଦ
ଖାଇବା ପତରୁ ଉଠିଯାଇ ତୁମେ
ଠିଆ ହୋଇଗଲ ଆଗ।
ଦୁଃଖୀ ଲୋକଟିଏ ଦେଖିଦେଲେ
ତୁମ ଆଖିରୁ ଝରଇ ଲୁହ
ଭୋକିଲା ଲୋକର ଶୁଖିଲା ମୁହଁ କୁ
ଦେଖି ଚାଲିଆସେ ତୁମ କୋହ।
ନିଜ ପୁଅ କଥା ଭାବିଲନି ତୁମେ
ସେବା ପାଇଁ ଚାଲିଗଲ
ଶହ ଶହ ପୁଅ ଜୀବନ ବଞ୍ଚାଇ
ତାଙ୍କ ମୁଖେ ହସ ଦେଲ।
ବକୁଳ ବନରେ ବିଦ୍ୟାଳୟ ଖୋଲି
ତୁମ ସ୍ବପ୍ନ ପୂରାକଲ
ମାନବ ସେବାକୁ ମାଧବ ସେବାଏ
ଛାତ୍ରେ ତୁମେ ଶିକ୍ଷା ଦେଲ।
ବନ୍ୟା ହେଉ ଅବା କେବେ ଯେ ମରୁଡ଼ି
ସବୁଠି ଖୋଜା ଲୋଡ଼ା ହୁଏ ତୁମର
ହସି ହସି ସେଠି ସେବା କର ତୁମେ
ମନେ ତିଳେ ଆସି ନାହିଁ ଅହଙ୍କାର।
ମାସିକ ପତ୍ରିକା ଛାପିଦେଲ ତୁମେ
ସତ୍ୟବାଦୀ ନାମେ ହେଲା ଜାତ
ସମାଜ ନାମରେ ଖବର କାଗଜ
ସାରା ଓଡ଼ିଶା ରାଇଜେ ବ୍ୟାପ୍ତ।
ଦଇତାରୀ ଦାସ ଓ ସ୍ଵର୍ଣ୍ଣମୟୀ ଙ୍କ
ତୁମେ ଥିଲ ସୁନା ପୁଅ
ଉତ୍କଳ ବାସୀଙ୍କ ସେବାରେ ଲାଗିଲ
ଛାଡି ସବୁ ମାୟା ମୋହ।
ଆଜିର ସମାଜ ଏତିକି ଶିଖିବ
ତୁମ ଠାରୁ ସେବା ମନର ବୃତ୍ତି
ଘୃଣା ନକରି ଆଗେଇ ଆସିବେ
ସେବା ପାଇଁ ଯୁବ ସମାଜ ନିତି।
ତୁମେ ଥିଲ ଆମ ଉତ୍କଳ ର ନେତା
ଉତ୍କଳ ର ପ୍ରାଣ ବିନ୍ଦୁ
ଉତ୍କଳ ଜନଙ୍କ ସେବା ରେ ଲାଗିଲ
ସାଜି ତୁମେ ଦୀନବନ୍ଧୁ।
✍ବିକାଶ କୁମାର ହୋତା