News
WhatsApp Image 2023-10-04 at 17.25.00
samparksetu

ସୁରକ୍ଷା ଖୋଜୁଛି ଗଛ ; କାହା ଅନୁମତିରେ ଢେଙ୍କାନାଳ ସହରରେ ବେଧଡ଼କ ଚାଲିଛି ଗଛକଟା ?

ସହରରେ ଏବେ ମନ ଇଚ୍ଛା ଗଛ କଟା ଚାଲିଛି । କୌଣସି ବିକାଶ ମୂଳକ କାର୍ଯ୍ୟ ନାମରେ ଗଛ କାଟି ସଫା କରି ଦିଆଯାଉଛି । କିଏ ପ୍ରକଳ୍ପକୁ ଦେଖାଇ ବନ ବିଭାଗରୁ ଅନୁମତି ନେଇଯାଉଛି ତ, କିଏ ମନ ଇଚ୍ଛା ଗଛ କାଟି ଗଡାଇ ଦେଉଛି । ଫଳରେ ସହର ପରିବେଶର ଶୌଭାବର୍ଦ୍ଧନ କରୁଥିବା ଗଛ ଗୁଡିକ ଅକାଳରେ ଗଡି ପଡୁଛନ୍ତି । ଏପରି ଧାରା ଜାରି ରହିଲେ, ସହରରେ ସ୍ଥିତି ବିଗିଡିବ ବୋଲି ପରିବେଶ ପ୍ରେମୀ ଆଶଙ୍କା ବ୍ୟକ୍ତ କଲେଣି ।

ଅନ୍ୟପଟେ ଢେଙ୍କାନାଳ ନୂତନ ବସ ଷ୍ଟାଣ୍ଡ ପାଇଁ ମହିଷାପାଟରେ ଶିଳାନ୍ୟସ ସରିଛି କିନ୍ତୁ ପ୍ରଶାସନ ପୁଣି ପୁରୁଣା ବସ ଷ୍ଟାଣ୍ଡରେ ହିଁ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଫଳରେ ଆବଶ୍ୟକ ଜାଗା ନଥିବାରୁ ଐତିହ୍ୟ ପାହାଡ କାଟି ଦିଆଯାଉଛି । ଖାଲି ପାହାଡ ନୁହେଁ, ସେ ପାହାଡ ଉପରେ ଥିବା ପ୍ରାୟ ୨ଶହରୁ ଉର୍ଦ୍ଧ ଗଛକୁ ମଧ୍ୟ କାଟି ସଫା କରିଦିଆଯାଇଛି ।

ମୋଟା ଗଣ୍ଡି ନେଇଯାଇଥିବା ବେଳେ ସରୁ ଡାଳ ଆଦି ପଡି ରହିଛି । ସେହିପରି ସରକାରୀ ଅନୁଷ୍ଠାନ ବି ଗଛ କଟାରୁ ବାଦ ପଡିନାହିଁ । ବସ ଷ୍ଟାଣ୍ଡ ନିକଟରେ ଥିବା ଉଦ୍ୟାନ ବିଭାଗ ଟ୍ରାଞ୍ଜିଟ୍ ନର୍ସରୀରୁ  ଏକାଧିକ ପୁରୁଣା ବଡବଡ ଆମ୍ବ ଗଛ କାଟି ଦିଆଯାଇଛି । ତେବେ ବହୁ ବଡ ଗଛ ନର୍ସରୀ କାର୍ଯ୍ୟ କରିହେଉନଥିବାରୁ କଟାଯାଇଛି । ବନ ବିଭାଗାର ଅନୁମତି ନିଆଯାଇଛି ବୋଲି ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଗିତାଞ୍ଜଳି ପାଢୀ କହିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ସାମାନ୍ୟ ଡ୍ରେନ ନିର୍ମାଣ ପାଇଁ ବି ଗଛ କଟା ଯାଇଛିି । ଟ୍ରାଫିକ ଛକ ଗାନ୍ଧି ପାର୍କ ନିକଟରେ ପୁରୁଣା ମୋଟା ଦେବଦାରୁ ଗଛ ରହିଥିଲା । ଡ୍ରେନ ନିର୍ମାଣ ପାଇଁ ଗାତ ଖୋଳିବାରେ ସମସ୍ୟା ହେବାରୁ ସେହି ୬,୭ଟି ଗଛକୁ କାଟି ଦିଆଗଲା । ସେହିପରି ଟ୍ରାଫିକ ଛକରୁ ଷ୍ଟାଡିୟମ ଆଡକୁ ଦେବଦାରୁ, ଲିମ୍ବ ଗଛ ରହିଥିଲା । କିଛି ଦିନ ପୂର୍ବରୁ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି ତିଆରି ହେବା ପରେ ଦୁଇ, ତିନିଟି ଲିମ୍ବ ଗଛ କାଟି ଦିଆଯାଇଥିଲା ।

ବର୍ଷେ ପୂର୍ବରୁ ସେଲଫି ଜୋନ୍ ତିଆରି ପାଇଁ ଅନେକ ଗଛ କଟା ହୋଇଥିଲା ।ଏତିକିରେ ସରିନି । କଲେଜ ବାଇପାସ ବସ ଷ୍ଟାଣ୍ଡ ରାସ୍ତା ସମ୍ପ୍ରସାରଣ ପାଇଁ ବି ୫୦ରୁ ଉର୍ଦ୍ଧ୍ୱ ଗଛ ଶେଷ ନିଶ୍ୱାସ ଗଣୁଛନ୍ତି । ବନ ବିଭାଗ ଅନୁମତି ଦେଇସାରିଥିବା ବେଳେ କୌଣସି ଦିନ କଟାଯିବ । ସହରର ସୌନ୍ଦର୍ଯ୍ୟ ବଢାଉଥିବା ଏହି ୫୦ଟି ପୁରୁଣା ବିଶାଳ ଗଛ ମାଟିରେ ମିଶିବେ । ଏପରି ଗଛ କଟା ସମସ୍ତଙ୍କୁ ହତଚକିତ କରୁଛି । ପରିବେଶ ପ୍ରେମୀ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ ପ୍ରଶାସନ ଓ ବନ ବିଭାଗର କୌଣସି ଅଙ୍କୁଶ ରହୁନଥିବା ଅଭିଯୋଗ ହୋଇଛି ।

ଏନେଇ ଡିଏଫଓ ପ୍ରକାଶ ଚନ୍ଦ୍ର ଗୋଗିନେନୀ କହିଛନ୍ତି ପ୍ରଶାସନ ସେ ସ୍ଥାନରେ ବସ ଷ୍ଟାଣ୍ଡ କରିବାକୁ ଅନୁମତି ଦେଇଥିବାରୁ ଆବଶ୍ୟକତା ଦୃଷ୍ଟି ଗଛ କାଟିବାକୁ ଅନୁମତି ଦିଆଯାଇଛି । ରାସ୍ତା ପାଇଁ ଶହେରୁ ଉର୍ଦ୍ଧ୍ୱ ଗଛ କାଟିକାକୁ ଅନୁମତି ମାଗୁଥିବା ବେଳେ ଅତି ଅବଶ୍ୟକ ସ୍ଥଳେ ୫୦ରୁ ୬୦ଟି ଗଛ କାଟିବାକୁ ଅନୁମତି ଦିଆଯାଇଛି । କିନ୍ତୁ ନର୍ସରୀରେ ଗଛ କାଟିବାକୁ ଅନୁମତି ଦିଆଯାଇନାହିଁ । ଗଛ କଟା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।

new life
You might also like
error: Content is protected !!